ପାକିସ୍ତାନ ପାଇଁ ଲୁହ ଗଡ଼ାଇଲା କଲମ୍ବିଆ, ଘରେ ପଶି ଉଚିତ୍‌ ଶିକ୍ଷା ଦେଲେ ଶଶି ଥରୁର

Published By : Prameya-News7 Bureau | May 30, 2025 IST

ନୂଆଦିଲ୍ଲୀ: ପାକିସ୍ତାନର ମୁଖାକୁ ବିଶ୍ୱରେ ପହଞ୍ଚାଇବା ପାଇଁ ତାର ଅଭିଯାନ ଜାରି ରଖିଛି ଭାରତ। ଏହି କ୍ରମରେ ଭାରତରୁ ପ୍ରତିନିଧିମଣ୍ଡଳୀ ପ୍ରମୁଖ ଦେଶକୁ ଗସ୍ତ କରୁଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ କଲମ୍ବିଆରେ ଅଛନ୍ତି। ଯେଉଁଠି ସେ କଲମ୍ବିଆକୁ ଦେଇଛନ୍ତି ଉଚିତ୍‌ ଶିକ୍ଷା। ପାକିସ୍ତାନର ଆଭିମୁଖ୍ୟକୁ ନେଇ କଲମ୍ବିଆ ସରକାରଙ୍କ ପ୍ରତିକ୍ରିୟା ଉପରେ ନିରାଶ ପ୍ରକାଶ କରିଛନ୍ତି କଂଗ୍ରେସ ସାଂସଦ। ଯିଏ ଆତଙ୍କବାଦର ପୀଡିତଙ୍କ ପ୍ରତି ସମବେଦନା ଜଣାଇବା ପରିବର୍ତ୍ତେ ଭାରତୀୟ ଆକ୍ରମଣ ଯୋଗୁଁ ପାକିସ୍ତାନରେ ଜୀବନ ଏବଂ ସମ୍ପତ୍ତି କ୍ଷତି ଉପରେ ଶୋକ ପ୍ରକାଶ କରିଛି।

ଥରୁର କହିଛନ୍ତି, 'ଆତଙ୍କବାଦର ପୀଡିତଙ୍କ ପ୍ରତି ସମବେଦନା ଜଣାଇବା ପରିବର୍ତ୍ତେ ଭାରତୀୟ ଆକ୍ରମଣ ପରେ ପାକିସ୍ତାନରେ ଜୀବନହାନି ଏବଂ ସମ୍ପତ୍ତି କ୍ଷତି ଉପରେ ଶୋକ ପ୍ରକାଶ କରିଥିବା କଲମ୍ବିଆ ସରକାରଙ୍କ ପ୍ରତିକ୍ରିୟାରେ ଆମେ ନିରାଶ। ଆମେ ଅନୁଭବ କରୁଛୁ ଯେ ଯେତେବେଳେ ଏହି ବିବୃତ୍ତି ଦିଆଯାଇଥିଲା, ହୁଏତ ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ବୁଝି ପାରିନଥିଲୁ। ଏହା ବୁଝିବା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ଏପରି ଏକ ଦେଶ ଯାହା ବିଶ୍ୱରେ ବିକାଶମୂଳକ ପ୍ରଗତି ପାଇଁ ପ୍ରକୃତରେ ଏକ ଶକ୍ତି ହୋଇଆସିଛି। ଆମେ ଅନ୍ୟ ସରକାରମାନେ ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳ ଏବଂ ସୁରକ୍ଷା ପ୍ରଦାନ କରୁଥିବା ଲୋକଙ୍କୁ ଏପରି କରିବା ବନ୍ଦ କରିବାକୁ କହିବେ। ଏହା ପ୍ରକୃତରେ ସହାୟକ ହେବ, ସୁରକ୍ଷା ପରିଷଦରେ ହେଉ କିମ୍ବା ବାହାରେ।'

ସେ କହିଥିଲେ, 'ଆମେ କଲମ୍ବିଆରେ ଆମର ବନ୍ଧୁମାନଙ୍କୁ କହିବୁ ଯେ ଆତଙ୍କବାଦୀ ପଠାଇବା ଏବଂ ସେମାନଙ୍କୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ କୌଣସି ସମାନତା ରହିପାରିବ ନାହିଁ। ଆକ୍ରମଣ କରୁଥିବା ଏବଂ ରକ୍ଷା କରୁଥିବା ଲୋକଙ୍କ ମଧ୍ୟରେ କୌଣସି ସମାନତା ରହିପାରିବ ନାହିଁ। ଆମେ କେବଳ ଆତ୍ମରକ୍ଷାର ଅଧିକାର ବ୍ୟବହାର କରୁଛୁ ଏବଂ ଯଦି ଏହି ପ୍ରସଙ୍ଗରେ କୌଣସି ଭୁଲ ବୁଝାମଣା ଅଛି, ତେବେ ଆମେ ଏପରି କୌଣସି ଭୁଲ ବୁଝାମଣା ଦୂର କରିବା ପାଇଁ ଏଠାରେ ଅଛୁ। 

ସେ ଆହୁରି କହିଛନ୍ତି ଯେ ପରିସ୍ଥିତି ବିଷୟରେ କଲମ୍ବିଆ ସହିତ ବିସ୍ତାରିତ ଭାବରେ କଥା ହୋଇ ଆମେ ବହୁତ ଖୁସି। ଯେପରି କଲମ୍ବିଆ ଅନେକ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି, ସେହିପରି ଆମେ ଭାରତରେ ମଧ୍ୟ ସମାନ ଅସୁବିଧା ଭୋଗିଛୁ। ପ୍ରାୟ ଚାରି ଦଶନ୍ଧି ଧରି ଆମେ ବହୁତ ବଡ଼ ସଂଖ୍ୟାରେ ଆକ୍ରମଣର ଶିକାର ହୋଇଛୁ।'

ଶଶି ଥରୁରଙ୍କ ନେତୃତ୍ୱରେ ପ୍ରତିନିଧିମଣ୍ଡଳରେ ସରଫରାଜ ଅହମ୍ମଦ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା), ଜିଏମ୍ ହରିଶ ବାଲାଯୋଗୀ (ତେଲୁଗୁ ଦେଶମ ପାର୍ଟି), ଶଶାଙ୍କ ମଣି ତ୍ରିପାଠି (ବିଜେପି), ଭୁବନେଶ୍ୱର କାଲିତା (ବିଜେପି), ମିଲିନ୍ଦ ଦେଓରା (ଶିବସେନା), ତେଜସ୍ୱୀ ସୂର୍ଯ୍ୟ (ବିଜେପି) ଏବଂ ଆମେରିକାରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସାନ୍ଧୁ ଅଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହିତ ଯୋଗାଯୋଗ କରିବା ପାଇଁ ଭାରତ ଯେଉଁ ୭ଟି ଦେଶ ଗସ୍ତ କରିବାକୁ ଦାୟିତ୍ୱ ଦେଇଛି, ଏହି ପ୍ରତିନିଧି ଦଳ ସେମାନଙ୍କ ମଧ୍ୟରୁ ଗୋଟିଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.