କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ରେଢ଼ାଖୋଲରେ ବାଇପାସ୍ ନିର୍ମାଣ ପାଇଁ କଲେ ଅନୁରୋଧ

NEWS7
sodash-upachar-puja-at-konark

ସମ୍ବଲପୁର ୩୦।୧୨: ରେଢ଼ାଖୋଲ ସହରବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ସହର ବାହାରେ ଏକ ବାଇପାସ୍ ନିର୍ମାଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ରେଢ଼ାଖୋଲର ବାର୍ ଆସୋସିଏସନ, ଟ୍ରକ୍ ମାଲିକ ସଂଘ, ବରିଷ୍ଠ ନାଗରିକ ମଞ୍ଚ ଏବଂ ସ୍ଥାନୀୟ ସାମ୍ବାଦିକମାନଙ୍କ ସମର୍ଥନରେ ମିଳିଥିବା ଏକ ପ୍ରତିନିଧି ଦଳର ଆବେଦନ ଆଧାରରେ ଧର୍ମେନ୍ଦ୍ର ପ୍ରଧାନ ଏହି ପତ୍ର ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ୫୫ ନମ୍ବର ଜାତୀୟ ରାଜପଥ ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇଥିବା ବେଳେ ସହର ମଧ୍ୟ ଦେଇ ଶହ ଶହ ଭାରିଯାନ ଚଳାଚଳ କରୁଛି । ସହରର ସଂକୀର୍ଣ୍ଣ ରାସ୍ତା ଏହି ଉଚ୍ଚସ୍ତରୀୟ ଟ୍ରାଫିକ୍ ପାଇଁ ଉପଯୁକ୍ତ ନୁହେଁ, ଯାହାଫଳରେ ପ୍ରତିଦିନ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଛି । ସହର ମଧ୍ୟରେ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା ଏବଂ ଭୀମଭୋଇ ଡିଗ୍ରୀ କଲେଜ ପରି ଶିକ୍ଷାନୁଷ୍ଠାନ ଥିବାରୁ ଅଫିସ୍ ସମୟରେ ପ୍ରବଳ ଜନଗହଳି ହେଉଛି । ଭାରିଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ବଢ଼ିବା ସହ ଛାତ୍ରଛାତ୍ରୀ, ରୋଗୀ ଏବଂ ବରିଷ୍ଠ ନାଗରିକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି ।

ରେଢ଼ାଖୋଲ ସହରର ଦ୍ରୁତ ବିକାଶ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ନୂତନ ବାଇପାସ ନିର୍ମାଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି । ଏହି ବାଇପାସ୍ ନିର୍ମାଣ ହେଲେ ରେଢ଼ାଖୋଲ ସହରରେ ଦୁର୍ଘଟଣା ହ୍ରାସ ପାଇବା ସହ ସହରବାସୀ ଏହିସବୁ ସମସ୍ୟାରୁ ମୁକ୍ତ ହୋଇପାରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।