ନୂଆଦିଲ୍ଲୀ: ଲଣ୍ଡନର ଓଭାଲରେ ଗୁରୁବାରଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ପିଚ୍ ବିବାଦ ବଢିବାରେ ଲାଗିଛି । ଜୁଲାଇ ୨୯ରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଓଭାଲ୍ ମୁଖ୍ୟ କ୍ୟୁରେଟର୍ ଲି ଫୋର୍ଟିସ୍ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏବେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ମଧ୍ୟ ଏହି ବିଷୟରେ ଚୋକଙ୍କ ସପକ୍ଷରେ ବାହାରି କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି, ଗମ୍ଭୀର ଏବଂ ଫୋର୍ଟିସ୍ ମଧ୍ୟରେ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ କ୍ୟୁରେଟର୍ ଟିମ୍ ଇଣ୍ଡିଆର ସହାୟକଙ୍କୁ ପିଚ୍ ଠାରୁ ୨.୫ ମିଟର ଦୂରରେ ରହିବା ପାଇଁ କହିଥିଲେ । ଗମ୍ଭୀର ଏହାକୁ କଡ଼ା ବିରୋଧ କରିଥିଲେ ।
ପଞ୍ଚମ ଟେଷ୍ଟ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଶୁଭମନ ଗିଲ୍ ଏହି ବିବାଦ ଉପରେ ମୁହଁ ଖୋଲିଥିଲେ । ସେ କହିଥିଲେ ଯେ ଭାରତୀୟ ଦଳକୁ ପିଚ୍ ଠାରୁ ୨.୫ ମିଟର ଦୂରରେ ରହିବା ପାଇଁ କେବେ କୌଣସି ନିର୍ଦ୍ଦେଶ ଦିଆଯାଇ ନଥିଲା । ଗିଲ୍ ପ୍ରଶ୍ନ ଉଠାଇ କହିଥିଲେ, 'ମୁଁ ଜାଣିନାହିଁ ଗତକାଲି ଏହି ହଙ୍ଗାମା କ'ଣ ଥିଲା । ଆମେ ଅନେକ ଦିନ ଧରି କ୍ରିକେଟ୍ ଖେଳୁଛୁ । ଆମେ ରବର ସ୍ପାଇକ୍ କିମ୍ବା ଖାଲି ପାଦରେ ପିଚ୍ ଦେଖିପାରିବା । ମୁଁ ବୁଝିପାରୁ ନାହିଁ ଯେ କ୍ୟୁରେଟର ଆମକୁ ଏପରି କରିବାରୁ କାହିଁକି ବାରଣ କରିଥିଲେ।' ଗିଲ୍ଙ୍କ ଏହି ବୟାନ ଏବେ କ୍ୟୁରେଟରଙ୍କ ଆଭିମୁଖ୍ୟକୁ ଉପରେ ପ୍ରଶ୍ନ ଉଠାଇଛି ।
ଇଂଲଣ୍ଡ ଖେଳାଳିମାନେ ପିଚ୍ରେ ସାଡୋ ପ୍ରାକ୍ଟିସ୍ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ବିବାଦ ଆହୁରି ବଡ଼ ହୋଇଛି । ଭାରତୀୟ ଦଳକୁ ପିଚ୍ ପାଖକୁ ଯିବାରୁ ମନା କରାଯାଇଥିବା ବେଳେ, ଆୟୋଜକ ଦଳର ଖେଳାଳିମାନେ ସେଠାରେ ଅଭ୍ୟାସ କରୁଥିବାର ଦେଖାଯାଇଥିଲା । ଅନ୍ୟପଟେ, ଇଂଲଣ୍ଡର ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍ ମଧ୍ୟ ପିଚ୍କୁ ଅତି ନିକଟରୁ ନୀରିକ୍ଷଣ କରୁଥିବା ନଜର ଆସିଥିଲେ ।ବ୍ରେଣ୍ଡନ୍ ମ୍ୟାକୁଲମ୍ଙ୍କୁ ପିଚ୍ ପାଖକୁ ଯିବାକୁ କିପରି ଅନୁମତି ଦିଆଗଲା, ତାହା ଉପରେ ମଧ୍ୟରେ ପ୍ରଶ୍ନ ଉଠିଥିଲା ।
ଓଭାଲର ପିଚ୍ ସବୁବେଳେ ଫାଷ୍ଟ ବୋଲରଙ୍କ ପାଇଁ ଲାଭ ଦାୟକ ହୋଇଥାଏ । ଏଠାରେ ଭଲ ବାଉନ୍ସ ମିଳେ । ଇଂଲଣ୍ଡ ସିରିଜ ଶେଷ ମ୍ୟାଚ୍ ପାଇଁ ଗ୍ରୀନ୍ ପିଚ୍ ପ୍ରସ୍ତୁତ କରିଛି । ଯେଉଁଥି ପାଇଁ ନିଜର ଚୂଡ଼ାନ୍ତ ଏକାଦଶରେ କୌଣସି ସ୍ପିନରଙ୍କୁ ସାମିଲ କରିନାହିଁ । କ୍ରିସ୍ ୱକ୍ସ, ଗସ୍ ଆଟକିନସନ୍, ଜେମି ଓଭରଟନ୍ ଏବଂ ଜୋଶ୍ ଟଙ୍ଗ୍ ଭଳି ଦ୍ରୁତ ବୋଲର ଏହି ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ।