କଂଗ୍ରେସ ସର୍ବଦା ସମ୍ବିଧାନ ବଦଳେ କ୍ଷମତାକୁ ବାଛିଚି, ସେମାନଙ୍କ ମୁହଁରେ ସମ୍ବିଧାନ ସୁରକ୍ଷା ଭଲ ଶୁଭାଯାଉନି: ରାଜନାଥ

Published By : Prameya-News7 Bureau | December 13, 2024 IST

ନୂଆଦିଲ୍ଲୀ ୧୩।୧୨: ଲୋକସଭାରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଉପରେ ଶୁକ୍ରବାର ଦୁଇ ଦିବସୀୟ ଚର୍ଚ୍ଚା ଆରମ୍ଭ ହୋଇଛି। ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ସଦନରେ ଏହି ଆଲୋଚନା ଆରମ୍ଭ କରିଥିବା ବେଳେ କଂଗ୍ରେସ ସମ୍ବିଧାନକୁ ନିଜର ଯୋଗଦାନ ରୂପେ ଉପସ୍ଥାପନା କରିବାକୁ ଉଦ୍ୟମ କରୁଥିବା କହିଛନ୍ତି। ତେବେ ଏଥିରେ ଅନେକ ନେତାଙ୍କ ଯୋଗଦାନକୁ କଂଗ୍ରେସ ଅଣଦେଖା କରିଥିଲା ବୋଲି କହିଛନ୍ତି। 

ରାଜନାଥ କହିଛନ୍ତି ଯେ କଂଗ୍ରେସ ସର୍ବଦା ସମ୍ବିଧାନ ସ୍ଥାନରେ କ୍ଷମତାକୁ ବାଛିଚି। ବିରୋଧୀ ଦଳ ସଂସ୍ଥାମାନଙ୍କ ସ୍ୱାୟତତାକୁ କେବେ ବରଦାସ୍ତ କରି ନାହାନ୍ତି ଓ ସମ୍ବିଧାନର ସାମ୍ବିଧାନିକ ସିଦ୍ଧାନ୍ତ ଓ ଭାବନାକୁ ନଷ୍ଟ କରିବାକୁ ଉଦ୍ୟମ କରିଥିବା କହିଛନ୍ତି। ରାଜନାଥ କହିଛନ୍ତି କଂଗ୍ରେସ ମୁହଁରେ ସମ୍ବିଧାନ ସୁରକ୍ଷାର କଥା ଆଦୌ ଶୋଭା ପାଉ ନାହିଁ। ଆଜିକାଲି ଦେଖୁଛି ବିରୋଧୀ ଦଳ ନେତାମାନେ ସମ୍ବିଧାନ ପୁସ୍ତିକାକୁ ସେମାନଙ୍କ ପକେଟରେ ଧରି ବୁଲୁଛନ୍ତି। ସେମାନେ ତାଙ୍କ ପରିବାରରେ ପିଢୀ ପରେ ପିଢୀ ଧରି ସମ୍ବିଧାନକୁ ପକେଟରେ ରଖିଥିବା ଦେଖିଛନ୍ତି। 

ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ସର୍ବଦା ସମ୍ବିଧାନ ଆଗରେ ନଇଁଛି ଓ ସେ କେବେବି ସଂସ୍ଥାମାନଙ୍କ ସ୍ୱାଧୀନତା ଓ ସ୍ୱାୟତତାକୁ ନେଇ ଖେଳି ନାହିଁ। ରାଜନାଥ କହିଛନ୍ତି ଯେ ଶାସନର ଦୀର୍ଘ ଦଶନ୍ଧୀରେ କଂଗ୍ରେସ ସମ୍ବିଧାନକୁ ଧିରେ ଧିରେ ବଦଳାଇବା ପାଇଁ ଦୁର୍ଭାବନାପୂର୍ଣ୍ଣ ଭାବନାରେ ଏଥିରେ ସଂଶୋଧନ କରିଛି। ଅନ୍ୟପଟେ ନରେନ୍ଦ୍ର ମୋଦି ସରକାର ନିଜର ମୌଳିକ ମୂଲ୍ୟଙ୍କୁ ମଜଭୁତ କରିବା ପାଇଁ ଓ ଲୋକଙ୍କ ସଶକ୍ତିକରଣ ନିମନ୍ତେ ସମ୍ବିଧାନ ସଂଶୋଧନ କରିଛି। 

ରାଜନାଥ କହିଛନ୍ତି ଯେ କଂଗ୍ରେସ ସର୍ବଦା ସମ୍ବିଧାନର ନିର୍ମାଣକୁ ‘ଅପହରଣ’ କରିବାକୁ ଉଦ୍ୟମ କରିଛି। ସେମାନେ ଜରୁରିକାଳୀନ ପରିସ୍ଥିତି ଜାରି କରିବା, ଅନେକ ରାଜ୍ୟରେ ସରକାର ବର୍ଖାସ୍ତ କରିବା ଓ ତତ୍କାଳୀନ ଇନ୍ଦିରା ଗାନ୍ଧି ସରକାର ବିରୋଧରେ ଛିଡା ହେବା ଲାଗି ସୁପ୍ରିମକୋର୍ଟ ବିଚାରପତିଙ୍କୁ ଅଣଦେଖା କରିବାର ଉଲ୍ଲେଖ କରି ପାର୍ଟି ଉପରେ ସମ୍ବିଧାନିକ ସିଦ୍ଧାନ୍ତ ଉଲ୍ଲଂଘନର ଅଭିଯୋଗ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.