ଗଧିଆ ପରେ ଏହି ବିଲୁପ୍ତ ପକ୍ଷୀକୁ ପୁନର୍ଜୀବିତ କରିବେ ବୈଜ୍ଞାନିକ ! ପୃଥିବାକୁ ଫେରିବ ବିରଳ ‘ମୋଆ’ ପକ୍ଷୀ

Published By : Prameya-News7 Bureau | July 14, 2025 IST

ନୂଆଦିଲ୍ଲୀ - ବିଜ୍ଞାନର ଜୟଯାତ୍ରାରେ ଅନେକ ଫର୍ଦ୍ଦ ଯୋଡ଼ି ହୋଇଛି । ବୈଜ୍ଞାନିକଙ୍କ ଗବେଷଣା ଅନେକ ଅସମ୍ଭବକୁ ସମ୍ଭବ କରିସାରିଛି । ଏଇ ଯେପରି ବିଲୁପ୍ତ ପ୍ରଜାତିଙ୍କୁ ପୁଣି ଥରେ ପୃଥିବୀକୁ ଆଣିବାରେ ସଫଳ ହୋଇଛନ୍ତି । ଏହି କ୍ରମରେ ସାଢେ ବାରଶହ ବର୍ଷ ପୂର୍ବେ ବିଲୁପ୍ତ ହୋଇ ଗଧିଆର ଗୋଟିଏ ପ୍ରଜାତିକୁ ଦୁନିଆକୁ ଆଣିଛନ୍ତି ବୈଜ୍ଞାନିକମାନେ । ଏହି ସଫଳତା ପରେ ଏବେ ଆଉ ଏକ ବିଲୁପ୍ତ ପକ୍ଷୀକୁ ପୁଣି ଜୀବନ ଦେବା ପାଇଁ ଅଣ୍ଟା ଭିଡିଛନ୍ତି । ୧୨ ଫୁଟ ଲମ୍ୱ, ଉଡ଼ି ପାରୁ ନଥିବା ମୋଆ ନାମକ ଏହି ବିରଳ ପକ୍ଷୀ ପୁଣି ଆସିବ ପୃଥିବୀକୁ ।

ସାଢେ ୧୨ ଶହ ବର୍ଷ ପୂର୍ବେ ବିଲୁପ୍ତ ହୋଇ ସାରିଥିବା ‘ଡାୟର ଓଲ୍ଫ’ ବା ବିଲୁପ୍ତ ଗଧିଆକୁ ଆମେରିକାର ଟେକ୍ସାସ ସ୍ଥିତ ବାୟୋଟେକ୍ନୋଲଜି କମ୍ପାନୀ କୋଲୋସାଲ ବାୟୋସାଇନ୍ସେସ୍ ,ପୁଣି ଜୀବିତ କରିଛି । ଏହି ଐତିହାସିକ ବୈଜ୍ଞାନିକ ସଫଳତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଟେସଲା ଓ ଏକ୍ସର ମାଲିକ ଏଲନ ମସ୍କ ମଧ୍ୟ ଏହି ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି । ବୈଜ୍ଞାନିକମାନେ ଜେନେଟିକ୍ ଇଞ୍ଜିନିୟରିଂ ମାଧ୍ୟମରେ ପାଖାପାଖି ସାଢେ ବାର ଶହ ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇ ଥିବା ପ୍ରଜାତି ଡାୟର ଓଲ୍ଫୋକୁ ପୁନଃ ଜୀବିତ କରିଛନ୍ତି । ବୈଜ୍ଞାନିକ ଜଗତରେ ଆଲୋଡନ ସୃଷ୍ଟି କରିଥିବା ଏହି ଜୀବିତ ଦୁଇ ଜୀବର ନାଁ ରୋମୁଲସ ଓ ରେମସ ରହିଛି । ଏହି ପ୍ରଜାତିର ଦୁଇ ଜୀବ ଏବେ ଛଅ ମାସର , କିନ୍ତୁ ପ୍ରଥମରୁ ସେମାନେ ୪ଫୁଟ ଲମ୍ୱର ରହିଛନ୍ତି ଏବଂ ଓଜନ ରହିଛି ୩୬ କିଲୋଗ୍ରାମରୁ ଅଧିକ ।ଏହି ବିଲୁପ୍ତ ଗଧିଆ ବା ଓଲ୍ଫର ପୁନରୁତ୍ଥାନ ପଛରେ ରହିଥିବା   ଟେକ୍ସାସ ସ୍ଥିତ କୋଲୋସଲ ବାୟୋସାଇନ୍ସେସ କମ୍ପାନି । ପ୍ରାଚୀନ ଡିଏନଏ , କ୍ଲୋନିଂ ଓ ଜିନ ଏଡିଟିଂର ବ୍ୟବହାର କରି ଏହି ଡାୟର ଓଲ୍ଫକୁ ଜୀବନ ଦେଇଛନ୍ତି । ଏହି ଡାୟର ଓଲ୍ଫକୁ ଏଚବିଓ ସିରିଜ ‘ଗେମ୍ ଅଫ୍ ଥ୍ରୋନ୍ସ’ ଦ୍ୱାରା ଲୋକପ୍ରିୟ କରାଯାଇ ଥିଲା ।  ଡାୟର ଓଲ୍ଫ  ହେଉଛି ଗ୍ରେ ଓଲ୍ଫର ବିଲୁପ୍ତ ପ୍ରଜାତିର ବଂଶଜ ।  ଏହା ଆକାରରେ ବଡ଼ ଓ ଖୁବ୍ ଶକ୍ତିଶାଳୀ ଥିଲା । ବୈଜ୍ଞାନିକମାନେ ଗ୍ରେ ଓଲ୍ଫୋର ଡିଏନଏ ସହ ପ୍ରାଚୀନ ଡାୟର ଓଲ୍ଫର ଦାନ୍ତ ଓ ଖପୁରୀରୁ ମିଳିଥିବା ୧୩ ହଜାର ଓ ୭୨ ହଜାର ବର୍ଷ ପୁରୁଣା ଡିଏନଏକୁ ମିଶାଇ କ୍ଲୋନ୍ ପ୍ରସ୍ତୁତ କରିଥିଲେ ।

