ପାଦ ସେବା ନକଲେ ଡ୍ରାଇଭରଙ୍କୁ ମିଳୁନି ଡ୍ୟୁଟି, ଖରାପ ବ୍ୟବହାର ସହ ମିଳୁଛି ଗାଳି

Published By : Prameya-News7 Bureau | May 30, 2025 IST

କଟକ ୩୦/୦୫: ଜଣେ ବରିଷ୍ଠ ଆମ୍ବୁଲାନ୍ସ ଡ୍ରାଇଭର୍‌ ଟେବୁଲ୍‌ ଉପରେ ବସିଛନ୍ତି । ପାଦରେ ଅଛି ଜୋତା । ତଳେ ବସିଛନ୍ତି  ଜଣେ କନିଷ୍ଠ ଆମ୍ବୁଲାନ୍ସ  ଡ୍ରାଇଭର । ଆଉ ବରିଷ୍ଠ  ଡ୍ରାଇଭରଙ୍କ ଗୋଡ଼କୁ ନିଜ ଜଙ୍ଘ ଉପରେ ରଖି ଜୋତା ଖୋଲି ଗୋଡ଼ ଓ ପାଦକୁ ହାତରେ ମୋଡ଼ି ଦେଉଛନ୍ତି । ଏଭଳି ଦୃଶ୍ୟ ଥିବା ଏକ ଭିଡିଓ ଆଜି ଭାଇରାଲ୍‌ ହେଉଛି । 

ପ୍ରାୟ ୧ ମିନିଟ୍‌ ୪ ସେକେଣ୍ଡ୍‌ର ଭିଡିଓରେ ବରିଷ୍ଠ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ପାଦସେବା କରାଯାଉଥିବା ଦିଶୁଛି ଯାହାକୁ ନେଇ ଚର୍ଚ୍ଚା ହେଉଛି । ତେବେ ଖାଲି ସେତିକି ନୁହେଁ, ଏସ୍‌ସିବି ଆମ୍ବୁଲାନ୍ସ  ସେକ୍ସନ୍‌ର କିଛି କର୍ମଚାରୀ ଉକ୍ତ ଅଭିଯୁକ୍ତ ବରିଷ୍ଠ ତଥା ମୁଖ୍ୟ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦୌରାତ୍ମ୍ୟ ବାବଦରେ ଡିନ୍‌ ତଥା ପ୍ରିନ୍ସପାଲ୍‌ଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଏସ୍‌ସିବିରେ ଏକ ଆମ୍ବୁଲାନ୍ସ ସେକ୍ସନ୍‌ ରହିଛି । ମେଡିକାଲ୍‌ର ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡ଼ି ଏହି ବିଭାଗ ଦ୍ୱାରା ପରିଚାଳିତ । ସେହି  ବିଭାଗରେ ମୁଖ୍ୟ ଡ୍ରାଇଭର ଭାବେ ଶାରଦା ପ୍ରସାଦ ମୁଦୁଲି କାମ କରୁଛନ୍ତି ।  

ଏଥିସହିତ ବିଭାଗରେ କିଛି  ଅନ୍ୟ କନିଷ୍ଠ ଡ୍ରାଇଭର ଓ ସହାୟକ ମଧ୍ୟ ଅଛନ୍ତି । ଏହି ସେକ୍ସନ୍‌ର ଏକ ଭିଡିଓ  ହଠାତ୍‌ ଭାଇରାଲ୍‌ ହେବାକୁ ଲାଗିଲା । ଯେଉଁଥିରେ ମୁଖ୍ୟ ଡ୍ରାଇଭର ଶ୍ରୀ ମୁଦୁଲି ଏକ ଟେବୁଲ୍‌ ଉପରେ ବସିଥିବା ଓ ତଳେ ଜଣେ କନିଷ୍ଠ ଡ୍ରାଇଭର ବସି ତାଙ୍କ ଗୋଡ଼କୁ ଧରି ମୋଡ଼ି-ଘଷି ଦେଉଥିବା ଦେଖାଗଲା ।

ଅଭିଯୋଗ ହେଉଛି, ଏହା ଦିନକର  ଘଟଣା ନୁହେଁ, ପ୍ରତିଦିନ ଶ୍ରୀ ମୁଦୁଲି କନିଷ୍ଠ କର୍ମଚାରୀ ଓ ସହାୟକଙ୍କୁ ଏଭଳି ଢଙ୍ଗରେ ନିଜ କାମରେ ଲଗାଇ ସେବା ପାଇଥାନ୍ତି । ନିଜ ଘର ପରିବା କିଣିବା ପାଇଁ ପଠାଇବା, ପୁଅକୁ  ଟିଉସନ୍‌ରୁ ନେଇଆସିବା ଓ ଘରେ ଜିନିଷପତ୍ର  ଦେବା ଭଳି କାମ କରାନ୍ତି । 

ଶ୍ରୀ ମୁଦୁଲିଙ୍କ ଏଭଳି  ଆଚରଣ ଓ ଶୋଷଣ ନେଇ କିଛି କର୍ମଚାରୀ ପ୍ରିନ୍ସିପାଲ୍‌ଙ୍କୁ ଲିଖିତ ଭାବେ ଅବଗତ ବି  କରିଛନ୍ତି । ଆମ୍ବୁଲାନ୍ସରେ କିଛି ସମସ୍ୟା ହେଲେୃ ମୁଖ୍ୟ ଡ୍ରାଇଭର କିଭଳି କନିଷ୍ଠ ଡ୍ରାଇଭର ଓ ସହାୟକଙ୍କ ଉପରେ ଦାଉ ସାଧୁଛନ୍ତି ସେନେଇ ପ୍ରିନ୍ସପାଲ୍‌ଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମଧ୍ୟ ମିଳି ପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.