ନୂଆଦିଲ୍ଲୀ: ଆମେରିକାର କାନିଫର୍ଣ୍ଣିଆ ରାଜ୍ୟରେ ଗୁରୁବାର ସକାଳେ ଏକ ବଡ଼ ଧରଣ ବିମାନ ଦୁର୍ଘଟଣା ଘଟିଛି । ସାନ୍ ଡିଏଗୋ ସହରର ଆବାସିକ ଅଞ୍ଚଳରେ କ୍ଷୁଦ୍ର ବିମାନଟି କ୍ରାସ୍ କରିଛି । ବିମାନରେ ଥିବା ଅନେକ ଯାତ୍ରୀଙ୍କ ଏଥିରେ ମୃତ୍ୟୁ ହୋଇଥିବା ଦାବି କରାଯାଉଛି । ନ୍ୟୁଜ୍ ଏଜେନ୍ସି ଏପି ରିପୋର୍ଟ ଅନୁସାରେ ଅଧିକାରୀମାନେ ଏହାକୁ "ଏକାଧିକ ଘର ଉପରେ ସିଧାସଳଖ ଆଘାତ" ରୂପେ ବିବେଚନା କରିଛନ୍ତି ।
ରିପୋର୍ଟ ଅନୁସାରେ ଗୁରୁବାର ସକାଳେ ଏକ ସେସ୍ନା ୫୫୦ ବିମାନ ଆବାସିକ ଅଞ୍ଚଳରେ କ୍ରାସ୍ କରିଥିଲା । ପରେ ବିମାନରେ ବିସ୍ଫୋରଣ ହେବା ସହ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପି ୧୫ ଘରେ ଲାଗିଥିଲା । ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ସ୍ଥାନୀୟ ଲୋକଙ୍କ କିଛି କ୍ଷତି ହୋଇନାହିଁ । ନିଆଁ ଲାଗିବା କ୍ଷଣି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ବିମାନ କ୍ରାସ୍ କରିଥିବା ସ୍ଥାନରେ ଘରର ଛାତ ଭୁଶୁଡ଼ି ପଡ଼ିଛି । ଫୁଟପାଥରେ ବିମାନର ଭଗ୍ନାଂଶ ପଡ଼ିରହିଛି । ରାସ୍ତାରେ ଥିବା ଗାଡ଼ି ମୋଟରଗୁଡ଼ିକ ଜଳି ପାଉଁଶ ହୋଇଛି ।
ଦମକଳ ବିଭାଗର ସହାୟକ ମୁଖ୍ୟ ଡାନ୍ ଏଡି ମିଡିଆକୁ କହିଛନ୍ତି ଯେ ଦୁର୍ଘଟଣା ପରେ ବିମାନର ଇନ୍ଧନ ଚାରି ଆଡ଼େ ବ୍ୟାପିଛି । ପ୍ରତ୍ୟେକ ଘର ଯାଞ୍ଚ କରି ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି । ସେ କହିଛନ୍ତି ଯେ ବିମାନ କ୍ରାସ୍ ସମୟରେ ଅଞ୍ଚଳରେ ଘନ କୁହୁଡ଼ି ଥିଲା । ସେସ୍ନା ୫୫୦ ବିମାନଟି ମୋଣ୍ଟଗୋମରୀ-ଗିବ୍ସ ଏକ୍ସିକ୍ୟୁଟିଭ୍ ଏୟାରପୋର୍ଟ ଆଡ଼କୁ ଯାଉଥିଲା । ଫେଡେରାଲ୍ ଆଡମିନଷ୍ଟ୍ରେସନ ଓ ନ୍ୟାସନାଲ୍ ଟ୍ରାନ୍ସପୋଟେସନ ସେଫ୍ଟି ବୋର୍ଡର ଏକ ମିଳିତ ଟିମ୍ ଏବେ ଦୁର୍ଘଟଣାର ଯାଞ୍ଚ କରିବ ।