ମହମ୍ମଦ ସିରାଜ୍‌ଙ୍କୁ ଝଟ୍‌କା, ଲର୍ଡସ ଟେଷ୍ଟରେ ବିଶୃଙ୍ଖଳା ପାଇଁ ଆଇସିସି ଲଗାଇଲା ଜରିମାନା

Published By : Prameya-News7 Bureau | July 14, 2025 IST

ମୁମ୍ବାଇ ୧୪।୦୭ : ମହମ୍ମଦ ସିରାଜ୍‌ଙ୍କ ଝଟ୍‌କା । ଇଂଲଣ୍ଡ ବ୍ୟାଟର ବେନ୍‌ ଡକେଟ୍‌ଙ୍କ ସହ କାନ୍ଧ ଧକ୍କା ଘଟଣାରେ ଦଣ୍ଡିତ କରିଛି ଅନ୍ତର୍ଜାତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ICC) । ଲର୍ଡସ ଟେଷ୍ଟରେ କ୍ରିକେଟ୍‌ ନିୟମର ଉଲ୍ଲଂଘନ ଅଭିଯୋଗରେ ମ୍ୟାଚ୍‌ ଫିସ୍‌ର ୧୫ ପ୍ରତିଶତ ଜରିମାନା ଲଗାଇଛି ଆଇସିସି । ଏହାସହିତ ସିରାଜଙ୍କୁ ଏକ ଡିମେରିଟ୍‌ ପଏଣ୍ଟ ମଧ୍ୟ ମିଳିଛି । 

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ୍‌ । ଯାହାର ତୃତୀୟ ମ୍ୟାଚ୍‌ ଲର୍ଡସ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି । ରବିବାର ଦିନ ମ୍ୟାଚ୍‌ରେ ୨ୟ ଇନିଂସ ବ୍ୟାଟିଂ କରୁଥିଲା ଇଂଲଣ୍ଡ ଦଳ । ଏହି ସମୟରେ କ୍ରିଜ୍‌ରେ ଉପସ୍ଥିତ ଥିଲେ ଦୁଇ ଓପନର ବେନ୍‌ ଡକେଟ୍‌ ଏବଂ ଜ୍ୟାକ୍‌ କ୍ରୋଲି । ୨ୟ ପାଳିର ୬ଷ୍ଠ ଓଭରରେ ବୋଲିଂ କରିବାକୁ ଆସିଥିଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ । ୬ଷ୍ଠ ଓଭରର ୫ମ ବଲ୍‌ରେ ମହମ୍ମଦ ସିରାଜ ନିଜର କୌଶଳ ବୋଲିଂ ଜରିଆରେ ବେନ୍‌ ଡକେଟ୍‌ଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଦେଇଥିଲେ । ବେନ୍‌ ଡକେଟ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରୁଥିଲେ । ଏହି ସମୟରେ ସିରାଜ ଡକେଟ୍‌ଙ୍କ ପାଖକୁ ଆସି କାନ୍ଧରେ ଧକ୍କା ମାରିଥିଲେ । ଯାହାର ଭିଡିଓ ଲାଇଭ୍‌ କ୍ୟାମେରାରେ ରେକର୍ଡ ହୋଇଥିଲା । ଏହି ଓଭର ପୂର୍ବରୁ ବେନ୍‌ ଡକେଟ୍‌ ଓ ସିରାଜଙ୍କ ମଧ୍ୟରେ ପଡ଼ିଆରେ କିଛି ବିବାଦ ହୋଇଥିବାର ଆଭାସ ମିଳିଥିଲା । 


ତେବେ ଲାଇଭ ମ୍ୟାଚ୍‌ରେ ଏପରି କରିଥିବାରୁ ଆକ୍ସନମୋଡ଼କୁ ଆସିଛି ଆଇସିସି । ତୁରନ୍ତ ବିବାଦର ଭିଡିଓ ଫୁଟେଜ୍‌କୁ ଯାଞ୍ଚ କରିଛି । ଯେଉଁଥିରେ ମହମ୍ମଦ ସିରାଜ ଦୋଷୀ ଥିବାର ପ୍ରମାଣ ମିଳିଛି। ଏହାପରେ ଆଇସିସିର ଆଚାର ସହିଂତା ଅନୁଚ୍ଛେଦ ୨.୫ ଉଲ୍ଲଘନ କରିଥିବା ଅଭିଯୋଗରେ ମହମ୍ମଦ ସିରାଜଙ୍କ ଉପରେ ୧୫ ପ୍ରତିଶତର ଜରିମାନା ଲଗାଇଛନ୍ତି । ଗତ ୨୪ ମାସ ମଧ୍ୟରେ ଆଇସିସି ନିୟମ ଉଲ୍ଲଂଘନ କରିଥିବାର ଏହା ୨ୟ ଘଟଣା । ଯେଉଁଥି ପାଇଁ ମହମ୍ମଦ ସିରାଜଙ୍କୁ ଜରିମାନା ସହିତ ଏକ ଡିମେରିଟ୍‌ ପଏଣ୍ଟ ମଧ୍ୟ ଦିଆଯାଇଛି ।

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.