ଭୁବନେଶ୍ବର ୧୨।୮: ଲୋକସେବା ଭବନରେ ସଚିବ ସ୍ତରୀୟ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଉନ୍ନୟନ କମିଶନରଙ୍କ ସମେତ ସମସ୍ତ ବିଭାଗର ସଚିବ ବୈଠକରେ ସାମିଲ ଥିଲେ । ଏହି ବୈଠକରେ ୧୦ଟି ଦିଗ ଉପରେ ଫୋକସ୍ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଅଫିସରେ ଲାଗିବ AI କ୍ୟାମେରା ।ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଲା ସ୍ତରୀୟ ସବୁ ସରକାରୀ ଅଫିସରେ AI କ୍ୟାମେରା ଲଗାଯିବ ।
ସେହିଭଳି ନିର୍ଦ୍ଧାରିତ ସମୟରେ ଅଧିକାରୀ ମାନେ ଅଫିସ ଆସିବା ଉପରେ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ନୂଆ ମେକାନିଜମ ବିକଶିତ କରାଯିବ । ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ଭାବେ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବା ସହ ପ୍ରଦର୍ଶନରେ ସୁଧାର ଆଣିବାକୁ ସୁଯୋଗ ଦିଆଯିବ । ପ୍ରଦର୍ଶନରେ ସୁଧାର ନ ଆସିଲେ ଆଗୁଆ ଅବସର ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ଵ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସୁଥିବା UI ନୋଟ୍ ଉପର ତୁରନ୍ତ ଉତ୍ତର ଦେବା ସହ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ନୀତିର ମୂଳ କାରଣ ଖୋଜିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସେବା ପ୍ରଦାନରେ କାହିଁକି ବିଳମ୍ବ ହେଉଛି ତାହାକୁ ଅନୁଧ୍ୟାନ କରାଯିବ ।
ଅକ୍ଟୋବରରୁ ଆରମ୍ଭ ହେବ ସିଏମ୍ ଡାସ୍ବୋର୍ଡ । କେନ୍ଦ୍ରୀୟ ସ୍କିମ୍ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ । ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭାଗ ସମୀକ୍ଷା କରିବେ । ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ବ ଦେବେ । ଅଫିସର ମାନେ ଫିଲ୍ଡ ଭିଜିଟ୍ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନ୍ଫୋର୍ସମେଣ୍ଟ ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି ।
You Can Read:
ଅନଲାଇନ୍ ଗେମ୍ ହେଲା କାଳ : ବାରଣ କରିବାରୁ ଜୀବନ ହାରିଦେଲେ ଅଷ୍ଟମ ଶ୍ରେଣୀ ଛାତ୍ର !