ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନୀରିହ ଲୋକଙ୍କ ପ୍ରାଣହାନୀ ଘଟିଛି। ସମଗ୍ର ଦେଶରେ ଆକ୍ରୋଶର ମାହୋଲ ରହିଛି। ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ମହଲରେ ଦାବି ଉଠିଛି। ଏହି କ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଆମର ଅଂହିସା ନୀତି ଲୋକଙ୍କୁ ବଦଳାଇ ପାଇବା ଉଦ୍ଦିଷ୍ଟ। ମାତ୍ର କିଛି ଲୋକ କଦାପି ବଦଳୁ ନାହାନ୍ତି। ସେହି ଗୁଣ୍ଡାମାନଙ୍କୁ ଉଚିତ୍ ଶିକ୍ଷା ଦେବା ଆମର ଧର୍ମ।
ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋହନ ଭାଗବତ କହିଛନ୍ତି, ଅହିଂସା ଆମର ସ୍ଵଭାବ, ଆମର ମୂଲ୍ୟବୋଧ। ଆମର ଅହିଂସା ନୀତି ଲୋକଙ୍କୁ ସଠିକ୍ ରାସ୍ତାରେ ଆଣିବା ପାଇଁ ରହିଛି। ମାତ୍ର କିଛି ଲୋକ ବଦଳୁ ନାହାନ୍ତି। ରାବଣର ଯେବେ ବଧ ହୋଇଥିଲା, ତାର କଲ୍ୟାଣ ପାଇଁ ହୋଇଥିଲା। ରାବଣକୁ ଭଲ ମଣିଷ ହେବା ପାଇଁ ଯାହା ଦରକାର ଥିଲା ସବୁ ମିଳିଥିଲା। ମାତ୍ର ସେ ଯେଉଁଭଳି ଶରୀର ମନ ବୁଦ୍ଧିର ଚୟନ କଲା ସେଥିରେ ସେ ଭଲ ମଣିଷ ହୋଇ ପାରି ନ ଥାନ୍ତା। ତେଣୁ ଭଗବାନ ରାମ ତାର ସଂହାର କଲେ। ଏହାକୁ ହିଂସା ନୁହେଁ ବରଂ ଅହିଂସା କୁହାଯାଏ।
Also read: ବିଲାବଲ୍ ଭୁଟ୍ଟୋଙ୍କୁ ‘ରକ୍ତ ବୋହିବ’ ଫମ୍ପା ଧମକର କଡ଼ା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ-ପାଣି ଟୋପାଏ ବି ପାଇବନି
ସେ ଏହା ମଧ୍ୟ କହିଛନ୍ତି, ଅହିଂସା ଆମର ଧର୍ମ। ଗୁଣ୍ଡାମାନଙ୍କୁ ଉଚିତ୍ ଶିକ୍ଷା ଦେବା ଆମର ଧର୍ମ। ଆମେ ନିଜ ପଡ଼ୋଶୀର କେବେ ଅପମାନ କି କ୍ଷତି କରୁନି। ମାତ୍ର କେହି ଯଦି ଆମର କ୍ଷତି କରିବାକୁ ଚାହିଁବ ତେବେ ଆଉ କଣ କରାଯିବ ? ରାଜାର କର୍ତ୍ତବ୍ୟ ପ୍ରଜାର ରକ୍ଷା କରିବା, ରାଜାଙ୍କୁ ନିଜର କର୍ତ୍ତବ୍ୟ ନିର୍ବାହ କରିବା ଉଚିତ୍। ମୋହନ ଭାଗବତ କହିଛନ୍ତି, ଗୀତାରେ ଅହିଂସାର ଉପଦେଶ ରହିଛି। ଅହିଂସାର ଉପଦେଶ ଏଥିପାଇଁ ଦିଆଗଲା ଯଦ୍ଵାରା ଅର୍ଜୁନ ଯୁଦ୍ଧ ଲଢି କୌରବଙ୍କ ନାଶ କରି ପାରିବେ।