ଆଉ ଏକ ଆମେରିକୀୟ କମ୍ପାନୀରେ ଭାରତୀୟଙ୍କ ପ୍ରଭାବ: P&Gର ସିଇଓ ହେଲେ ଶୈଳେଶ ଜେଜୁରିକର

Published By : Prameya-News7 Bureau | July 29, 2025 IST

indiatoday

ନୂଆଦିଲ୍ଲୀ: ପୁଣି ଏକ ଆମେରିକୀୟ କମ୍ପାନୀର ସିଇଓ ହେଲେ ଭାରତୀୟ। ଆମେରିକୀୟ ମଲ୍ଟି ନ୍ୟାସନାଲ କଞ୍ଜ୍ୟୁମର ଗୁଡ୍ସ କମ୍ପାନୀ ପ୍ରୋକ୍ଟର୍ ଆଣ୍ଡ୍ ଗ୍ୟାମ୍ବଲ୍ ପ୍ରଥମ ଥର ପାଇଁ ଜଣେ ଭାରତୀୟଙ୍କୁ କମ୍ପାନୀର ସିଇଓ ଭାବେ ନିଯୁକ୍ତି ଦେଇଛି। ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। 

କମ୍ପାନୀ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଶୈଳେଶ ଜେଜୁରିକର ୧ ଜାନୁଆରୀ ୨୦୨୬ରୁ କମ୍ପାନୀର ନୂଆ ସିଇଓ ହେବେ। ସେ ଜନ୍ ମୋଲରଙ୍କ ସ୍ଥାନ ନେବେ। ଅନ୍ୟପଟେ ମୋଲର ସେହି ଦିନଠାରୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। 

ଶୈଳେଶଙ୍କ ନିଯୁକ୍ତିକୁ ଐତିହାସିକ ବୋଲି କୁହାଯାଉଛି। କାଣ P&G କମ୍ପାନୀ ୧୮୭ ବର୍ଷର ପୁରୁଣା ଲୋକପ୍ରିୟ କମ୍ପାନୀ। ପ୍ରଥମ ଥର ଏହି କମ୍ପାନୀ ଜଣେ ଭାରତୀୟ ଏହି ଶୀର୍ଷ ପଦବୀରେ ନିଯୁକ୍ତି ଦେଇଛି।

ଶୈଳେଶଙ୍କ ଯାତ୍ରା ଥିଲା ଏମିତି...

ଶୈଳେଶ ଜେଜୁରିକର ୧୯୮୯ ମସିହାରେ P&G ରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୪ ମସିହାରୁ, ସେ କମ୍ପାନୀର ଗ୍ଲୋବାଲ ଲିଡର୍ସିପ୍‌ ଟିମ୍‌ର ସ୍ଥାନ ପାଇଛନ୍ତି। ସାରା ବିଶ୍ୱରେ ଫେବ୍ରିକ୍ କେୟାର, ହୋମ କେୟାର, ଏବଂ ସପ୍ଲାଏ ଚେନ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ୟୁନିଟ୍ ପରିଚାଳନା କରିଛନ୍ତି। 

ଉତ୍ତର ଆମେରିକା, ୟୁରୋପ, ଏସିଆ ଏବଂ ଲାଟିନ୍ ଆମେରିକାରେ କମ୍ପାନୀର ରଣନୈତିକ ବିସ୍ତାରରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆଇଆଇଏମ୍ ଲକ୍ଷ୍ନୌରେ ଅଧ୍ୟୟନ କରିଥିବା ଶୈଳେଶ P&Gରେ ଅନେକ ନୂଆ ଯୋଜନା ଏବଂ କାର୍ଯ୍ୟକ୍ଷମ ମଡେଲ୍ ଆରମ୍ଭ କରିଛନ୍ତି ଯାହା କମ୍ପାନୀକୁ ଅନେକ ସଫଳତା ଦେଇଛି। 

ମଜା କଥା ହେଉଛି, ଶୈଳେଶ ଜେଜୁରିକରଙ୍କ ଭାଇ ରାଜେଶ ଜେଜୁରିକର ମଧ୍ୟ ସିଇଓ ଅଛନ୍ତି। ସେ ଭାରତର ବଡ଼ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ (ଅଟୋ ଏବଂ କୃଷି କ୍ଷେତ୍ର) ଦାୟିତ୍ୱ ତୁଲାଉଛନ୍ତି। ରାଜେଶ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସହିତ ଗ୍ରୁପର ଅନ୍ୟାନ୍ୟ କମ୍ପାନୀର ବୋର୍ଡରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।

ଭାରତରେ ବି ଲୋକପ୍ରିୟ P&G କମ୍ପାନୀ

ଆମେରିକାର ଏହି କମ୍ପାନୀ ପି ଆଣ୍ଡ ଜି ଭାରତରେ ଅନେକ ଲୋକପ୍ରିୟ ସାମଗ୍ରୀର ପ୍ରଡକ୍ସନ କରିଛି। କମ୍ପାନୀ ଟାଇଡ୍, ପାମ୍ପର୍ସ, ଏରିଏଲ୍, ହେଡ୍ ଆଣ୍ଡ୍ ସୋଲ୍ଡର୍ସ, ଜିଲେଟ୍, ଓଲେ, ହ୍ୱିସପର୍ ଏବଂ ଭିକ୍ସ ଭଳି ଲୋକପ୍ରିୟ ଉତ୍ପାଦ ଭାରତୟୀ ବଜାରକୁ ଛାଡ଼ିଛି। ୩୧ ଡିସେମ୍ବର ୨୦୨୪ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନୀର ବିଶ୍ୱସ୍ତରୀୟ ନିଟ୍ ବିକ୍ରୟ ୨% ବୃଦ୍ଧି ପାଇ ୮୪ ବିଲିୟନ ଡଲାରରେ ପହଞ୍ଚିଛି। ପି ଆଣ୍ଡ ଜି ତିନୋଟି ପ୍ରମୁଖ ସଂଗଠନ ମାଧ୍ୟମରେ ଭାରତରେ ଏହାର ବ୍ୟବସାୟ ପରିଚାଳନା କରେ ଏବଂ ଦେଶର ପ୍ରତ୍ୟେକ କୋଣରେ ଏହାର ପ୍ରଭାବ ରହିଛି। ପି ଆଣ୍ଡ ଜି ବିଶ୍ୱର ୭୦ ରୁ ଅଧିକ ଦେଶରେ କାର୍ଯ୍ୟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.