ପ୍ରିୟାଂଶ-ଇଂଲିଶଙ୍କ ଅର୍ଦ୍ଧଶତକ, କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ; ମୁମ୍ୱାଇ ୭ ୱିକେଟରେ ପରାସ୍ତ

Published By : Prameya-News7 Bureau | May 26, 2025 IST

ଜୟପୁର: ଜୋଶ ଇଂଲିଶ ଏବଂ ପ୍ରିୟାଂଶ ଆର୍ଯ୍ୟଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ପରାସ୍ତ କରି କ୍ୱାଲିଫାୟର-୧ରେ ପ୍ରବେଶ କରିଛି ପଞ୍ଜାବ କିଙ୍ଗସ୍ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ମୁମ୍ୱାଇ ୧୮୫ ରନର ଟାର୍ଗେଟ ଦେଇଥିଲା, ଯାହାକୁ ପଞ୍ଜାବ ୧୮.୩ ଓଭରରେ ତିନି ୱିକେଟ ହରାଇ ୧୮୭ ରନ୍ ହାସଲ କରି ନେଇଛି । ଏହାସହ ପଏଣ୍ଟ ଟେବୁଲରେ ପଞ୍ଜାବ ଟପ୍-୨ରେ ନିଜର ସ୍ଥାନ ନିଶ୍ଚିତ କରିଛି । ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ଦଳ ଫାଇନାଲରେ ପହଞ୍ଚିବା ପାଇଁ ଅତିରିକ୍ତ ସୁଯୋଗ ପାଆନ୍ତି । ମୁମ୍ବାଇକୁ ଏବେ ଏଲିମିନେଟର ମ୍ୟାଚ୍ ଖେଳିବାକୁ ପଡିବ । ମୁମ୍ୱାଇ ୧୪ ମ୍ୟାଚ୍‌ରୁ ୧୬ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟ ଶେଷ କରିଛି । ପଞ୍ଜାବ ୧୪ଟି ମ୍ୟାଚ୍‌ରୁ ୧୯ ପଏଣ୍ଟ ସହିତ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି ।

ଲକ୍ଷ୍ୟ ହାସଲ ପାଇଁ ଓହ୍ଲାଇଥିବା ପଞ୍ଜାବର ଆରମ୍ଭ ଭଲ ନଥିଲା । ପଞ୍ଚମ ଓଭରରେ ପ୍ରଭସିମରନ ସିଂହ (୧୩)ଙ୍କୁ ଜଶପ୍ରିତ ବୁମରା ଆଉଟ୍ କରିଥିଲେ । ଏହା ପରେ ଜୋଶ ଇଂଲିସ୍ ଏବଂ ପ୍ରିୟାଂଶ ଆର୍ଯ୍ୟ ମୁମ୍ୱାଇ ବୋଲରଙ୍କୁ ପାଣି ପିଆଇଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୦୯ ରନ୍ ଯୋଡ଼ି ମୁମ୍ବାଇକୁ ବ୍ୟାକଫୁଟରେ ପକାଇଥିଲେ । ୩୫ଟି ବଲରେ ପ୍ରିୟାଂଶ ୬୨ ରନ୍ ଯୋଡିଥିଲେ । ଯୋଶ ଇଂଲିଶ ୭୩ ରନ୍ କରି ଆଉଟ୍ ହୋଇଥିଲେ । ପଞ୍ଜାବ ପାଇଁ ଅଧିନାୟକ ଶ୍ରେୟସ ଆୟର ବିଜୟର ଇନିଂସ ଖେଳିଥିଲେ । ସେ ୧୬ ବଲ୍‌ରେ ଅପରାଜିତ ୨୬ ରନ୍ କରିଥିଲେ । ମୁମ୍ୱାଇ ପକ୍ଷରୁ ମିସେଲ ସାଣ୍ଟନର ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ସାତ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା । ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଦଳ ସ୍ଥିର ଆରମ୍ଭ କରିଥିଲା । ପ୍ରଥମ ୱିକେଟ ପାଇଁ ରିଆନ୍ ରିକେଲଟନ ଏବଂ ରୋହିତ ଶର୍ମା ୪୫ ରନ୍ ଯୋଡିଥିଲେ । ରିକଲେଟନ୍ ୨୪ ରନ୍ କରିଥିଲେ । ରୋହିତ ୨୧ ବଲ୍‌ରେ ୨୪ ରନ୍ କରିଥିଲେ, ଯେଉଁଥିରେ ଦୁଇଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା । ୱିଲ୍ ଜ୍ୟାକ୍ସ ୮ ବଲରେ ୧୭ ରନ୍ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ବଲରେ ୨୬ ରନ୍ ଯୋଡ଼ିଥିଲେ । ନମନ ଧୀର ୧୨ଟି ବଲ୍‌ରେ ଦୁଇଟି ଛକା ସହାୟତାରେ ୨୦ ରନ୍ କରିଥିଲେ । ନମନ ଏବଂ ସୂର୍ଯ୍ୟ ଶେଷ ଓଭରରେ ନିଜ ୱିକେଟ ହରାଇଲେ । ସେପଟେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ, ବିଜୟକୁମାର ବୈଶାଖ ଏବଂ ମାର୍କୋ ଜାନସେନ୍ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ହରପ୍ରୀତ୍ ବ୍ରାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.