ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନରେ ଲାଗିବ ସ୍ଲିପର କୋଚ୍, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ କେବେ କରିପାରିବେ ଯାତ୍ରା

Published By : Prameya-News7 Bureau | September 01, 2024 IST

ବେଙ୍ଗାଲୁରୁ : ଦେଶରେ ‘ବନ୍ଦେଭାରତ’ ଟ୍ରେନ ଗଡିବା ପରଠାରୁ ଯାତ୍ରୀଙ୍କୁ ୱାର୍ଲଡ କ୍ଲାସ୍ ରେଳ ସୁବିଧା ଅନୁଭବ ହେଉଛି। ଯିଏ ବି ଏହି ଟ୍ରେନରେ ଯାତ୍ରା କରୁଛି ଏହାର ପ୍ରଶଂସା ନ କରି ରହିପାରିନି। ଏଥିରେ ସରକାର ଖୁବ୍ ଶୀଘ୍ର ସ୍ଲିପର କୋଚ୍ ସହିତ ବନ୍ଦେ ଭାରତ ଟ୍ରେନ ଚଳାଇବାକୁ ଯାଉଛନ୍ତି। ଯାହା ଯାତ୍ରୀଙ୍କୁ ଆହୁରି ଆଶ୍ୱସ୍ତ କରିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ବେଙ୍ଗାଲୁରୁ ବିଇଏମଏଲରେ ବନ୍ଦେ ସ୍ଲିପର କୋଚ୍ ନିରୀକ୍ଷଣ କରିଛନ୍ତି।  

ଏହି ନିରୀକ୍ଷଣ ପରେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ ଆମେ ୩ ମାସ ପରେ ବନ୍ଦେ ଭାରତ ସ୍ଲିପର କୋଚ୍‌ରେ ଯାତ୍ରୀ ପରିଚାଳନାର ଆଶା କରିପାରିବୁ। ଏହି ଟ୍ରେନର ସବୁ କୋଚ୍ ସମ୍ପୁର୍ଣ୍ଣ ସ୍ଲିପର କୋଚ୍ ରହିବ। ମନ୍ତ୍ରୀ କହିଛନ୍ତି ଯେ ବନ୍ଦେ ସ୍ଲିପର କୋଚର ନିର୍ମାଣ ଶେଷ ହୋଇଛି। ଆଗାମୀ କିଛି ଦିନରେ ବିଇଏମଏଲ କାରଖାନାରୁ ବାହାରିବ। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହା ଏକ ଲମ୍ବା ଯାତ୍ରା ଥିଲା। ନୂଆ ଟ୍ରେନର ଡିଜାଇନ କରିବା ବଡ଼ ଜଟିଳ କାମ। 

ବନ୍ଦେ ଭାରତ ସ୍ଲିପର କୋଚରେ ଅନେକ ନୂଆ ବିଶେଷତା ରହିଛି। ମନ୍ତ୍ରୀ କହିଛନ୍ତି ଯେ ବନ୍ଦେ ଚେୟାରକାର, ବନ୍ଦେ ସ୍ଲିପର, ବନ୍ଦେ ମେଟ୍ରୋ ଓ ଅମୃତ ଭାରତ ଲୋକଙ୍କ ଯାତ୍ରା କରିବାର ଅନ୍ଦାଜକୁ ବଦଳାଇ ଦେବ। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହତ୍ୱାକାଙକ୍ଷୀ ଭାରତକୁ ଦର୍ଶାଉଛି। ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଶନିବାର ବ୍ରଡଗେଜ୍ ରୋଲିଂ ଷ୍ଟକ୍ ନିର୍ମାଣ ଲାଗି ଏକ ନୂଆ ହ୍ୟାଙ୍ଗରର ଶିଳାନ୍ୟାସ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.