ନୂଆଦିଲ୍ଲୀ: ଭାରତର ଅଧିନାୟକ ଶୁଭମନ ଗିଲ୍ ରବିବାର ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି। ସେ ବିଦେଶ ମାଟିରେ ଟେଷ୍ଟ ସିରିଜ୍ରେ ୭୦୦ରୁ ଅଧିକ ରନ କରିବାରେ ପ୍ରଥମ ଭାରତୀୟ ଅଧିନାୟକ ହେବାର ଉପଲବ୍ଧି ହାସଲ କରିଛନ୍ତି। ସେ ଏହି ସଫଳତା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ଚତୁର୍ଥ ମ୍ୟାଚ୍ରେ ହାସଲ କରିଥିଲେ। ୨୫ ବର୍ଷୀୟ ଗିଲ୍ ସେହି ସଫଳ କିମ୍ବଦନ୍ତୀ ଅଧିନାୟକଙ୍କ କ୍ଲବରେ ସାମିଲ ହୋଇଛନ୍ତି ଯେଉଁମାନେ ଗୋଟିଏ ଟେଷ୍ଟ ସିରିଜ୍ରେ ୭୦୦ରୁ ଅଧିକ ରନ କରିଥିଲେ। ଏହି ତାଲିକାରେ ସାର ଡନବ୍ରାଡମ୍ୟାନ(ଦୁଇ ଥର), ସାର ଗ୍ୟାରି ସୋବର୍ସ, ଗ୍ରେଗ ଚ୍ୟାପେଲ, ସୁନୀଲ ଗାଭାସ୍କର, ଡେଭିଡ ଓ୍ଵାର୍ଣ୍ଣର, ଗ୍ରାହାଗମ ଗୁଚ୍ ଓ ଗ୍ରେମ ସ୍ମିଥଙ୍କ ପରି ନାଁ ସାମିଲ।
ଗିଲ, ସୁନୀଲ ଗାଭାସ୍କର ଓ ଯଶସ୍ଵୀ ଜୟସ୍ଵାଲଙ୍କ ପରେ ଟେଷ୍ଟ ସିରିଜରେ ୭୦୦ ରନ ଅତିକ୍ରମ କରିବାରେ ତୃତୀୟ ଭାରତୀୟ ବ୍ୟାଟର ହୋଇ ପାରିଛନ୍ତି। ତାଙ୍କର ଏହି ସ୍ମରଣୀୟ ଇନିଂସ ସେହି ସମୟରେ ଆସିଛି ଯେତେବଳେ ଭାରତୀୟ ଦଳ ମୁସ୍କିଲ ସ୍ଥିତିରେ ଥିଲା। ଆଜବେଷ୍ଟନ ଟେଷ୍ଟରେ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ୨୬୯ ରନ କରିବା ପରେ ଗିଲ୍ ସିରିଜର ପ୍ରଥମ ୭ନିଂସରେ ୬୧୯ ରନ କରି ସାରିଥିଲେ।
Also read: ବୁମରାଙ୍କ ଟେଷ୍ଟ କ୍ୟାରିୟରର ସବୁଠୁ ଖରାପ ଦିନ...ମାଞ୍ଚେଷ୍ଟର ଟେଷ୍ଟକୁ କେବେ ଭୁଲି ପାରିବେନି
