ମୂଷା ମାରିବାକୁ ଅଙ୍ଗନଓ୍ବାଡି ଦିଦି ରଖିଥିବା କୀଟନାଶକ ଖାଇଦେଲେ ୬ ଶିଶୁ, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | April 11, 2025 IST

ଢେଙ୍କାନାଳ ୧୧ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜଂଖିରା ଗ୍ରାମର ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ଆଶା ଆଶଙ୍କାରେ ରହିଛନ୍ତି । ଏହି ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁମାନେ କୀଟନାଶକ ଦାନାଦାର   ଖାଇଦେଇଥିବା ଆଶଙ୍କା କରାଯାଇଛି । ଫଳରେ କେନ୍ଦ୍ରର ସମସ୍ତ ୬ ଜଣ ଶିଶୁଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାର ଶିଶୁ ୱାର୍ଡରେ ଶିଶୁମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ବିପଦମୁକ୍ତ ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ଏହି ଶିଶୁ ମାନଙ୍କ ମଧ୍ୟରେ ୨ ଜଣ ବାଳକ ଓ ୪ ଜଣ ବାଳିକା ଥିବା ଜଣାପଡିଛି । ସମସ୍ତଙ୍କ ବୟସ ୩ରୁ ୪ବର୍ଷ ବୋଲି ଜଣାପଡିଛି । ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ମୋଟ୍ ୬ ଜଣ ଶିଶୁ ଥିଲେ । ସମସ୍ତ ଶିଶୁ ସ୍ଥାନୀୟ ଜଂଖିରା ଗ୍ରାମର । ତେବେ ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ମୂଷା ମାନଙ୍କ ଉତ୍ପାତ କରୁଥିବାରୁ ମୂଷା ମାରିବା ପାଇଁ କେନ୍ଦ୍ରର ଅଙ୍ଗନୱାଡ଼ି ଦିଦି ଉର୍ମିଳା ବେହେରା ଦାନାଦାର ତାଙ୍କ ବ୍ୟାଗରେ ରଖିଥିଲେ । ମାତ୍ର କେନ୍ଦ୍ରରେ ପଢ଼ୁଥିବା ତାଙ୍କ ଝିଆରୀ ବ୍ୟାଗରୁ ଏହି ଦାନାଦାର ପ୍ୟାକେଟ୍ ବାହାର କରି ଅନ୍ୟ ଶିଶୁ ସହିତ ପାଟିରେ ଚିଣ୍ଡାଇ ପକାଇଥିବା ଦେଖାଯାଇଥିଲା । ଯାହା ଫଳରେ ଶିଶୁ ମାନଙ୍କୁ କୌଣସି ଅଘଟଣ ଆଶଙ୍କାରେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସୌଭାଗ୍ୟ ବଶତଃ ସମସ୍ତ ଶିଶୁ ସୁରକ୍ଷିତ ଓ ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାକୁ ନେଇ କେହି ପାଟି ଖୋଲୁନଥିଲେ ମଧ୍ୟ ଶିଶୁ ମାନଙ୍କ ଅଭିଭାବକ ମାନେ ଭୟଭୀତ ହୋଇପଡିଥିବା ଜଣାପଡିଛି ।

You Can Read:

ଶୃଙ୍ଖଳା ପାଇଁ ବିଜେଡି ତିଷ୍ଠି କି ଅଛି, କ୍ଷମତାରେ ଥାଉ କି ନଥାଉ : ଅଶ୍ବିନୀ ପାତ୍ର 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.