ମୁନୀରଙ୍କ ସହ ବିଦେଶକୁ ଟଙ୍କା ମାଗିବାକୁ ଗଲେ ଲାଜରେ ମୁଣ୍ଡ ନଇଁ ଯାଏ, ନିଜେ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

NEWS7
singapore-bans-import-of-everest-fish-curry-spice-from-india

ଇସଲାମାବାଦ: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନର ଋଣ ଭାର ବୃଦ୍ଧି ପାଇବରେ ଲାଗିଛି । ବିଦେଶୀ ଋଣରେ ପାକିସ୍ତାନ ନିଜର ବିଦେଶୀ ମୁଦ୍ରା ଭଣ୍ଡାର ଭରୁଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ପାଖରୁ ବାରମ୍ବାର ଋଣ କରୁଛି ପାକିସ୍ତାନ । ଏହା ବ୍ୟତୀତ ବିଶ୍ବର ଅନ୍ୟ ଦେଶ ପାଖରୁ ହାତ ପାତୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଏବଂ ସେନା ମୁଖ୍ୟ । ବିଶେଷ କରି ଏହି ତାଲିକାରେ ଶୀର୍ଷରେ ରହିଛି ଚୀନ୍ । ପାକିସ୍ତାନର ମାଗିବା ପ୍ରକୃତି ତ ସମସ୍ତଙ୍କୁ ଜଣା, କିନ୍ତୁ ଏଥିପାଇଁ କେତେ ଯେ ଲୋକଲଜ୍ଜା ଏବଂ ଚାପର ସମ୍ମୁଖୀନ ହେବାକୁ ପଡ଼ୁଛି, ସେକଥା ନିଜେ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ।

ସରିଫ କହିଛନ୍ତି, ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ ମୁନୀରଙ୍କ ସହ ଅନେକ ଥର ବିଦେଶ ଯାତ୍ରା କରିଛୁ । ବିଭିନ୍ନ ଦେଶ ଆଗରେ ହାତ ପାତିଲା ବେଳେ ଲାଜରେ ମୁଣ୍ଡ ନଇଁଯାଏ । ଋଣ ନେବା ବେଳେ ଆମର ଆତ୍ମସମ୍ମାନ ବାଜିରେ ଲାଗିଯାଏ । ସେମାନେ ଆମ ଅନିଚ୍ଛା ସତ୍ବେ ଅନେକ କାମ କରିବାକୁ ବାଧ୍ୟ କରନ୍ତି । କିନ୍ତୁ ଆମେ ମନା କରିପାରିବୁ ନାହିଁ ।’ ସେ ଆହୁରି ମଧ୍ୟ କହିଛନ୍ତି, ଯଦିଓ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଦ୍ବିଗୁଣିତ ହୋଇଛି, କିନ୍ତୁ ଅଧାରୁ ଅଧିକ ଧନ ବିଦେଶରୁ ମିଳିଥିବା ଋଣ । ଯେତେବେଳେ ବି ଆମେ ଋଣ ମାଗିବାକୁ ଯାଉଛୁ, ଲାଜରେ ମୁଣ୍ଡ ନଇଁ ଯାଉଛି ବୋଲି ଶୁକ୍ରବାର ରାତିରେ ପାକିସ୍ତାନୀ ରପ୍ତାନିକାରୀଙ୍କୁ ସମ୍ବୋଧିତ କରି କହିଛନ୍ତି ଶାହବାଜ ସରିଫ ।

ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ସଂପର୍କରେ ସରିଫ କହିଛନ୍ତି ଯେ, ‘ବର୍ତ୍ତମାନର ସ୍ଥିତି ହେଉଛି ଦେଶର ଫରେନ୍ ରିଜର୍ଭ ଦ୍ବିଗୁଣିତ ହୋଇଛି । କିନ୍ତୁ ଏଥିରେ ବନ୍ଧୁ ଏବଂ ଅନ୍ୟ ରାଷ୍ଟ୍ରରୁ ମିଳିଥିବା ଋଣ ମଧ୍ୟ ଅନ୍ତର୍ଭୁକ୍ତ । ଆପଣମାନେ ଜାଣିଛନ୍ତି, ଯେବେ ଋଣ ମାଗିବାକୁ ଯିବେ ଲାଜରେ ମୁଣ୍ଡ ତଳକୁ ହୋଇଯାଏ ।’

ସେପଟେ ପାକିସ୍ତାନ ପୁଣି ଋଣ ଆଣିବା ଲାଗି ଆଇଏମଏଫ ସହ ଯୋଗାଯୋଗରେ ରହିଛି । ଦେଶରେ ସ୍ଥିରତା ଆଣିବାକୁ ଶାହବାଜ ସରକାର ବାରମ୍ବାର ଋଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଫିଲ୍ଡ ମାର୍ଶଲ ଅସିମ ମୁନୀର ଉଭୟ ଚଳିତ ମାସ ଆରମ୍ଭରେ ଡାଭୋସରେ ଥିଲେ । ସେଠାରେ ସେମାନେ ଗାଜା ପୁନଃନିର୍ମାଣ ତଦାରଖ କରିବା ପାଇଁ ଟ୍ରମ୍ପଙ୍କ ଦ୍ୱାରା ଗଠିତ ଶାନ୍ତି ବୋର୍ଡକୁ ସମର୍ଥନ କରୁଥିବା ଦଲିଲରେ ସ୍ୱାକ୍ଷର କରିଥିଲେ। ଏହାକୁ ଅଧିକ ସ୍ୱୀକୃତିପ୍ରାପ୍ତ ସଂସ୍ଥା କରିବା ପାଇଁ, ଟ୍ରମ୍ପ ଭାରତ ସମେତ ଅନେକ ଦେଶକୁ ସଦସ୍ୟ ଭାବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି।