LIVE TV

ଭାରତ ଆକାଶରେ ଜ୍ୱାଳାମୁଖିର ପାଉଁଶ : ଦିଲ୍ଲୀ ଅନ୍ଧାର, ବାତିଲ ହେଲା ଅନେକ ବିମାନ

NEWS7
seats-of-medical-colleges-increased-again-in-modi-government

ନୂଆଦିଲ୍ଲୀ, ୨୫|୧୧: ଅନ୍ୟ ଦେଶରେ ବିସ୍ଫୋରଣ ହେଲା ଜ୍ୱାଳାମୁଖି କିନ୍ତୁ ଭାରତରେ ପଡିଲା ପ୍ରଭାବ । ଇଥିଓପିଆରେ ଆଗ୍ନେୟ ଉଦଗୀରଣ ହୋଇ ସେଥିରୁ ବାହାରିଥିବା ଧୂଆଁ ଏବଂ ପାଉଁଶ ଭାରତରେ ପହଁଚିଛି । ଯାହାର ପ୍ରଭାବରେ ଅନେକ ବିମାନକୁ ବାତିଲ କରାଯାଇଛି । ଏହାସହ ବିମାନ ଚଳାଚଳ ବେଳେ ସତର୍କ ରହିବାକୁ ମଧ୍ୟ ଡିଜିସିଏ ମାର୍ଗଦର୍ଶିକା ଜାରି କରିଛି ।  

ସୂଚନାନୁସାରେ, ସୋମବାର ଇଥିଓପିଆରେ ଏକ ଜ୍ୱାଳାମୁଖି ବିସ୍ଫୋରଣ ହୋଇଥିଲା । ପ୍ରାୟ ୧୨ ହଜାର ବର୍ଷ ପରେ ଇଥିଓପିଆରେ ଥିବା ହା ଗୁବି ଆଗ୍ନେୟଗିରିରେ ଲାଭା ବାହାରକୁ ଆସିଥିଲା । ପ୍ରଥମେ ଏଥିରୁ ବାହାରିଥିବା ଧୂଆଁ ଏବଂ ପାଉଁଶ ୟେମେନ୍ ଏବଂ ଓମାନରେ ପହଁଚିଥିଲା । ପରେ ଏହା ଭାରତ ଆଡେ ମୁହାଁଇଛି ।

ସେପଟେ ମୁମ୍ବାଇ ଏବଂ ଦିଲ୍ଲୀ ଆକାଶରେ ଜ୍ବାଳାମୁଖୀ ପାଉଁଶର ଘନ ଆସ୍ତରଣ ଦେଖା ଦେଇଥିବାରୁ ବିମାନ ଉଡ଼ାଣକୁ ପ୍ରଭାବିତ ହୋଇଛି। ସେହିଭଳି ଦିଲ୍ଲୀ ଏବଂ ଜୟପୁରରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ହରିୟାଣା ଏବଂ ଉତ୍ତରପ୍ରଦେଶର ଆକାଶରେ ଘନ ପାଉଁଶର ଆସ୍ତରଣ ଦେଖିବାକୁ ମିଳିଛି ।

ଯାହାକୁ ନଜରରେ ରଖି ଆକାଶା ଏୟାର, ଇଣ୍ଡିଗୋ ଏବଂ କେଏଲଏମ ଭଳି ଏୟାର ଲାଇନ୍ସ ନିଜର ବିମାନକୁ ବାତିଲ କରିଛନ୍ତି । ପ୍ରଭାବିତ ଅଂଚଳରେ ବିମାନ ଉଡାଣ ନକରିବାକୁ ଡିଜିସିଏ ପରାମର୍ଶ ଦେଇଛି ।ଏପରିକି ବିମାନର ଇଞ୍ଜିନ ଉଡାଣ ବେଳେ କିପରି କାମ କରୁଛି ସେନେଇ ତଥ୍ୟ ଦେବାକୁ ଅନ୍ୟ ଏୟାରଲାଇନ୍ସଙ୍କୁ କୁହାଯାଇଛି ।

ଏହା ପୂର୍ବରୁ ଆମେରିକାର ହାଓ୍ବାଇସ୍ଥିତ କିଲାଉ ଆଗ୍ନେୟଗିରି ବିସ୍ଫୋରଣ ଘଟିଥିଲା । ଯାହା ପରେ ସ୍ଥିତି ଆହୁରି ବିଗିଡ଼ି ଯାଇଛି । ଏହି ଆଗ୍ନେୟଗିରି ବିସ୍ଫୋରଣ ପରେ ଲାଭା ଉଦଗୀରଣ ଜାରି ରହିଛି । ଆମେରିକାର ଜିଓଲୋଜିକାଲ୍ ସର୍ଭେ ଅନୁସାରେ, ଗରମ ଲାଭା ଲଗାତାର ତଳିଆ ଅଞ୍ଚଳକୁ ମାଡ଼ି ଚାଲିଛି । ଏପରିକି ପୁଣି ଥରେ ବଡ଼ ବିସ୍ଫୋରଣର ମଧ୍ୟ ସଂକେତ ମିଳିଛି । ଏହି ଜ୍ବାଳାମୁଖୀ ଦୁନିଆର ସବୁଠାରୁ ସକ୍ରିୟ ଏବଂ ଗୋଟିଏ ବର୍ଷରେ ୩୬ ଥର ବିସ୍ଫୋରଣ ହେଲାଣି ।

ନଭେମ୍ବର ୯ ତାରିଖରେ ଜ୍ୱାଳାମୁଖୀରୁ ଦୀର୍ଘ ୫ ଘଣ୍ଟା ଯାଏଁ ଅନବରତ ଲାଭା ଉଦଗୀରଣ ହୋଇଥିଲା । ଏହି ସମୟ ମଧ୍ୟରେ, ଲାଭା ୧୨୦୦ ଫୁଟ୍ ଉଚ୍ଚତାରେ ପହଞ୍ଚିଥିଲା। ପ୍ରତି ପାଞ୍ଚ ସେକେଣ୍ଡରେ ଏକ ଅଲିମ୍ପିକ୍ ସୁଇମିଂ ପୁଲକୁ ପୂରଣ କଲା ଭଳି ଲାଭା ନିର୍ଗତ ହେଉଥିଲା । ଏହି ସମୟ ମଧ୍ୟରେ, ଜ୍ୱାଳାମୁଖୀ ପ୍ରାୟ ୧୧ ମିଲିୟନ ଘନ ୟାର୍ଡ ଲାଭା ନିର୍ଗତ କରିଥିଲା ଏବଂ ଏହି ପ୍ରବାହ ଧୀରେ ଧୀରେ ହାଲେମାଉମାଉ ଗର୍ତ୍ତର ୮୦ ପ୍ରତିଶତକୁ ଆଚ୍ଛାଦିତ କରିଥିଲା।