LIVE TV

ଆନ୍ଧ୍ର ପ୍ରଦେଶରେ ତିଆରି ହେବ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ହବ୍, ଏହି କମ୍ପାନି କରିବାକୁ ଯାଉଛି ବଡ଼ ନିବେଶ

NEWS7
shahrukh-khan-convince-deepika-padukone-for-mothers-role

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ତିଆରି ହେବ ଭାରତର ପ୍ରଥମ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ହବ୍। ଏଥିପାଇଁ ଆନ୍ଧ୍ର ସରକାର ସରଲା ଆଭିଏସନ ସହ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ରାଜ୍ୟରେ eVTOL (ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍-ଅଫ୍ ଏବଂ ଲ୍ୟାଣ୍ଡିଂ) ଉତ୍ପାଦନ କାରଖାନା ପ୍ରତିଷ୍ଠା କରାଯିବ। ଏହି ପ୍ରୋଜେକ୍ଟର ନାଁ ସ୍କାଏ ଫ୍ୟାକ୍ଟ୍ରି ରଖାଯାଇଥିବାବେଳେ, ଏହା ଅନନ୍ତପୁର ଜିଲ୍ଲାରେ ଅବସ୍ଥାପିତ କରାଯିବ। ଏଠାରେ ହିଁ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ଭଳି ବିମାନ ନିର୍ମାଣ କରାଯିବ। କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ୩୩୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ଏହି କ୍ରମରେ ୨୦୨୯ ସୁଦ୍ଧା ପରିଚାଳନା ଆରମ୍ଭ କରିପାରେ। ତେବେ ଏହି ପଦକ୍ଷେପ ଭାରତର ଗ୍ରୀନ ମୋବିଲିଟିକୁ ଆଗକୁ ବଢ଼ାଇବ।

ସ୍କାଏ ଫ୍ୟାକ୍ଟ୍ରି କଲ୍ୟାଣଦୁର୍ଗ ମଣ୍ଡଳ ନିକଟସ୍ଥ ଥିମ୍ମାସମଦୁରମରେ ନିର୍ମିତ ହେବ। ଏହା ୧୫୦ ଏକର ଜମିରେ ବିସ୍ତୃତ ହେବ। ଏଥିରେ ପ୍ରଡକ୍ସନ ଲାଇନ, ଗବେଷଣା ଏବଂ ବିକାଶ କେନ୍ଦ୍ର, କମ୍ପୋଜିଟ୍ ଲ୍ୟାବ୍ ଏବଂ ୨ କିଲୋମିଟର ରନୱେ ରହିବ, ଯେଉଁଠାରେ DGCA ପ୍ରମାଣପତ୍ର ସହ ପରୀକ୍ଷଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧,୩୦୦ କୋଟି ଟଙ୍କା ସହ ୩୫୦ ଏକର ଅଞ୍ଚଳରେ ଫ୍ୟାକ୍ଟ୍ରିକୁ ବିସ୍ତାର କରାଯିବ।

ଏହି ଫେସିଲିଟିରେ ‘ସରଲା’ର ଫ୍ଲାଗସିପ୍ ଶୂନ୍ୟ ହାଇବ୍ରିଡ୍ VTOL ବିମାନ ସହ ଇଲେକ୍ଟ୍ରିକାଲ ହାର୍ନେସ୍ ସିଷ୍ଟମ୍, ଲ୍ୟାଣ୍ଡିଂ ଗିୟର୍ ଏବଂ ଉନ୍ନତ କମ୍ପୋଜିଟ୍ ଷ୍ଟ୍ରକଚର ତିଆରି କରାଯିବ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହି ହବ୍ ବାର୍ଷିକ ୧୦୦୦ଟି ନେକ୍ସ୍ଟ ଜେନେରେସନର ବିମାନ ଉତ୍ପାଦନ କରିପାରିବ। ଏହି ମଡେଲ କାଲିଫର୍ଣ୍ଣିଆ ଏବଂ ମ୍ୟୁନିଚ୍ର ବିଶ୍ୱବ୍ୟାପୀ ହବ୍ ଉପରେ ଆଧାରିତ। ଆନ୍ଧ୍ର ପ୍ରଦେଶ ବିମାନବନ୍ଦର ବିକାଶ ନିଗମ ଲିମିଟେଡ୍ (APADCL) ପ୍ରକଳ୍ପର ପରିଚାଳନା କରିବ।

