ବିପକ୍ଷ ବିହୀନ ହେଲା ସିକ୍କିମ ବିଧାନସଭା, ଏସଡିଏଫର ଏକମାତ୍ର ବିଧାୟକ ଯୋଗଦେଲେ ଏସକେଏମରେ

Published By : Prameya-News7 Bureau | July 10, 2024 IST

ଗ୍ୟାଙ୍ଗଟକ ୧୦।୭: ସିକ୍କିମ ବିଧାନସଭାରେ ଏବେ ଆଉ ବିରୋଧୀ ଦଳ ନାହିଁ। ବିରୋଧୀ ଦଳ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ (ଏସଡିଏଫ)ର ଏକମାତ୍ର ବିଧାୟକ ତେନଜିଂଗ ନୋରବୁ ବୁଧବାର କ୍ଷମତାସୀନ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ)ରେ ସାମିଲ ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ ୧୯ ତାରିଖରେ ସିକ୍କିମ ବିଧାନସଭା ନିମନ୍ତେ ନିର୍ବାଚନ ହୋଇଥିଲା। ଜୁନ ୨ରେ ଘୋଷଣା ହୋଇଥିବା ଫଳାଫଳରେ ଏସକେଏମକୁ ୩୨ରୁ ୩୧ଟି ଆସନ ମିଳିଥିଲା।

ଏସଡିଏଫ ପ୍ରାର୍ଥୀ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ବିଧାନସଭାର ୩୨ଟି ଜାକ ଆସନ ଏବେ ଏସକେଏମ ହାତରେ। ମୁଖ୍ୟମନ୍ତ୍ରୀ ତମାଙ୍ଗ ତାଙ୍କ ଫେସବୁକରେ ଉଲ୍ଲେଖ କରିଛନ୍ତି ଯେ ମୋତେ ଆଜି ମୋ ସରକାରୀ ବାସଭବନ ମିଣ୍ଟୋକଗାଙ୍ଗରେ ୨୩-ସିୟାରୀ ବିଧାନସଭା ଆସନରେ ନିର୍ବଚିତ ବିଧାୟକ ତେନଜିଂ ନୋରବୁ ଲାମଥାଙ୍କୁ ଭେଟି ଖୁସି ଲାଗିଲା। ସେ ଏବେ ଅଧିକାରୀକ ଭାବେ ଆମର ଏସକେଏମ ପାର୍ଟିରେ ସାମିଲ ହୋଇଯାଇଛନ୍ତି। 

ଏସକେଏମରେ ସାମିଲ ହେବା ପରେ ନୋରବୁ କହିଛନ୍ତି ଯେ ମୋର ଘରବାହୁଡା ହୋଇଛି। ପୂର୍ବରୁ ମୁଁ ଏସକେଏମରେ ହିଁ ଥିଲି। ସେ କହିଛନ୍ତି ଯେ ମୁଁ ବିଧାନସଭାର ବିପକ୍ଷ ଆସନରେ ବସି ଦେଖିଲି ଓ ଭାବିଲି ଯେ ମୋତେ ମୋ ନିର୍ବାଚନମଣ୍ଡଳିର ବିକାଶ ନିମନ୍ତେ କଣ କରିବାକୁ ହେବ। ଏହା ପରେ ମୁଁ ସିୟାରୀ ଜନତାଙ୍କ ସହ କଥା ହେଲି। ଜନତାଙ୍କ ଇଛାରେ ହିଁ ମୁଁ ପୁଣି ଏସକେଏମରେ ଯୋଗ ଦେଇଛି। ସିୟାରୀର ବିକାଶ କିପରି ହେବ ଏହା ଏବେ ମୋ ପ୍ରାଥମିକତା ହେବ ବୋଲି ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.