ନୂଆଦିଲ୍ଲୀ ୨୫/୦୬: ଭାରତ ପାଇଁ ଆଜି ଗର୍ବ ଓ ଗୌରବର ଦିନ । ଆଉ କିଛି ସମୟ ପରେ ଉଡ଼ାଣ ଭରିବେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ନାଁକୁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିବେ ଭାରତର ସୁନାପୁଅ ଶୁଭାଂଶୁ । ଏକାଧିକ ଥର ବାତିଲ ପରେ ଆଜି ମଧ୍ୟାହ୍ନରେ ଉଡ଼ାଣ ଭରିବ ସ୍ପେଶ୍ ଏକ୍ସର ମିଶନ୍ ଆକ୍ସିଅମ୍ (ଏଏକ୍ସ-୪) ।
ଭାରତୀୟ ସମୟ ମଧ୍ୟାହ୍ନ ୧୨.୧ରେ ଆରମ୍ଭ ହେବ ଅଭିଯାନ । ଏନେଇ ନାସା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି। ସେପଟେ ପୁଅର ଏହି ମହାକାଶ ଅଭିଯାନ ଓ ସଫଳତାରେ ଖୁସି ହୋଇଛନ୍ତି ଭାରତର ଉତ୍ତରପ୍ରଦେଶରେ ରହୁଥିବା ଶୁଭାଂଶୁଙ୍କ ବାପାମାଆ । ଶୁଭାଂଶୁଙ୍କ ମାଆ ଆଶା ଶୁକ୍ଳା କହିଛନ୍ତି- ଏହା ଆମ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ପୁଅକୁ ଶୁଭେଚ୍ଛା ଜଣାଇ ସବୁଠି ପୋଷ୍ଟର ଲଗାହୋଇଛି ।
ସମସ୍ତେ ଖୁସି ଯେ ଦେଶର ତ୍ରିବେଣୀ ନଗରର ଜଣେ ପିଲା ଆଜି ମହାକାଶକୁ ଉଡାଣ ଭରିବାରୁ ଯାଉଛି । ଆମର ଶୁଭେଚ୍ଛା ଏବଂ ଆଶୀର୍ବାଦ ପୁଅ ପାଇଁ ରହିଛି । ତେବେ ପୁଅର ଏହି ସଫଳତା ପଛରେ ବୋହୂର ବଡ ହାତ ଥିବା କହିଛନ୍ତି ମାଆ । ସେ କହିଛନ୍ତି ବୋହୂ ବିନା ପୁଅର ଏ ଯାତ୍ରା ସମ୍ଭବ ହୋଇପାରିନଥାନ୍ତା ।
ବାପା କହିଛନ୍ତି- ପୁଅର ମିଶନ୍ ପ୍ରାୟ ଦିନ ୧୨ଟାରେ ଆରମ୍ଭ ହେବ । ଆମେ ତା ମିଶନର ଶୁଭାରମ୍ଭ ଦେଖିବାକୁ ବହୁତ ଉତ୍ସାହିତ। ଆମେ ବହୁତ ଖୁସି ବି ଅଛୁ । ଆମର ଆଶୀର୍ବାଦ ତା ସହିତ ଅଛି, ତା ମିଶନ୍ ଭଲରେ ସରୁ ଏଥିପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଛୁ ।