ମହାରାଷ୍ଟ୍ର ନୂଆ ମନ୍ତ୍ରୀମଣ୍ଡଳର ଚିତ୍ର ଏବେ ସ୍ପଷ୍ଟ, ଶନିବାର ଶପଥଗ୍ରହଣ ଉତ୍ସବ, ଜାଣନ୍ତୁ ଅଜିତ ଓ ସିନ୍ଦେଙ୍କୁ ମିଳିଛି କେଉଁ ମନ୍ତ୍ରାଳୟ?

Published By : Prameya-News7 Bureau | December 13, 2024 IST

ମୁମ୍ବାଇ ୧୩।୧୨: ମହାରାଷ୍ଟ୍ରରେ ମହାଯୁତୀ ସରକାର ଗଠନ ପରେ ଏବେ ସମସ୍ତଙ୍କ ନଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଉପରେ ରହିଛି। ଦେବେନ୍ଦ୍ର ଫଡନବୀଶଙ୍କ ନେତୃତ୍ୱରେ ମହାଯୁତୀ ସରକାରରେ କ୍ଷମତା ବଣ୍ଟାକୁଣ୍ଟାକୁ ନେଇ ସହମତି ହୋଇଯାଇଛି। ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ମିଳୁଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ନୂଆ ମନ୍ତ୍ରୀମଣ୍ଡଳ ୧୪ ଡିସେମ୍ବର ଶନିବାର ଶପଥଗ୍ରହଣ କରିବ। ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଅଲଗା ଅଲଗା ଭେଟିଥିଲେ। ଏହା ପରେ ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଲାଗି ଡିସେମ୍ବର ୧୪କୁ ତାରିଖ ଘୋଷଣା ହୋଇଛି। 

ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୧୬ରୁ ଆରମ୍ଭ ହୋଇପାରେ। ଏଣୁ ଏହା ପୂର୍ବରୁ ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ଟି ଆସନ ରହିଛି। ଏଣୁ ସରକାରରେ ମୋଟ ୪୩ ଜଣ ମନ୍ତ୍ରୀ ସାମିଲ ହୋଇ ପାରନ୍ତି। ଏଥିରେ ପାର୍ଟି ଅନୁସାରେ ଦେଖିଲେ ବିଜେପିକୁ ସବୁଠୁ ଅଧିକ ୧୩୨ଟି ଆସନ ମିଳିଛି। ସିନ୍ଦେଙ୍କ ଶିବସେନାକୁ ୫୭ ଓ ଅଜିତଙ୍କ ଏନସିପିକୁ ୪୧ଟି ଆସନ ମିଳିଛି। ଏଥିରେ ଅଜିତ ଗୋଷ୍ଠୀ ବିଧାୟକଙ୍କ କହିବା କଥା ହେଲା ଅର୍ଥମନ୍ତ୍ରାଳୟ ନ ମିଳିଲେ ମହାଯୁତୀର ଅର୍ଥ ହିଁ କିଛି ନାହିଁ।  

ଦେବେନ୍ଦ୍ର ଫଡନବୀଶ ବୁଧବାର ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଥିଲେ। ଏହା ପରେ ସେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ସଭାପତି ଜେ.ପି.ନଡ୍ଡା ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଔପଚାରିକ ଭେଟ କରିଥିଲେ। ଏବେ ମନେ କରାଯାଉଛି ଫଡନବୀଶଙ୍କ ଦିଲ୍ଲୀ ଗସ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଥିଲା। ଏହା ପରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ପରେ ଅଜିତ ପାୱାର ଡିସେମ୍ବର ୧୪ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଘୋଷଣା କରିଛନ୍ତି। 

ମହାରାଷ୍ଟ୍ରରେ ମହାଯୁତୀ ମେଣ୍ଟ ମୋଟ ୨୮୮ଟି ଆସନରୁ ୨୩୦ଟି ଜିତିଛନ୍ତି। ପାର୍ଟିକୁ ମିଳିଥିବା ସିଟ୍ ହିସାବରେ ବିଜେପି ନିଜ ହାତରେ ୨୨ଟି ମନ୍ତ୍ରାଳୟ ରଖିପାରେ। ସେହିପରି ଅଜିତ ଗୋଷ୍ଠୀକୁ ୧୦ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ୧୧ଟି ମନ୍ତ୍ରାଳୟ ମିଳି ପାରେ। ତେବେ ମିଳୁଥିବା ସୂଚନା ଅନୁସାରେ ଡିସେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶପଥଗ୍ରହଣ କାର୍ଯ୍ୟକ୍ରମରେ ମାତ୍ର ୧୪-୧୫ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଯିବ। ଅନ୍ୟମାନଙ୍କୁ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରି କ୍ୟାବିନେଟରେ ସାମିଲ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.