LIVE TV

ଚାଲୁ ଚାଲୁ ଝୁକିପଡିଲା ମୁମ୍ବାଇ ମନୋରେଲ ବଗି, ଯୋଗକୁ ଟ୍ରେନରେ ନଥିଲେ ଯାତ୍ରୀ

NEWS7
shahrukh-kiara-diljit-to-debut-show-off-their-talent

ମୁମ୍ବାଇ ୫।୧୧: ବଡାଲା-ଜେଟିବିନଗର ଷ୍ଟେସନ ନିକଟରେ ବୁଧବାର ଟ୍ରାୟଲ କାଳରେ ଏକ ମନୋରେଲ ଟ୍ରେନ ଅଚାନକ ଗୋଟିଏ ପଟକୁ ଝୁକି ପଡିଛି। ଘଟଣା ପରେ ପରେ ମୁମ୍ବାଇ ଦମକଳ ବିଭାଗ ଓ ମହାମୁମ୍ବାଇ ମେଟ୍ରୋ ଅପରେସନ କର୍ପୋରେସନ ଲିମିଟେଡ (ଏମଏମଏମଓସିଏଲ) ବୈଷୟିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ତେବେ ଆଶ୍ୱସ୍ତିର କଥା ହେଉଛି ମନୋରେଲର ଟ୍ରାୟଲ ରନ ହେଉଥିଲା ଓ ସେତେବେଳେ ସେଥିରେ ଯାତ୍ରୀ ନଥିଲେ।

ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ତୀବ୍ର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଟ୍ରେନଟି ସାମାନ୍ୟ ଅଣେଇ ହୋଇପଡିଥିବାର ଦେଖାଯାଉଛି। ମୁମ୍ବାଇ ଦମକଳ ବିଭାଗର ଜନୈକ ଅଧିକାରୀଙ୍କ ଅନୁସାରେ ଦୁର୍ଘଟଣା ପରେ ପରେ ଟ୍ରେନରେ ଫଶି ରହିଥିବା ଚାଳକ ଦଳର ଦୁଇ ସଦସ୍ୟଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଛି। ତେବେ ଏପରି ଦୁର୍ଘଟଣା ସିଗ୍ନାଲିଂ ସିଷ୍ଟମ ପରୀକ୍ଷଣ କାଳରେ ହୋଇଥିବା ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି।

ତେବେ ଏମଏମଏମଓସିଏଲ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏହି ଘଟଣା ସିଷ୍ଟମ ଅପଗ୍ରେଡେସନ ଅଂଶ ସ୍ୱରୂପ ଚଳାଯାଇଥିବା ଆଡଭାନ୍ସ ସିଷ୍ଟମ ଟ୍ରାୟଲ କାଳରେ ହୋଇଛି। ଏହି ଟ୍ରାୟଲରେ ନୂଆ ସିଗ୍ନାଲିଂ ଟେକନିକ୍ ସିବିଟିସିର ଯାଞ୍ଚ କରାଯାଉଥିଲା। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏହି ପରୀକ୍ଷଣ ସମ୍ପୂର୍ଣ୍ଣ ସୁରକ୍ଷିତ ବାତାବରଣ ଓ କଡ଼ା ସୁରକ୍ଷା ପ୍ରୋଟକଲରେ କରାଯାଉଛି, ଯାହାର ଉଦ୍ଦେଶ୍ୟ ହେଉଛି ଅତ୍ୟଧିକ ପରିସ୍ଥିତିର ଅନୁକରଣରେ ସିଷ୍ଟମର ମଜଭୁତି ଓ ସ୍ଥିରତା ମୂଲ୍ୟାଙ୍କନ କରିବା।

ଏହି ଦୁର୍ଘଟଣା କାଳରେ ଟ୍ରେନରେ କେବଳ ୨ ଜଣ ଟେକ୍ନିକାଲ କର୍ମଚାରୀ ଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଅପରେଟର ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ମୁମ୍ବାଇ ମନୋରେଲ ଯାତ୍ରୀ ସେବା ସେପ୍ଟେମ୍ବର ୨୦ ତାରିଖରୁ ଅସ୍ଥାୟୀ ରୂପେ ନିଲମ୍ବନ କରାଯାଇଛି। ଲଗାତାର ହେଉଥିବା ବୈଷୟିକ ତ୍ରୁଟି ଓ ପ୍ରଣାଳୀର ଉନ୍ନୟନ କାର୍ଯ୍ୟ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଗତ ଅଗଷ୍ଟ ୨୦ ଓ ସେପ୍ଟେମ୍ବର ୧୫ ତାରିଖରେ ବୈଷୟିକ ତ୍ରୁଟି ଯୋଗୁ ଶତାଧିକ ଯାତ୍ରୀ ଅଲଗା ଅଲଗା ସ୍ଥାନରେ ଦୁଇଟି ମନୋରେଲରେ ଫଶି ରହିଯାଇଥିଲେ।

ଅଗଷ୍ଟ ୨୦ ତାରିଖ ଦିନ ଭୀଷଣ ବର୍ଷା ଯୋଗୁ ଚେମ୍ବୁର ଓ ଭକ୍ତିପାର୍କ ଷ୍ଟେସନ ମଧ୍ୟରେ ମନୋରେଲ ଖରାପ ହୋଇଯାଇଥିଲା। ଫଳରେ ୫୦୦ରୁ ଅଧିକ ଯାତ୍ରୀ ଟ୍ରେନରେ ଫଶି ରହିଥିଲେ। ସେହିପରି ସେପ୍ଟେମ୍ବର ୧୫ ତାରିଖରେ ଏକ ଅନ୍ୟ ମନୋରେଲ ଟ୍ରେନରେ ସଫ୍ଟୱେର ଖରାପ ହେବା ଯୋଗୁ ବଡାଲା ଷ୍ଟେସନ ନିକଟରେ ୧୭ ଜଣ ଯାତ୍ରୀଙ୍କୁ ଜରୁରିକାଳୀନ ନିଷ୍କାସନ କରିବାକୁ ପଡିଥିଲା। ସେଦିନ ଦୁଇଘଣ୍ଟାରୁ ଅଧିକ କାଳ ଧରି ମନୋରେଲ ସେବା ବାଧିତ ରହିଥିଲା।