ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଆକାଶ ଉଚ୍ଚା ଉଠିଲା ଧୂଆଁ, ଜିଅନ୍ତା ଜଳିଗଲେ ୪

Published By : Prameya-News7 Bureau | July 01, 2025 IST

News7

ନୂଆଦିଲ୍ଲୀ: ଭାରତର ବାଣ ହବ୍‌ କୁହାଯାଉଥିବା ତାମିଲନାଡୁର ଶିବକାଶୀରେ ବଡ ଧରଣର ଅଘଟଣ। ମଙ୍ଗଳବାର ଶିବକାଶୀରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ପାଞ୍ଚ ଜଣଙ୍କ ସଙ୍କଟାପନ୍ନ ରହିଛି। ଆହତଙ୍କୁ ବିରୁଧୁନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। 

ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ଆଖପାଖ ଗାଁର ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। କାରଖାନାରେ କାମ କରୁଥିବା ଶ୍ରମିକମାନେ ବାହାରିବାର ସୁଯୋଗ ମଧ୍ୟ ପାଇଲେ ନାହିଁ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା।

ପୋଲିସ ଏବଂ ପ୍ରାରମ୍ଭିକ ତଦନ୍ତ ଅନୁସାରେ, କାରଖାନାରେ ରାସାୟନିକ ମିଶ୍ରଣ କାମ ଚାଲିଥିବା ସମୟରେ ବିସ୍ଫୋରଣ ଘଟିଥିଲା। କେମିକାଲ ମିଶାଇବା ସମୟରେ ଘର୍ଷଣ ଯୋଗୁଁ ନିଆଁ ଲାଗିଥିଲା। କିଛି ସମୟ ମଧ୍ୟରେ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। 

ମୃତକଙ୍କ ମଧ୍ୟରେ କାରଖାନା କର୍ମଚାରୀ ମଧ୍ୟ ଅଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପୂର୍ବରୁ ଶିବକାଶୀରେ ଏପରି ଘଟଣା ଘଟିଛି, କିନ୍ତୁ କଠୋର କାର୍ଯ୍ୟାନୁଷ୍ଠାନ କେବଳ କାଗଜପତ୍ରରେ ସୀମିତ ରହିଛି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଏହି ଦୁର୍ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ସେ ଅଧିକାରୀମାନଙ୍କୁ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.