କୃଷକ ନେତା ଡଲ୍ଲେୱାଲଙ୍କ ଆମରଣ ଅନଶନକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | December 13, 2024 IST

ନୂଆଦିଲ୍ଲୀ ୧୩।୧୨: ସୁପ୍ରିମକୋର୍ଟ ଶୁକ୍ରବାର ପଞ୍ଜାବର କୃଷକ ନେତା ଜଗଜ୍ଜିତ ସିଂହ ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଉଦବେଗ ପ୍ରକାଶ କରିଛନ୍ତି। ଡଲ୍ଲେୱାଲ ଗତ ୧୭ ଦିନ ହେଲା ଖନୌରୀ ବର୍ଡରରେ ଆମରଣ ଅନଶନରେ ବସିଛନ୍ତି। ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କ ପୀଠ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କ ପ୍ରତିନିଧିଙ୍କୁ ତୁରନ୍ତ ଡଲ୍ଲେୱାଲଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। କହିଛନ୍ତି ତାଙ୍କୁ ଭେଟିବା ସହ ତୁରନ୍ତ ଚିକିତ୍ସକୀୟ ସହାୟତା ପ୍ରଦାନ କରନ୍ତୁ ଓ ତାଙ୍କୁ ଆମରଣ ଅନଶନରୁ ଓହରିବା ପାଇଁ ରାଜି କରାନ୍ତୁ। କାରଣ ଜୀବନ ବହୁତ ମୂଲ୍ୟବାନ। 

ପୀଠ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ପଞ୍ଜାବ ସରକାରଙ୍କ ମହାଧିବକ୍ତା ଗୁରମିନ୍ଦର ସିଂହଙ୍କୁ ସତର୍କ କରି କହିଛନ୍ତି ଯେ ଡଲ୍ଲେୱାଲଙ୍କ ଅନଶନ ସମାପ୍ତ କରିବା ପାଇଁ ତାଙ୍କ ବିରୋଧରେ ସେ ପର୍ଯ୍ୟନ୍ତ କୌଣସି ପ୍ରକାର ବଳ ପ୍ରୟୋଗ କରିବେନି ଯେଉଁ ପର୍ଯ୍ୟନ୍ତ ତାଙ୍କ ଜୀବନ ବଞ୍ଚାଇବା ଜରୁରି ନ ହୋଇଛି। ପୀଠ ମେହେଟ୍ଟା ଓ ସିଂହଙ୍କୁ କହିଛନ୍ତି ଯେ ଆପଣ ଉଭୟ ଏହି ପ୍ରସଙ୍ଗ ଉପରେ ତତ୍କାଳ ଧ୍ୟାନ ଦିଅନ୍ତୁ ଓ ସୁନିଶ୍ଚିତ କରନ୍ତୁ ଏହାର ସମାଧାନ ହେଉ। 

ପୀଠ ପରାମର୍ଶ ଦେଇଛନ୍ତି ଯେ ଯଦି ଆବଶ୍ୟକ ପଡେ ଡଲ୍ଲେୱାଲଙ୍କୁ ତତ୍କାଳ ଚିକିତ୍ସା ନିମନ୍ତେ ପିଜିଆଇ ଚଣ୍ଡିଗଡ଼ ଅଥବା ନିକଟବର୍ତ୍ତି ପଟିୟାଲା ସହରକୁ ସ୍ଥାନାନ୍ତର କରାଯାଇ ପାରେ। ପୀଠ ଆନ୍ଦୋଳନକାରୀ ଚାଷୀଙ୍କୁ ଗାନ୍ଧିବାଦୀ ଉପାୟରେ ବିରୋଧ ପ୍ରଦର୍ଶନ କରିବାକୁ ଓ ଅସ୍ଥାୟୀ ରୂପେ ଏହାକୁ ସ୍ଥଗିତ କରିବା ତଥା ରାଜମାର୍ଗରୁ ହଟିବାକୁ କହିଛନ୍ତି। ସେହିପରି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିଙ୍କୁ ଚାଷୀଙ୍କୁ ଭେଟିବା ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। 

ଡଲ୍ଲେୱାଲ ନଭେମ୍ବର ୨୬ ତାରିଖରୁ ଖନୌରୀ ବର୍ଡରରେ ଆମରଣ ଅନଶନରେ ବସିଛନ୍ତି ଯାହା ଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ଫସଲର ଏମଏସପି ଲାଗି ଆଇନଗତ ଗ୍ୟାରେଣ୍ଟି ସହିତ ଆନ୍ଦୋଳନକାରୀ ଚାଷୀଙ୍କ ଦାବି ପୂରଣ ନିମନ୍ତେ ଚାପ ପକାଯାଇ ପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.