ନୂଆଦିଲ୍ଲୀ: ମହାକାଶରେ ୨୦ ଦିନ ଓ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ୧୮ ଦିନ ରହଣି ପରେ ପୃଥିବୀକୁ ଫେରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । କାଲିଫର୍ଣ୍ଣିଆର ଉପକୂଳରେ ଡ୍ରାଗନ୍ ସ୍ପେସ୍ କ୍ୟାପସୁଲ ସଫଳ ଅବତରଣ କରିଛି । ଶୁଭାଂଶୁ ଶୁକ୍ଲାଙ୍କ ଯାନ (ଗ୍ରେସ୍) ସୋମବାର ସଂଧ୍ୟା ପ୍ରାୟ ୪.୪୫ ମିନିଟରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଛାଡ଼ିଥିଲା । ପୃଥିବୀକୁ ଫେରିବାକୁ ତାଙ୍କୁ ପ୍ରାୟ ୨୨ ଘଣ୍ଟା ସମୟ ଲାଗିଥିଲା । ଶୁଭାଂଶୁ ଓ କ୍ରୁର ଅନ୍ୟ ସଦସ୍ୟଙ୍କ ସଫଳ ଅବତରଣ ପରେ ସବୁଠି ଖୁସିର ଲହରୀ ଖେଳିଯାଇଛି । ପୃଥିବୀକୁ ସଫଳ ପ୍ରତ୍ୟାବର୍ତ୍ତନ ପରେ ଶୁଭାଂଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ମହାକାଶଯାତ୍ରାକୁ ସେ ଐତିହାସିକ ବୋଲି କହିଛନ୍ତି ।
୧୪୦ କୋଟି ଭାରତୀୟଙ୍କ ଗର୍ବିତ କରିଥିବା ଶୁଭାଂଶୁ ଶୁକ୍ଲା ନିଜ ମିଶନକୁ ସଫଳତା ସହ ଶେଷ କରି ନିଜ ସାଥୀଙ୍କ ସହ ପୃଥିବୀକୁ ଫେରିଛନ୍ତି । ଶୁଭାଂଶୁ ଶୁକ୍ଲା ନିଜ ମିଶନରେ ମହାକାଶରେ ୧୮ ଦିନ ବିତାଇଥିଲେ । ଏହି ସମୟରେ ସେ ଅନେକ ଗବେଷଣା ମଧ୍ୟ କରିଥିଲେ । ଶୁଭାଂଶୁ ଶୁକ୍ଳା ତାଙ୍କର ଚାରି ଜଣ ମହାକାଶଚାରୀଙ୍କ ସହିତ ଜୁନ ୨୫ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୯ ରକେଟ୍ ଯୋଗେ ISS ଅଭିମୁଖେ ଯାତ୍ରା କରିଥିଲେ । ପୃଥିବୀରୁ ୨୮ ଘଣ୍ଟାର ଯାତ୍ରା ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିଲେ । ଏହଆ ନାସା ଓ ସ୍ପେସ୍ ଏକ୍ସର ମିଳିତ ମିଶନ ଥିଲା । ଏଥିରେ ଚାରି ଦେଶର ଚାରି ଜଣ ମହାକାଶଚାରୀଙ୍କୁ ସାମିଲ କରାଯାଇଥିଲା । ଆମେରିକା, ପୋଲାଣ୍ଡ, ହଙ୍ଗେରୀରେ ମହାକାଶଯାତ୍ରୀ ଏଥିରେ ସାମିଲ ଥିଲେ ।
ଶୁଭାଂଶୁଙ୍କ ସହ ତାଙ୍କ ଅନ୍ୟ ତିନି ସହଯାତ୍ରୀ ଜୁଲାଇ ୧୪ ସଂଧ୍ୟା ୪.୪୫ ମିନିଟରେ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଜୁଲାଇ ୧୫ ପ୍ରାୟ ୩.୩୦ ମିନିଟରେ ଶୁଭାଂଶୁଙ୍କ ଯାନ କାଲିଫର୍ଣ୍ଣିଆର ସମୁଦ୍ରରେ ସ୍ପ୍ଲେସଡାଉନ୍ ହୋଇଛି । ଏହାପରେ ସବୁ ମହାକାଶଯାତ୍ରୀଙ୍କୁ ସମୁଦ୍ରରୁ ବାହାର କରାଯାଇଛି ।
