ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଏଜବାଷ୍ଟନରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ପ୍ରଥମ ମ୍ୟାଚ୍ ଜିତି ଘରୋଇ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ତେଣୁ ଦ୍ଵିତୀୟ ମ୍ୟାଚ୍ ଭାରତୀୟ ଦଳ ପାଇଁ ଚ୍ୟାଲେଞ୍ଜିଂ ରହିବ। ଭାରତକୁ ଚୂଡ଼ାନ୍ତ ଏକାଦଶ ଚୟନରେ ପାରମ୍ପରିକ ଚିନ୍ତାଧାରାରୁ ହଟି ଦ୍ଵିତୀୟ ଟେଷ୍ଟ ପାଇଁ କଡ଼ା ନିଷ୍ପତ୍ତି ନେବାକୁ ପଡ଼ିବ। ବ୍ୟାଟିଂ ଉପଯୋଗୀ ପିଚ୍ ଉପରେ ଏମିତି ବୋଲରଙ୍କୁ ଚୟନ କରିବାକୁ ପଡ଼ିବ ଯିଏ ପୂରା ୨୦ ଓ୍ଵିକେଟ୍ ନେଇ ପାରୁଥିବେ।
ହେଣ୍ଡିଗ୍ଲେରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ଶେଷ ଦିନରେ ଇଂଲଣ୍ଡ ଯେବେ ୩୭୧ ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରି ନେଲା, ସେହି ସମୟରେ ଭାରତୀୟ ଦଳ ପ୍ରବନ୍ଧକ ସ୍ଵୀକାର କରିଥିଲେ ଯେ, ଦଳରେ କୁଲଦୀପ ଯାଦବଙ୍କ ଅନୁପସ୍ଥିତି ଅନୁଭୁତ ହୋଇଛି। ସହାୟକ କୋଚ୍ ରିୟାନ ଟେନ ଡୋଇଶେ କହିଛନ୍ତି ଯେ, ଭାରତ ପ୍ରବନ୍ଧକ ଦଳର ସଠିକ ସଂଯୋଜନ ପାଇଁ ଉଦ୍ୟମ କରୁଛନ୍ତି। ଯଦ୍ଵାରା ବ୍ୟାଟିଂର ଗଭୀରତା ଉପରେ ପ୍ରଭାବ ପଡ଼ିବ ନାହିଁ ଏବଂ ବୋଲର ଯେମିତି ୨୦ ଓ୍ଵିକେଟ୍ ଅକ୍ତିକାର କରି ପାରିବେ।
ଡୋଇଶେ କହିଛନ୍ତି, ରଣନୀତି ଭାବେ ଆମେ ପ୍ରତ୍ୟେକ ବୋଲରଙ୍କୁ ବ୍ୟକ୍ତିଗତ ଭାବେ ଦେଖୁଛୁ ଯେ ସେ ଓ୍ଵିକେଟ୍ ନେଇ ପାରିବେ କି ନାହିଁ। ଆମେ ଦଳରେ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା କରୁଛୁ। ସର୍ବଶ୍ରେଷ୍ଠ ଦଳ ସଂଯୋଜନକୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ଚାହୁଁଛୁ।
ଦଳକୁ ପୂରା ୨୦ ଓ୍ଵିକେଟ୍ ଦରକାର। ଇଂଲଣ୍ଡ ବି ସେହି ପ୍ରୟାସରେ ରହିବ ଏବଂ ଆମକୁ ସେ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଆଜବେଷ୍ଟନରେ ସ୍ପିନରଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ହେବାକୁ ଯାଉଛି। ଭାରତକୁ ଏହା ନିଷ୍ପତ୍ତି ନେବାକୁ ପଡ଼ିବ ଯେ ରବୀନ୍ଦ୍ର ଜାଡ଼େଜାଙ୍କୁ ସହାୟତା କରୁଥିବା ଓ୍ଵାଶିଂଟନ ସୁନ୍ଦର ନା ଓ୍ଵିକେଟ୍ ନେବାରେ ମାହିର କୁଲଦୀପ ଯାଦବଙ୍କୁ ସୁଯୋଗ ଦିଆଯିବ। ଏହା ନିଶ୍ଚିତ ଯେ ଭାରତ ଦୁଇ ସ୍ପିନର ସହ ମଇଦାନକୁ ଓହ୍ଲାଇବ।
ପ୍ରଥମ ଟେଷ୍ଟରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦ୍ରୁତ ବୋଲର ଅଲରାଉଣ୍ଡର ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ମାତ୍ର ୨ୟ ଟେଷ୍ଟରେ ବ୍ୟାଟିଂ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ।ଠାକୁର ପ୍ରଥମ ଟେଷ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପାରି ନ ଥିଲେ। ମାତ୍ର ଗୋଟିଏ ଟେଷ୍ଟ ପରେ ତାଙ୍କୁ ବାଦ୍ ଦେବା ଉଚିତ୍ ବି ହେବନି।
ଦ୍ଵିତୀୟ ଟେଷ୍ଟ ଯଶପ୍ରୀତ ବୁମରାଙ୍କ ଖେଳିବା ନେଇ ସନ୍ଦେହ ରହିଛି। ଯଦି ସେ ଦ୍ଵିତୀୟ ଟେଷ୍ଟ ନ ଖେଳନ୍ତି ତେବେ ଦ୍ରୁତ ବୋଲିଂର ଦାୟିତ୍ଵ ମହମ୍ମଦ ସିରାଜ, ଆକାଶ ଦୀପ ଓ ପ୍ରସିଦ୍ଧ କୃଷ୍ଣା ସମ୍ଭାଳିବେ। ବୁମରା ନ ଖେଳିଲେ ଏହି ତିନି ବୋଲରଙ୍କୁ ଅତିରିକ୍ତ ଦାୟିତ୍ଵ ନେବାକୁ ପଡ଼ିବ।
ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଭାରତ ନିମ୍ନ କ୍ରମର ବ୍ୟାଟର କୌଣସି ଯୋଗଦାନ ଦେଇ ନ ଥିଲେ। ଏଥିରେ ଦଳକୁ ସୁଧାର କରିବାର ଆବଶ୍ୟକତା ରହିଛି। ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା କେଏଲ ରାହୁଲ, ଯଶସ୍ଵୀ ଜୟସ୍ଵାଲ, ଋଷଭ ପନ୍ତ ଓ ଅଧିନାୟକ ଶୁଭମନ ଗିଲ୍ଙ୍କୁ ଏହି ଲୟ ବଜାୟ ରଖିବାକୁ ପଡ଼ିବ।. ସାଇ ସୁଦର୍ଶନ ଓ କରୁଣ ନାୟରଙ୍କୁ ଖରାପ ଆରମ୍ଭ ପରେ ବି ଆଉ ଏକ ସୁଯୋଗ ମିଳିପାରେ।
୨ୟ ଟେଷ୍ଟ ପାଇଁ ଭାରତୀୟ ଦଳର ସମ୍ଭାବିତ ଏକାଦଶ
ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ, କରୁଣ ନାୟର, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର/ନୀତିଶ ରେଡ୍ଡୀ, ଓ୍ଵାଶିଂଟନ ସୁନ୍ଦର/କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ/ଆକାଶ ଦୀପ।