ନୂଆଦିଲ୍ଲୀ: ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଥିବା ଶଶି ଥରୁର ପୁଣି ଥରେ ପାର୍ଟି ଲାଇନ୍ ବାହାରେ ମତ ରଖିଛନ୍ତି । ଶଶି ଥରୁର ଦୁର୍ନୀତଗ୍ରସ୍ତ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ଜୋର୍ କରି ହଟାଇବା ସହ ଜଡ଼ିତ ପ୍ରସ୍ତାବିତ ବିଲ୍କୁ ସମର୍ଥନ କରିଛନ୍ତି । ଏନ୍ଡିଟିଭିକୁ ପ୍ରତିକ୍ରିୟା ଦେଇ ଥରୁର କହିଛନ୍ତି, ଯଦି ଆପଣ ୩୦ ଦିନ ଜେଲରେ ବିତାଇବେ, ତେବେ ଆପଣ ମନ୍ତ୍ରୀ ହୋଇ ରହିପାରିବେ ? ଏହା ସାଧାରଣ ଜ୍ଞାନର ବିଷୟ ଅଟେ...ମୋତେ ଏଥିରେ କିଛି ବି ଭୁଲ ଲାଗୁ ନାହିଁ ।
ଗୃହ ମନ୍ତ୍ରୀ ଅମିତ୍ ଶାହ ବୁଧବାର ସଂସଦରେ ୧୩୦ତମ ସମ୍ୱିଧାନ ସଂଶୋଧନ ବିଧେୟକ ୨୦୨୫ ଉପସ୍ଥାପନ କରିଥିଲେ । ବିରୋଧୀଙ୍କ ହଙ୍ଗାମା ଭିତରେ ବିଲକୁ ଜେପିସି ନିକଟକୁ ପଠାଯାଇଛି । ପ୍ରସ୍ତାବିତ ବିଲ୍ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଯାଏ, ଯଦି କୌଣସି ମନ୍ତ୍ରୀ ଗିରଫ ହେବା ପରେ ଲଗାତାର ୩୦ ଦିନରୁ ଅଧିକ ସମୟ ଯାଏ ନ୍ୟାୟିକ ହେପାଜତରେ ଜେଲରେ ରୁହନ୍ତି, ତେବେ ୩୧ତମ ଦିନରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ, ନଚେତ ବରଖାସ୍ତ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ଅମିତ୍ ଶାହଙ୍କ ସଂସଦରେ ଏହି ବିଲ୍ ଉପସ୍ଥାପନ କରିବା ବେଳେ ବିରୋଧୀ ଜୋରଦାର ହଙ୍ଗମା କରିଥିଲେ । ବିରୋଧୀ ଏହି ବିଲକୁ ଜୋରଦାର ବିରୋଧ କରିଥିଲେ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏହାକୁ ଏକଛତ୍ରବାଦ ଓ ଅସାମ୍ୱିଧାନିକ ବୋଲି କହିଥିଲେ । ସେ କହିଥିଲେ, କୌଣସି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ୩୦ ଦିନ ଜେଲରେ ରଖାଯାଏ ତେବେ, ବିନା ଦଣ୍ଡରେ ହିଁ ତାଙ୍କ ଚୌକି ଛଡ଼ାଇ ନିଆଯିବ । ଏହା ସାମ୍ୱିଧାନର ଉଲ୍ଲଂଘନ ଓ ଗଣତନ୍ତ୍ର ପାଇଁ କ୍ଷତିକାରୀ ।
ଅନ୍ୟପଟେ କଂଗ୍ରେସ ସହ ଅନେକ ପ୍ରସଙ୍ଗରେ ଭିନ୍ନ ମତ ରଖୁଥିବା ଶଶି ଥରୁର ପୁଣି ଥରେ ଦଳଠାରୁ ଭିନ୍ନ ମତ ରଖିଛନ୍ତି । ସେ କହିଛନ୍ତି, ଯଦି ଆପଣ ୩୦ ଦିନରେ ଜେଲରେ ରୁହନ୍ତି, ତେବେ କଣ ମନ୍ତ୍ରୀ ହୋଇ ରହିପାରିବେ ? ଏହା ତ ସାଧାରଣ ଜ୍ଞାନର କଥା । ଏଥିରେ ମୋତେ କିଛି ଭୁଲ ଲାଗୁ ନାହିଁ । ସେ ଏହା ବି କହିଥିଲେ ଯେ ଯଦି ବିଲକୁ ସଂସଦୀୟ ଚୟନ ସମିତିକୁ ପଠାଯାଏ ତେବେ ଏହା ଗଣତନ୍ତ୍ର ପାଇଁ ଭଲ ହେବ । ସେଠାରେ ଖୋଲା ଚର୍ଚ୍ଚା ହେବା ଦରକାର, ଫଳରେ ସବୁ ଦିଗ ଉପରେ ବିଚାର ହୋଇପାରିବ ।