#WATCH | Group Captain Shubhanshu Shukla and Axiom-4 crew assisted out of the Dragon Spacecraft onto the recovery vehicle, after their return to the earth from the International Space Station 18 days later#AxiomMission4
— ANI (@ANI) July 15, 2025
(Video Source: Axiom Space/ YouTube) pic.twitter.com/f57N8K2qCa
Axiom-4 ମିଶନ୍
ଜୁନ୍ ୨୫ରେ Axiom-4 ମିଶନ୍ ଅନ୍ତର୍ଗତ SpaceX ଡ୍ରାଗନ୍ କ୍ୟାପସୁଲ୍ରେ NASAର କେନେଡି ସ୍ପେସ୍ ସେଣ୍ଟରରୁ Falcon-9 ରକେଟ୍ ମାଧ୍ୟମରେ ମହାକାଶ ଅଭିମୁଖେ ଉଡାଣ ଭରିଥିଲେ ଶୁଭାଂଶୁ । ୨୬ ଜୁନରେ Axiom-4 ISSରେ ଡକିଂ କରିଥିଲା । ଶୁଭାଂଶୁ ଏବଂ ତାଙ୍କ ସାଥୀ ମହାକାଶଚାରୀ ୧୪ ଦିନ ପାଇଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହିବାର ଯୋଜନା ଥିଲା । ତେବେ ମିଶନର ଅବଧି କିଛି ଦିନ ପାଇଁ ବୃଦ୍ଧି କରାଯାଇଥିଲା । ଆଇଏସଏସରେ ପହଞ୍ଚିବା ପରଠାରୁ ମହାକାଶଚାରୀମାନେ ପ୍ରାୟ ୭୬ ଲକ୍ଷ ମାଇଲ୍ ଦୂରତା ଅତିକ୍ରମ କରିଥିଲେ । ପ୍ରାୟ ୪୩୩ ଘଣ୍ଟା ବା ୧୮ ଦିନ ଧରି ପୃଥିବୀ ଚାରିପାଖରେ ୨୮୮ ଥର ପରିକ୍ରମା କରିଥିଲେ ।
ଏହି ସମୟ ମଧ୍ୟରେ, ଶୁଭାଂଶୁ ଏବଂ ତାଙ୍କ ଦଳ ୬୦ରୁ ଅଧିକ ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ । ଏଥିରେ ମାନବ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ମହାକାଶରେ କୃଷି ବିଜ୍ଞାନ, ମନସ୍ତାତ୍ତ୍ୱିକ ଅବସ୍ଥା ଏବଂ ସ୍ପେସ୍ ସୁଟ୍ ସାମଗ୍ରୀ ପର୍ଯ୍ୟନ୍ତ ପରୀକ୍ଷଣ ଅନ୍ତର୍ଭୁକ୍ତ ଥିଲା ।
ଭାରତର ମହାକାଶ ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ମିଶନ
ଶୁଭାଂଶୁଙ୍କ ଏହି ମିଶନ ଭାରତୀୟ ମହାକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୧୯୮୪ ପରେ ମହାକାଶକୁ ଯାଇଥିବା ଭାରତର ଦ୍ୱିତୀୟ ମହାକାଶଚାରୀ । ୪୧ ବର୍ଷ ପୂର୍ବେ ରାକେଶ ଶର୍ମା ୧୯୮୪ ମସିହାରେ ସୋଭିଏତ୍ ୟୁନିଅନ୍ ମହାକାଶଯାନରେ ମହାକାଶ ଯାତ୍ରା କରିଥିଲେ । ଶୁଭାଂଶୁଙ୍କ ଏହି ମିଶନ ପରେ ଭାରତ ଭବିଷ୍ୟତରେ ଏକ ବାଣିଜ୍ୟିକ ମହାକାଶ ଷ୍ଟେସନ୍ ସ୍ଥାପନ କରିପାରିବ । ଏହା ସହିତ ମହାକାଶରେ ନୂତନ ପ୍ରଯୁକ୍ତିବିଦ୍ୟାର ପରୀକ୍ଷଣ ଏବଂ ବିକାଶ ମଧ୍ୟ କରାଯାଇପାରିବ । ଏହି ମିଶନ ୨୦୨୭ରେ ଭାରତର ମାନବ ମହାକାଶଯାନ ଉତକ୍ଷେପଣ କରିବାରେ ସାହାଯ୍ୟ କରିବ ।