ବିଶ୍ୱର ବୟୋଜ୍ୟେଷ୍ଠ ମହିଳାଙ୍କ ପରଲୋକ, ୧୧୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ବ୍ରାଜିଲ ନନ୍

Published By : Prameya-News7 Bureau | May 01, 2025 IST

ପୋର୍ଟୋ ଏଲେଗ୍ରୋ ୧।୫: ବିଶ୍ୱର ସବୁଠୁ ବୟଷ୍କା ମହିଳା ସିଷ୍ଟର ଇନାହ କ୍ୟାନାବାରୋ ଲୁକାସ ୧୧୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଉ ମାତ୍ର କିଛି ସପ୍ତାହ ପରେ ସେ ୧୧୭ ବର୍ଷ ବୟସରେ ପାଦ ଥାପିଥାନ୍ତେ, ତେବେ ଏପ୍ରିଲ ୩୦ ତାରିଖ ଦିନ ତାଙ୍କର ମହାପ୍ରାୟଣ ହୋଇଛି। ତାଙ୍କ ଧାର୍ମିକ ସଙ୍ଗଠନ ଗୁରୁବାର ତାଙ୍କର ପରଲୋକ ପୁଷ୍ଟି କରିଛି। ଟେରିସିୟନ ନନ୍ ସମୂଦାୟ ‘ଦି କମ୍ପାନୀ ଅଫ ସେଣ୍ଟ ଟେରେସା ଅଫ ଜିସସ୍’ କହିଛି ଯେ ତାଙ୍କର ପରଲୋକ ପ୍ରାକୃତିକ କାରଣ ଯୋଗୁ ତାଙ୍କ ଘରେ ହୋଇଛି। 

ପୋର୍ଟୋ ଏଲେଗ୍ରାରେ ଗୁରୁବାର ତାଙ୍କ ଶେଷ ଦର୍ଶନ ଅନୁଷ୍ଠିତ ହୋଇଯାଇଛି।  ଇନାହ କ୍ୟାନାବୋରୋ ଲୁକାସଙ୍କ ଜନ୍ମ ୮ ଜୁନ ୧୯୦୮ ମସିହାରେ ହୋଇଥିଲା। ସେ ଜଣେ ବ୍ରାଜିଲିୟ ରୋମାନ କ୍ୟାଥୋଲିକ୍ ନନ୍। ସୁପରସେଣ୍ଟେନାରିଆନ ଅନୁସାରେ ସେ ପୃଥିବୀ ବକ୍ଷରେ ୧୧୬ ବର୍ଷ ୩୨୬ ଦିନ ଜୀବିତ ଥିଲେ। ଟୋମିକୋ ଇଟୋକାଙ୍କ ୨୯ ଡିସେମ୍ବର ୨୦୨୪ରେ ପରଲୋକ ପରେ ସିଷ୍ଟର ଇନାହା ବିଶ୍ୱର ସବୁଠୁ ବୟୋଜ୍ୟେଷ୍ଠ ମହିଳା ଥିଲେ। 


ସେହିପରି ନନ୍ ଲୁସିଲେ ରାଣ୍ଡନଙ୍କ ୧୭ ଜାନୁୟାରୀ ୨୦୨୩ରେ ପରଲୋକ ପରେ ସିଷ୍ଟର ଇନାହା ସବୁଠୁ ବୟୋଜ୍ୟେଷ୍ଠ ନନ୍ ଥିଲେ। ଏଣୁ ପୋପ ଫ୍ରାନସିସ୍ ତାଙ୍କୁ ୧୧୦ତମ ଜୟନ୍ତୀ ପାଳନ ଅବସରରେ ଏକ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ସିଷ୍ଟର ଇନାହା ବ୍ରାଜିଲର ବୟୋଜ୍ୟେଷ୍ଠ ମହିଳା ଆଣ୍ଟୋନିୟା ଡା ସାନ୍ତା କ୍ରୁଜଙ୍କ ୨୩ ଜାନୁୟାରୀ ୨୦୨୨ରେ ପରଲୋକ ପରେ ଦେଶର ସବୁଠୁ ବୟଷ୍କା ମହିଳା ଥିଲେ। ଏବେ ସିଷ୍ଟର ଇନେହାଙ୍କ ପରଲୋକ ପରେ ବ୍ରିଟେନର ଇଥେଲ କ୍ୟାଟରହାମ ବିଶ୍ୱର ସବୁଠୁ ବୟୋଜ୍ୟେଷ୍ଠ ବ୍ୟକ୍ତି ପାଲଟିଛନ୍ତି। 


ସାରା ବିଶ୍ୱରେ ସୁପର ସେଣ୍ଟିନେରିୟନୋ (ଶହେ ବର୍ଷରୁ ଅଧିକକାଳ ଜୀବିତ ଥିବା ଲୋକ)ଙ୍କ ଉପରେ ନଜର ରଖୁଥିବା ସଂସ୍ଥା ଲଂଜିଭିକ୍ୱେଷ୍ଟ ଗତ ଜାନୁୟାରୀରେ ସିଷ୍ଟର ଇନାହାଙ୍କୁ ବିଶ୍ୱର ସବୁଠୁ ଦୀର୍ଘଜୀବୀ ମହିଳା ଘୋଷଣା କରିଥିଲା। ସିଷ୍ଟର ଇନେହା ମେ ୨୭ ତାରିଖରେ ତାଙ୍କର ୧୧୭ତମ ଜୟନ୍ତୀ ପାଳନ କରିଥାନ୍ତେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.