ସରଲା ଆଭିଏସନ୍ ଏବଂ eVTOL ପ୍ରକଳ୍ପର ଶୁଭାରମ୍ଭ

ସୂଚନାଯୋଗ୍ୟ, ସରଲା ଆଭିଏସନ୍ ୨୦୨୩ରେ କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ଏକ କମ୍ପାନି। ଏହାକୁ ବିଶ୍ବ eVTOL ଇଣ୍ଡଷ୍ଟ୍ରିର ଅଭିଜ୍ଞ ବ୍ୟକ୍ତିମାନେ ପ୍ରତିଷ୍ଠା କରିଛନ୍ତି। କମ୍ପାନି ୬ ସିଟ୍ ଆସନ ବିଶିଷ୍ଟ ଇଲେକ୍ଟ୍ରିକ ଏୟାର ଟ୍ୟାକ୍ସି ଡିଜାଇନ୍ କରୁଛି, ଯାହା ଭାରତର ପ୍ରମୁଖ ସହରଗୁଡ଼ିକରେ ଯାତାୟାତ ସମୟକୁ ହ୍ରାସ କରିବାରେ ସାହାଯ୍ୟ କରିବ। eVTOLର ଅର୍ଥ ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍-ଅଫ୍ ଏବଂ ଲ୍ୟାଣ୍ଡିଂ ଏୟାରକ୍ରାଫ୍ଟ, ଯାହା ବ୍ୟାଟେରୀ ଚାଳିତ। ଏହି ବିମାନଗୁଡ଼ିକ ଭର୍ଟିକାଲ୍ ଟେକ୍-ଅଫ୍, ଲ୍ୟାଣ୍ଡିଂ ଏବଂ ହୋଭରିଂ କରିପାରିବ, ଯାହା ପାରମ୍ପରିକ ବିମାନଠାରୁ ଭିନ୍ନ।

ଏହି ଟେକ୍ନୋଲୋଜି ଭାରତରେ ନୂଆ କିନ୍ତୁ ଗ୍ରୀନ ମୋବିଲିଟି ପାଇଁ ଏହା ଗେମ୍ ଚେଞ୍ଜର ହୋଇପାରେ। ସରଲା ୨୦୨୯ ସୁଦ୍ଧା ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଏହି ହବ୍ ସ୍ୱଦେଶୀ ବିକାଶକୁ ପ୍ରୋତ୍ସାହିତ କରିବ। eVTOL ବଜାର ବିଶ୍ୱ ସ୍ତରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେଣୁ ଏହି ହବ୍ ଦ୍ବାରା ଭାରତ ବିଶ୍ବରେ ନିଜର ସ୍ଥିତି ଜାହିର କରିପାରିବ।

୨୦୨୭ ସୁଦ୍ଧା ୧୮୦ ନିଯୁକ୍ତି ସୃଷ୍ଟି କରିବ

ଏହି ପ୍ରକଳ୍ପ ୨୦୨୭ ସୁଦ୍ଧା ୪୦ଟି ସ୍ୱତନ୍ତ୍ର ନିଯୁକ୍ତି ଏବଂ ୧୪୦ଟି ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହା ଉନ୍ନତ ଉତ୍ପାଦନ, ମହାକାଶ କ୍ଷେତ୍ରରେ ନବସୃଜନ ଏବଂ ଗ୍ରୀନ ଟେକ୍ନୋଲୋଜି କ୍ଷେତ୍ରରେ ଉଚ୍ଚ-ମୂଲ୍ୟର ନିଯୁକ୍ତି ସୃଷ୍ଟି କରିବ। ଏହି ପ୍ରକଳ୍ପ ଦ୍ବାରା ଆନ୍ଧ୍ରପ୍ରଦେଶ ଏୟାର ଟ୍ୟାକ୍ସିର ଉତ୍ପାଦନର ରାଜଧାନୀ ହେବ। ଦୀର୍ଘକାଳୀନ ହିସାବରେ ଦେଖିଲେ ବିଶାଳ ଫ୍ରାକ୍ଟ୍ରି ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ। ଆଉ ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ।

ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଡ୍ରୋନ୍ ଟ୍ୟାକ୍ସି

ଘୋଷଣାର ଦୁଇ ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ପ୍ରଥମ ଡ୍ରୋନ୍ ଟ୍ୟାକ୍ସି ଆରମ୍ଭ ହେବ। ଭାରତକୁ ବୈଦ୍ୟୁତିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ବିଶ୍ୱ ପାୱାରହାଉସ୍ କରିବା ଲକ୍ଷ୍ୟରେ କାମ କରୁଥିବା କମ୍ପାନି ସରଲା, ପର୍ଯ୍ୟାୟକ୍ରମେ ୨୦୨୬ ସୁଦ୍ଧା ନିଯୁକ୍ତି ସୃଷ୍ଟି କରିବ ଏବଂ ୨୦୨୯ ସୁଦ୍ଧା ପୂର୍ଣ୍ଣ ବାଣିଜ୍ୟିକ କାର୍ଯ୍ୟ ଆରମ୍ଭ ହେବ। ଅର୍ଥାତ୍ ପରିଚାଳନା ଆରମ୍ଭ କରିବ।

ଏହା UDAN ଯୋଜନା ସହ ଯୋଡ଼ାଯାଇପାରିବ। ଯାହା ଦେଶର ବିଭିନ୍ନ ସହରକୁ ବିମାନ ସଂଯୋଗୀକରଣକୁ ବୃଦ୍ଧି କରିପାରିବ। ୨୦୩୦ ସୁଦ୍ଧା ବିଶ୍ୱ ସ୍ତରରେ, eVTOL ବଜାର କୋଟି କୋଟି ଟଙ୍କାରେ ପହଞ୍ଚିପାରେ। ଏମିତିରେ ଆନ୍ଧ୍ର ପ୍ରଦେଶର ଏହି ହବ୍ ଭାରତକୁ ଏକ୍ଷେତ୍ରରେ ଅଗ୍ରଣୀ କରିପାରେ। ଆନ୍ଧ୍ର ସରକାରଙ୍କ କହିବା ଅନୁସାରେ, ଏହି ପ୍ରକଳ୍ପ ସ୍ଥାୟୀ ଭବିଷ୍ୟତ ପାଇଁ ଏକ ପ୍ରମୁଖ ପଦକ୍ଷେପ।