ମହାକାଶରେ ପହଞ୍ଚିବାରେ ୬୩୪ତମ ମହାକାଶଚାରୀ ହେଲେ ଶୁଭାଂଶୁ ଶୁକ୍ଲା, କହିଲେ-ଘର ପରି ଅନୁଭୁବ ହେଉଛି

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ: ଭାରତର ଶୁଭାଂଶୁ ଶୁକ୍ଳା ଗୁରୁବାର ମହାକାଶର ଐତିହାସିକ ଯାତ୍ରା ଶେଷ କରି ISSରେ ପ୍ରବେଶ କରିଥିବା ୬୩୪ତମ ମହାକାଶଚାରୀ ହୋଇଛନ୍ତି । ତାଙ୍କର ଏହି ଯାତ୍ରା ପ୍ରାୟ ୨୮ ଘଣ୍ଟା ଲମ୍ବା ଥିଲା । ଉଲ୍ଲେଖଯୋଗ୍ୟ, ଶୁଭାଂଶୁ ଶୁକ୍ଳାଙ୍କ ସହିତ ଆଉ ତିନି ଜଣ ମହାକାଶଚାରୀ - ପୋଲାଣ୍ଡର ସ୍ଲାଭୋଜ ଉଜ୍ଞାନସ୍କି-ୱିସନିୱସ୍କି ଏବଂ ହଙ୍ଗେରିର ଟିବୋର କାପୁ ମଧ୍ୟ ପ୍ରଥମ ଥର ପାଇଁ ମହାକାଶରେ ପହଞ୍ଚିଛନ୍ତି । ମହାକାଶ ଷ୍ଟେସନରେ ପହଞ୍ଚିବା ପରେ ମିଶନ କମାଣ୍ଡର ପେଗି ହ୍ୱିଟସନ୍ ଏବଂ 'ଏକ୍ସପିଡିସନ ୭୩'ର ସଦସ୍ୟମାନେ ତାଙ୍କୁ ଜୋରଦାର ସ୍ୱାଗତ ଜଣାଇଥିଲେ ।

ଶୁଭାଂଶୁ ଶୁକ୍ଲା ସ୍ୱାଗତ ବେଳେ କହିଥିଲେ, 'ମୁଁ ୬୩୪ତମ ମହାକାଶଚାରୀ । ଏଠାରେ ପହଞ୍ଚିବା ମୋ ପାଇଁ ଗର୍ବର ବିଷୟ । ଆପଣ ସମସ୍ତଙ୍କର ପ୍ରେମ ଏବଂ ଆଶୀର୍ବାଦରେ, ମୁଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଛି । ଠିଆ ହେବା ସହଜ ମନେହୁଏ, କିନ୍ତୁ ମୁଣ୍ଡ ଟିକେ ଭାରି ଲାଗୁଛି । ଯଦିଓ ଏଗୁଡ଼ିକ ଛୋଟ ସମସ୍ୟା, ଆମେ ଧୀରେ ଧୀରେ ଏଥିରେ ଅଭ୍ୟସ୍ତ ହୋଇଯିବୁ । ଏହା ଯାତ୍ରାର ପ୍ରଥମ ପଦକ୍ଷେପ।'

ଶୁଭାଂଶୁ ଶୁକ୍ଳା କହିଥିଲେ, ଆଗାମୀ ୧୪ ଦିନ ପାଇଁ ସେ ଏବଂ ତାଙ୍କ ସାଥୀ ବୈଜ୍ଞାନିକମାନେ ପରୀକ୍ଷଣ କରିବେ ଏବଂ ପୃଥିବୀର ଲୋକଙ୍କ ସହ ଯୋଗାଯୋଗ ମଧ୍ୟ କରିବେ । ଏହା ଭାରତର ମହାକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ମୁଁ ଆପଣମାନଙ୍କ ସହିତ ଯୋଡ଼ି ହୋଇ ରହିବି । ଏକାଠି ଆମେ ଏହି ଯାତ୍ରାକୁ ରୋମାଞ୍ଚକର କରିବୁ । ମୁଁ ତ୍ରିରଙ୍ଗା ଆଣିଛି ଏବଂ ଆପଣମାନଙ୍କୁ ମୋ ସହିତ ଆଣିଛି । ଆଗାମୀ ୧୪ ଦିନ ଅତ୍ୟନ୍ତ ଖାସ୍ ହେବ।'

ଶୁଭାଂଶୁ ମହାକାଶ ଷ୍ଟେସନ୍ ପର୍ଯ୍ୟନ୍ତ ଯାତ୍ରାକୁ ଏକ ସୁନ୍ଦର ଅଭିଜ୍ଞତା ବୋଲି କହିଥିଲେ । ସ୍ପେସ୍ ଷ୍ଟେସନରେ ମିଳିଥିବା ସ୍ୱାଗତ ପାଇଁ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ । ସେ କହିଥିଲେ, ମୁଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପାଦ ରଖିବା ପରେ ଅନ୍ୟ ସଦସ୍ୟଙ୍କୁ ଭେଟିଥିଲି । ସେମାନେ ମୋତେ ଏପରି ଅନୁଭବ କରାଇଲେ ଯେପରି ମୁଁ କାହାର ଘରକୁ ଆସିଛି । ସେମାନେ ମୋ ପାଇଁ ନିଜ ଦ୍ୱାର ଖୋଲି ଦେଇଛନ୍ତି । ଏହି ଅନୁଭୁତି ମୋର କଳ୍ପନା ଠାରୁ ବି ବହୁତ ଭଲ ଥିଲା । ଏହି ଦୃଶ୍ୟ ଅଦ୍ଭୂତ ଥିଲା, କିନ୍ତୁ ସବୁଠୁ ଉପରେ ଆପଣ ସମସ୍ତେ । ଶେଷରେ ସେ କହିଥିଲେ, ଆଗାମୀ ୧୪ ଦିନ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମୁଁ ଭରସା ରଖିଛି । ଆମେ ସମସ୍ତେ ମିଶି ଏହି ମିଶନକୁ ସଫଳ କରିବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.