ଜାରି ହେଲା ଭାରତ ସରକାରଙ୍କର ୨୦୨୬ ନୂଆ ବର୍ଷ କ୍ୟାଲେଣ୍ଡର, ଜାଣନ୍ତୁ କ’ଣ ରହିଛି ଥିମ୍?

NEWS7
slow-work-in-pmgsy-raised-in-odisha-assembly

ନୂଆଦିଲ୍ଲୀ ୧।୧: ଭାରତ ସରକାର ୨୦୨୬ ନୂଆ ବର୍ଷ କ୍ୟାଲେଣ୍ଡର ଜାରି କରିଛନ୍ତି। ସୂଚନା ଓ ପ୍ରସାରଣ ରାଜ୍ୟମନ୍ତ୍ରୀ ଏଲ.ମୁରୁଗନ ୨୦୨୬ କ୍ୟାଲେଣ୍ଡର ଲୋକର୍ପଣ କରିଛନ୍ତି। ୨୦୨୬ କ୍ୟାଲେଣ୍ଡରରେ ସବୁ ମାସକୁ ଅଲଗା ଅଲଗା ଥିମରେ ଚିତ୍ରିତ କରାଯାଇଛି ଓ ସବୁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ରହିଛି। ଏଥିରେ ମେ ମାସ କ୍ୟାଲେଣ୍ଡରର ଥିମ ସବୁଠୁ ଖାସ ରହିଛି। ଏଥିରେ ଅପରେସନ ସିନ୍ଦୂର, ଭାରତୀୟ ସେନାର ପରାକ୍ରମ, ପ୍ରତିରକ୍ଷା ଉତ୍ପାଦନ, ଆଇଏନଏସ ବିକ୍ରାନ୍ତ ଓ ବ୍ରହ୍ମୋସର ସ୍ୱେଦେଶୀ ନିର୍ମାଣର ଥିମ ରହିଛି।

ଏଥିରେ ଜାନୁୟାରୀର ଥିମ ଆତ୍ମ ନିର୍ଭରରୁ ଆତ୍ମ ବିଶ୍ୱାସ, ପ୍ରତିରକ୍ଷା ଆତ୍ମ ନିର୍ଭରତା ଓ ମେନୁଫେକ୍ଚରିଂ ଥିମ ଥିବା ବେଳେ ଫେବୃଆରୀର ଥିମ ଚାଷୀଙ୍କୁ ସମର୍ପିତ କରାଯାଇଛି। ମାର୍ଚ୍ଚ ନାରୀ ଶକ୍ତି ଫର ନ୍ୟୁ ଇଣ୍ଡିଆ ଦେଖାଯାଉଥିବା ବେଳେ ଏପ୍ରିଲରେ ସରଳିକରଣରୁ ସଶକ୍ତିକରଣ, ନୀତିରେ ପାରଦର୍ଶିତା, ପ୍ରକ୍ରିୟାରେ ସରଳିକରଣ ଥିମ ରହିଥିବା ବେଳେ ଜୁନର ଥିମ ସ୍ୱସ୍ଥ ଭାରତ ସମୃଦ୍ଧ ଭାରତ ରହିଛି। ଜୁଲାଇ ମାସକୁ ବଞ୍ଚିତଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିବା ବେଳେ ଅଗଷ୍ଟ ମାସକୁ ଯୁବ ଶକ୍ତି ରାଷ୍ଟ୍ର ଶକ୍ତି ରୂପେ ସମର୍ପିତ ହୋଇଛି।

ସେପ୍ଟେମ୍ବରର ଥିମ ଗତି, ଶକ୍ତି, ପ୍ରଗତି ରଖାଯାଇଥିବା ବେଳେ ଅକ୍ଟୋବରକୁ ପରମ୍ପରାରୁ ପ୍ରଗତି, ମହାକୁମ୍ଭ ଓ ଅନ୍ତର୍ଜାତୀୟ ଯୋଗଦିବସ ଥିମ ରହିଛି। ନଭେମ୍ବର ମାସକୁ ସବକା ସାଥ ସବକା ବିକାଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିବା ବେଳେ ଏଥିରେ ଏକତା ହିଁ ଆମର ଶକ୍ତି ବିଷୟ ରହିଛି। ସେହିପରି ଡିସେମ୍ବର ମାସକୁ ବିଶ୍ୱ ବନ୍ଧୁ ଭାରତ, ବୈଶ୍ୱିକ ବିକାଶରେ ଅଗ୍ରଣୀ ଭାରତ, ମାନବତାର ସେବା ଓ ଜଳବାୟୁ ପରିବର୍ତ୍ତନ ବିଷୟ ସାମିଲ କରାଯାଇଛି।

ଏହି କ୍ୟାଲେଣ୍ଡରରେ ସବୁ ମାସର କ୍ୟାଲେଣ୍ଡରରେ ଗୋଟିଏ ବାରକୋଡ ଦିଆଯାଇଛି। ଏହାକୁ ସ୍କାନ କଲେ ଭାରତ ସମ୍ପର୍କିତ ସୂଚନା ମିଳି ପାରୁଛି। ତେବେ ଭାରତ ସରକାରଙ୍କ ୨୦୨୬ ବାର୍ଷିକ କ୍ୟାଲେଣ୍ଡର ସବୁ ଦୃଷ୍ଟିରୁ ସରସ ଓ ସୁନ୍ଦର ହୋଇଥିବା କୁହାଯାଇଛି।