ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା, ସମୀର କୁମାର ଦାସଙ୍କୁ ନିର୍ମମ ହତ୍ୟା

NEWS7
singer-usha-uthup-s-husband-jani-chacko-uthup-passed-away

ନୂଆଦିଲ୍ଲୀ: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି । ଫେନି ଜିଲ୍ଲାରେ ଇସଲାମ ମୌଳବାଦୀମାନେ ୨୮ ବର୍ଷୀୟ ସମୀର କୁମାର ଦାସଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କ ଅଟୋରିକ୍ସା ମଧ୍ୟ ଚୋରି କରି ନେଇଛନ୍ତି। ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ଦୁଇ ଦିନ ପୂର୍ବରୁ ସୁନାମଗଞ୍ଜ ଜିଲ୍ଲାରେ ଜଣେ ହିନ୍ଦୁ ଯୁବକଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ପରିବାର ଅଭିଯୋଗ କରିଛନ୍ତି ଯେ, ଜୟ ମହାପାତ୍ରଙ୍କୁ ଜଣେ ସ୍ଥାନୀୟ ବ୍ୟକ୍ତି ନିର୍ମମ ଭାବରେ ମାଡ଼ ମାରିଥିଲେ ଏବଂ ପରେ ବିଷ ଦେଇ ଦେଇଥିଲେ।

ଗତ ୨୫ ଦିନ ମଧ୍ୟରେ ବାଂଲାଦେଶରେ ଆଠ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯାଇଥିଲା। ମୈମନସିଂ ଜିଲ୍ଲାର ଭାଲୁକା ଅଞ୍ଚଳରେ ଇସଲାମ ମୌଳବାଦୀଙ୍କ ଏକ ଭିଡ଼ ତାଙ୍କୁ ପିଟି ପିଟି ହତ୍ୟା କରିଥିଲା। ପରେ ଗଛରେ ଟଙ୍ଗେଇ ନିଆଁ ଲଗାଇ ଦେଇଥିଲା । ଏହାର ୬ ଦିନ ପରେ ଡିସେମ୍ବର ୨୪ ତାରିଖରେ ଅମୃତ ମଣ୍ଡଳଙ୍କୁ ହତ୍ୟା କରାଯାଇଥିଲା। ଡିସେମ୍ବର ୧୨, ୨୦୨୫ ରେ ଇନକିଲାବ ମଞ୍ଚ ନେତା ସରିଫ ଓସମାନ ହାଦିଙ୍କୁ ଢାକାରେ ଗୁଳି କରାଯାଇଥିଲା ଏବଂ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି ।

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବାଂଲାଦେଶର ବିଭିନ୍ନ ସ୍ଥାନରୁ ହିନ୍ଦୁମାନଙ୍କ ବିରୁଦ୍ଧରେ ଆକ୍ରମଣ ଏବଂ ହତ୍ୟାର ଅନେକ ଘଟଣା ରିପୋର୍ଟ ହୋଇଛି। ଦୀପୁ ଚନ୍ଦ୍ର ଦାସ, ଅମୃତ ମଣ୍ଡଳ, ବଜେନ୍ଦ୍ର ବିଶ୍ୱାସ ଏବଂ ଖୋକନ ଚନ୍ଦ୍ର ଦାସଙ୍କ ହତ୍ୟା ସମ୍ପ୍ରଦାୟ ମଧ୍ୟରେ ଗଭୀର ଆତଙ୍କ ସୃଷ୍ଟି କରିଛି । ଜାନୁଆରୀ ୫ରେ, ଜେସୋର ଜିଲ୍ଲାରେ ବରଫ କାରଖାନା ମାଲିକ ରାଣା ପ୍ରତାପ ବୈରାଗୀଙ୍କୁ ହତ୍ୟା କରାଯାଇଥିଲା। ସେ ଦୈନିକ ବିଡି ଖବରର କାର୍ଯ୍ୟନିର୍ବାହୀ ସମ୍ପାଦକ ମଧ୍ୟ ଥିଲେ।

ସେହି ଦିନ ନରସିଙ୍ଗଡି ଜିଲ୍ଲାରେ ଦୋକାନୀ ଶରତ ମଣି ଚକ୍ରବର୍ତ୍ତୀଙ୍କୁ ହତ୍ୟା କରାଯାଇଥିଲା। ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ୟୁନିଟି କାଉନସିଲର ଏକ ବିବୃତ୍ତି ଦ୍ୱାରା ମଧ୍ୟ ଏହି ଘଟଣାଗୁଡ଼ିକୁ ସ୍ପଷ୍ଟ କରିଛନ୍ତି । ସଂଗଠନ ଅନୁଯାୟୀ, କେବଳ ଡିସେମ୍ବର ମାସରେ ସାମ୍ପ୍ରଦାୟିକ ହିଂସାର ଅତି କମରେ ୫୧ଟି ଘଟଣା ରିପୋର୍ଟ ହୋଇଛି। ଏଥିରେ ୧୦ଟି ହତ୍ୟା, ୨୩ଟି ଲୁଟପାଟ ଏବଂ ପୋଡ଼ାଜଳା ମାମଲା, ୧୦ଟି ଡକାୟତି ଏବଂ ଚୋରି ଘଟଣା, ମିଥ୍ୟା ଈଶ୍ୱର ନିନ୍ଦା ଅଭିଯୋଗରେ ଅଟକ ଏବଂ ନିର୍ଯାତନାର ୪ଟି ମାମଲା, ଗୋଟିଏ ବଳାତ୍କାର ଉଦ୍ୟମ ଘଟଣା ଏବଂ ତିନୋଟି ଆକ୍ରମଣ ମାମଲା ଅନ୍ତର୍ଭୁକ୍ତ।