ସିନ୍ଦେଙ୍କ ‘ଅପରେସନ ଟାଇଗର’ ବଢାଇଲା ଉଦ୍ଧବଙ୍କ ଚିନ୍ତା, ଦଳ ଛାଡିବେ ୬ସାଂସଦ!

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ ୭।୨:  ଉଦ୍ଧବ ଠାକରେଙ୍କୁ ଛାଡିବେ ତାଙ୍କର ୬ ସାଂସଦ! ଏକନାଥ ସିନ୍ଦେ ‘ଅପରେସନ ଟାଇଗର’ ଚଳାଇ ଉଦ୍ଧବଙ୍କ ସମସ୍ୟା ଜଟିଳ କରିଛନ୍ତି। ଉଦ୍ଧବଙ୍କ ୯ ରୁ ୬ ସାଂସଦଙ୍କୁ ସିନ୍ଦେ ନିଜ ପକ୍ଷରେ କରି ନେଇଛନ୍ତି, ସେମାନଙ୍କୁ ଖୁବ ଶୀଘ୍ର  ନିଜ ପାର୍ଟି ଶିବସେନାରେ ମିଶାଇ ନେବେ। ଏହି ଅପରେସନ ଟାଇଗରକୁ ସଫଳ କରିବା ପାଇଁ ଦୀର୍ଘ ସମୟରୁ ପର୍ଦ୍ଦା ପଛରେ ମିଟିଂ ଚାଲିଥିଲା। ସିନ୍ଦେଙ୍କ ଏହି ଅପରେସନକୁ ବିଜେପିର ମଧ୍ୟ ସମର୍ଥନ ମିଳୁଛି। ଖବରରୁ ଯାହା ଜଣାପଡୁଛି ଉଦ୍ଧବ ଗୋଷ୍ଠୀର ୬ ସାଂସଦ ସିନ୍ଦେଙ୍କ ସହିତ ଯିବାକୁ ରାଜି ହୋଇ ଯାଇଛନ୍ତି। 

ଏକନାଥ ସିନ୍ଦେ ୬ ସାଂସଦଙ୍କୁ ଉଦ୍ଧବଙ୍କୁ ଛାଡିବା ପାଇଁ ମନେଇ ନେଇଛନ୍ତି। ଯଦି ଏହି ସାଂସଦମାନେ ଉଦ୍ଧବଙ୍କୁ ଛାଡି ସିନ୍ଦେ ଗୋଷ୍ଠୀରେ ଯୋଗ ଦିଅନ୍ତି ତେବେ ଦଳବଦଳ ଆଇନ ଲାଗୁ ହେବ ନାହିଁ। କାରଣ ପାର୍ଟିର ଦୁଇତୃତୀୟାଂଶ ସାଂସଦ ଉଦ୍ଧବଙ୍କ ସାଥ ଛାଡୁଛନ୍ତି। ଏହା ବି କୁହାଯାଉଛି ଯେ ଉଦ୍ଧବ ଗୋଷ୍ଠୀର କେତେକ ବିଧାୟକ ମଧ୍ୟ ଏବେ ସିନ୍ଦେଙ୍କ ସମ୍ପର୍କରେ ଅଛନ୍ତି। ତେବେ ବିଧାୟକଙ୍କୁ ନେଇ ସିନ୍ଦେ ଏବେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। 


ଉଦ୍ଧବ ଠାକରେଙ୍କ ୬ ସାଂସଦ ସାଥ ଛାଡୁଥିବାରୁ ସିନ୍ଦେ ଗୋଷ୍ଠୀର ସାଂସଦ ଉଦ୍ଧବଙ୍କୁ ଟାର୍ଗେଟ କରିଛନ୍ତି। ଠାଣେ ସାଂସଦ ନରେଶ ମହହାସ୍କେ କହିଛନ୍ତି ଉଦ୍ଧବଙ୍କ ପାର୍ଟି ସମାପ୍ତ ହେବାକୁ ଯାଉଛି ଓ କିଛି ଦିନ ପରେ ତାଙ୍କ ପାର୍ଟିରେ କେବଳ ସଞ୍ଜୟ ରାଉତ ଓ ଉଦ୍ଧବ ଠାକରେ ହିଁ ଥିବେ ଆମ ସମସ୍ତେ ସେମାନଙ୍କୁ ଛାଡି ଯାଇସାରିଥିବେ। 


ଶିବସେନା ସିନ୍ଦେ ସାଂସଦ ମହାସ୍କେ କହିଛନ୍ତି ଯେ ସମ୍ପୂର୍ଣ୍ଣ ୟୁବିଟି  ସମାପ୍ତ ହୋଇଯିବ। ମହାରାଷ୍ଟ୍ରରେ ୟୁବିଟିର ବିଧାୟକ ଓ ପୂର୍ବତନ ବିଧାୟକମାନେ, କାଉନସିଲର ଓ ପଦାଧିକାରୀ ଏବେ ପାର୍ଟି ଛାଡୁଛନ୍ତି। ସେମାନେ ସମସ୍ତେ ଶିବସେନାରେ ଯୋଗ ଦେଉଛନ୍ତି। ସଞ୍ଜୟ ରାଉତ, ଆଦିତ୍ୟ ଠାକରେ ଓ ଉଦ୍ଧବ ଠାକରେଙ୍କୁ ଛାଡିଦେଲେ ସେମାନଙ୍କ ସହ ଆଉ କେହି ବି ନାହାନ୍ତି ବୋଲି ମହାସ୍କେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.