କଟ୍ଟୁପଲ୍ଲୀ ୧୪।୧୦: ଭାରତୀୟ ନୌସେନା ସ୍କ୍ୱାଡ୍ରନରେ ସୋମବାର ଏକ ନୂଆ ଜାହଜ ‘ସମର୍ଥ’ ସାମିଲ ହୋଇଛି। ଏ ନେଇ ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ କହିଛନ୍ତି ସମର୍ଥ ଏକ ବହୁ ଉଦ୍ଦେଶୀୟ ଜାହାଜ, ଏହା ସମୁଦ୍ରରେ ଭାରତର ଯୁଦ୍ଧ କ୍ଷମତାକୁ ବଢାଇବ। ସେ କହିଛନ୍ତି ଯେ କଟ୍ଟୁପଲ୍ଲୀ ଏଲ ଆଣ୍ଡ ଟି ସିପ ୟାର୍ଡରେ କମିଶନିଂ ପରେ ଏହାର ନାମ ‘ସମର୍ଥ’ ରଖାଯାଇଛି।
ସମର୍ଥ ଜାହଜ ୩୬୦୦ ଟନର। ଏହାର ଉପଯୋଗ ନୌସେନାର ଅଗ୍ରୀମ ପଙକ୍ତିରେ ବ୍ୟବହାର କରାଯାଉଥିବା ସ୍ୱଦେଶୀ ଅସ୍ତ୍ରଶସ୍ତ୍ର, ଉପକରଣ ଓ ସେନସର ଲାଗି କରାଯିବ । ଆଡମିରାଲ ତ୍ରିପାଠୀ କହିଛନ୍ତିଯେ ଯେ ଏହାର ଉପଯୋଗ ସମୁଦ୍ରପୃଷ୍ଠ ଓ ଉପ ପୃଷ୍ଠରେ ମଧ୍ୟ ହେବ। ଏହା ଛଡା ସମର୍ଥ ଜାହଜ ମାନବ ରହିତ ଓ ଚାଳକ ରହିତ ଜାହଜଙ୍କ ପାଇଁ ଏକ ମଦର ସିପ୍ ରୂପେ କାମ କରିବ । ଏଣୁ ଏହା ଏକ ବହୁ ଉଦ୍ଦେଶୀୟ ଉପଯୋଗୀ ଜାହାଜ ହେବ।
ସମୁଦ୍ରରେ ଜାହାଜ ଯାହା କରୁଛନ୍ତି ସମର୍ଥ ମଧ୍ୟ ତାହା କରିବ। ଏହା ଭାରତୀୟ ନୌସେନାର ଶସ୍ତ୍ରାଗରରେ ଏକ ବଡ଼ କ୍ଷମତା ବୃଦ୍ଧି। ନୌସେନା ମୁଖ୍ୟ କହିଛନ୍ତି ଯେ ସୁରକ୍ଷା କ୍ୟାବିନେଟ କମିଟି ୩୧ ପ୍ରିଡେଟର ଡ୍ରୋନକୁ ମଞ୍ଜୁରୀ ଦେଇଛି। ଏଥିରୁ ୧୬ଟିକୁ ଭୂମିରେ ଉପଯୋଗ କରାଯିବାକୁ ଥିବା ବେଳେ ୧୫ଟିର ନୌସେନାରେ ଉପଯୋଗ ହେବ। ଆଡମିରାଲ ତ୍ରିପାଠୀ କହିଛନ୍ତି ଯେ କିଛି ମାସ ପୂର୍ବରୁ ଆମେ ଏମଭି 'ରୁଏନ'କୁ ଧରିଥିଲୁ ଓ ଏଥିରୁ ୧୭ ଚାଳକ ଦଳ ସଦସ୍ୟଙ୍କୁ ଉଦ୍ଧାର କରିଥିଲୁ। ଏହା ଛଡା ୩୫ ଜଳ ଦସ୍ୟୁଙ୍କୁ ମଧ୍ୟ ଗିରଫ କରିଥିଲୁ। ଏହା କେବଳ ଡ୍ରୋନ ଯୋଗୁ ସମ୍ଭବ ହୋଇଥିଲା।
ପଟ୍ଟାରେ ମିଳିଥିବା ଡ୍ରୋନକୁ ଏହି ଜାହଜ ଉପରେ ନଜର ରଖିବାକୁ ଓ ଟ୍ରାକ୍ କରିବାକୁ ବ୍ୟାପକ ବ୍ୟବହାର କରାଯାଇଥିଲା। କେବଳ ଡ୍ରୋନ ଯୋଗୁ ଆମେ ସମୁଦ୍ର କୂଳର ୨୦୦୦ କିଲୋମିଟର ଦୂରରେ ଆମର ସୈନ୍ୟ କାର୍ଯ୍ୟାନୁଷ୍ଠାନ କରିପାରିଥିଲୁ। ଏହି ଅବସରରେ ଆଡମିରାଲ ତ୍ରିପାଠୀ କହିଛନ୍ତି ଯେ ଭାରତୀୟ ସିପୟାର୍ଡମାନଙ୍କରେ ଏବେ ୬୩ଟି ଜାହଜ ନିର୍ମାଣ କରାଯାଉଛି। ଏଥିରେ ଡିପିଏସୟୁ, ପିଏସୟୁ ଓ ଏଲ ଆଣ୍ଡ ଟି ଭଳି ଘରୋଇ ଉଦ୍ୟୋଗ ମଧ୍ୟ ସାମିଲ ଅଛନ୍ତି।