ତାଙ୍କୁ ବିରାଟ କୋହଲିଙ୍କ ୨୦୧୪ ଇଂଲଣ୍ଡ ଗସ୍ତରେ କରିଥିବା ୬୯୨ ରନ ଅତିକ୍ରମ କରିବା ପାଇଁ ୭୪ ରନ ଦରକାର ଥିଲା ଏବଂ ୭୦୦ ରନ ଛୁଇଁବା ପାଇଁ ୮୧ ରନ ଦରକାର ଥିଲା। ଭାରତ ୩୧୧ ରନରେ ପଛୁଆ ଥିବା ବେଳେ ଦଳ ପ୍ରଥମ ଓଭରରେ ହିଁ ୨ଟି ଓ୍ଵିକେଟ୍ ହରାଇଥିଲା। ଏହି ସମୟରେ ଗିଲ୍ ଓ କେଏଲ ରାହୁଲ ଚତୁର୍ଥ ଦିନର ପୂରା ଦୁଇଟି ସେସନ ବ୍ୟାଟିଂ କରି ଭାରତ ପାଇଁ ମ୍ୟାଚ୍ ଡ୍ର କରିବାର ଆଶା ସଞ୍ଚାର କରିଥିଲେ।
ଭାରତ ପାଇଁ ଟେଷ୍ଟ ସିରିଜ୍ରେ ୭୦୦ କିମ୍ବା ଅଧିକ ରନ କରିଥିବା ବ୍ୟାଟର
୭୭୪- ସୁନୀଲ ଗାଭାସ୍କର ବନାମ ଓ୍ଵେଷ୍ଟଇଣ୍ଡିଜ, ୧୯୭୧(ବିଦେଶ)
୭୩୨- ସୁନୀଲ ଗାଭାସ୍କର ବନାମ ଓ୍ଵେଷ୍ଟଇଣ୍ଡିଜ, ୧୯୭୮/୭୯(ଘରୋଇ)
୭୧୨- ଯଶସ୍ଵୀ ଜୟସ୍ଵାଲ ବନାମ ଇଂଲଣ୍ଡ, ୨୦୨୪(ଘରୋଇ)
୭୦୦ *- ଶୁଭମନ ଗିଲ୍ ବନାମ ଇଂଲଣ୍ଡ, ୨୦୨୫(ବିଦେଶ)
ଗିଲ୍ ଲିୟାମ ଡାସନଙ୍କ ବଲରେ ଚୌକା ମାରି କୋହଲିଙ୍କ ରେକର୍ଡ ଭାଙ୍ଗିଥିଲେ। ପୁଣି ବେନ ଷ୍ଟୋକ୍ସଙ୍କ ବଲରେ ୨ ରନ ଦେଇ ୭୦୦ ରନ ପୂରଣ କରିଥିଲେ। ଏହି ସିରିଜ୍ରେ ଗିଲ୍ ଚତୁର୍ଥ ଶତକୀୟ ଇନିଂସ ଖେଳିଛନ୍ତି। ଏହା ପୂର୍ବରୁ ସେ ୧୪୭ ରନ, ୧୬୧ ରନ ଓ ୨୬୯ ରନ କରିଥିଲେ। ତେବେ ପୂର୍ବର ଇନିଂସ ସହଜ ପରିସ୍ଥିତିରେ ଆସିଥିବା ବେଳେ ଏହି ପାଳି ବହୁତ କଠିନ ଏବଂ ମୁସ୍କିଲ ସ୍ଥିତିରେ ଆସିଛି।
ଏହି ଉପଲବ୍ଧି ସହିତ ଗିଲ୍ ଏ ପର୍ଯ୍ୟନ୍ତ ଭାରତୀୟ ବ୍ୟାଟରଙ୍କ ଦ୍ଵାରା କୌଣସି ଏକ ଟେଷ୍ଟ ସିରିଜ୍ରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟରଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଗାଭାସ୍କରଙ୍କ ୭୭୪ ଓ ୭୩୨ ରନ, ଜୟସ୍ଵାଲଙ୍କ ୭୧୨ ରନ ପରେ ଗିଲ୍ ୭୦୦* ରନ ରହିଛି। ଗିଲ୍ ପ୍ରଥମ ଭାରତୀୟ ଅଧିନାୟକ ଭାବେ ବିଦେଶ ମାଟିରେ ଟେଷ୍ଟ ସିରିଜ୍ରେ ୭୦୦ରୁ ଉର୍ଦ୍ଧ୍ଵ ରନ କରିଛନ୍ତି। ୨୫ ବର୍ଷ ବୟସରେ ଏହିପରି ଚାପ ସମୟରେ ପ୍ରଦର୍ଶନ କରିବା ଏବଂ ଦଳକୁ ସମ୍ଭାଳିବା ବାସ୍ତବରେ ବହୁତ ପ୍ରଶଂସନୀୟ।