ଏଚବିଓ ସିରିଜ ‘ଗେମ୍ ଅଫ୍ ଥ୍ରୋନ୍ସ’ର ଭୟଙ୍କର ଗଧିଆକୁ ଦୁନିଆକୁ ଆଣିଥିବା କମ୍ପାନୀ ଏବେ ଏକ ବିଶାଳକାୟ ୧୨ ଫୁଟ ଲମ୍ୱର ପକ୍ଷୀକୁ ବିଲୁପ୍ତ ହେବାରୁ ବଞ୍ଚାଇବା ପାଇଁ ଯୋଜନା କରୁଛି । ଗତ ଅପ୍ରେଲରେ , କୋଲୋସାଲ ବାୟୋସାଇନ୍ସେସ ଘୋଷଣା କରିଥିଲା ଯେ, ଭୟଙ୍କର ଗଧିଆକୁ ପୃଥିବୀକୁ ଫେରାଇ ଆଣିବାରେ କମ୍ପାନି ସଫଳ ହୋଇଛି । ଏବେ ନଜର ମୋଆ ପକ୍ଷୀ ଉପରେ ରହିଛି । ଉଡ଼ିପାରୁ ନଥିବା ୧୨ ଫୁଟ ଉଚ୍ଚ ଏକ ବିରଳ ପକ୍ଷୀ ଦିନେ ନ୍ୟୁଜିଲ୍ୟାଣ୍ଡରେ ବିଚରଣ କରୁଥିଲା । ପାଖାପାଖି ଛଅ ଶହ ବର୍ଷ ପୂର୍ବେ ମନୁଷ୍ୟଙ୍କ ଦ୍ୱାରା ଏହାର ଶିକାର କରାଯାଇ ଥିଲା ଏବଂ ଏହା କ୍ରମେ ବିଲୁପ୍ତ ହୋଇ ଯାଇଛି ।  ଅନୁମାନ ଅନୁସାରେ, ଏହି ବିଶାଳ ପକ୍ଷୀ ୧୨ ଫୁଟର ଉଚ୍ଚ ଓ ପାଖାପାଖି ୨୩୦ କିଲୋଗ୍ରାମ୍ ଓଜନର ଥିଲା।

ଏହି ମୋଆ ପକ୍ଷୀ ଯେତେ ବଡ଼ ହୋଇଥିଲେ ବି ମଣିଷଙ୍କ ପାଇଁ ବିପଦ ନଥିଲା । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥା ଅନୁସାରେ, ଏହା ମୁଖତଃ ଶାକାହାରୀ ଥିଲା ଓ ଗଛର ଫଳ ପତ୍ର ଓ ଫାଇବର ସାମଗ୍ରୀ ଖାଉ ଥିଲା । ତେଣୁ ଏହାକୁ ବୈଜ୍ଞାନିକମାନେ ପୁଣି ଦୁନିଆକୁ ଆଣିଲେ ଏହା ଏକ ସକରାତ୍ମକ ଫଳାଫଳ ହେବ । ପକ୍ଷୀଟି ଜଙ୍ଗଲରେ ବୁଲିବା ବେଳେ ଏହା ଅଧିକ ବଢୁଥିବା ଗଛକୁ କାଟିବା ଓ ଆକାର ଦେବାରେ ସାହାଯ୍ୟ କରୁଥିଲା । ଏହା ବ୍ୟତୀତ ମୋଆ ପକ୍ଷୀ ଯେଉଁ ବୃକ୍ଷର ଫଳ ଖାଉଥିଲା , ତାର ମଞ୍ଜିକୁ ଖୁବ୍ ପ୍ରସାର କରୁଥିଲା । ଯଦ୍ୱାରା ନୂଆ ଗଛଲତା ସୃଷ୍ଟିରେ ସାହାଯ୍ୟ କରୁଥିଲା । 

ଏହି ମୋଆ ପକ୍ଷୀର ବିଲୁପ୍ତ ହେବାର ହାଷ୍ଟ ଇଗଲର ବିଲୁପ୍ତ ସହ ସମ୍ୱନ୍ଧ ରହିଛି । ହାଷ୍ଟ ଇଗଲ ମୋଆ ପକ୍ଷୀର ଶିକାର କରୁଥିଲା । ହେଲେ ମୋଆର ପୁନଃ ଜୀବିତରେ ହାଷ୍ଟ ଇଗଲ ଆଉ ଫେରିବ ନାହିଁ , କିନ୍ତୁ ଏହା ଆଂଶିକ ଭାବେ ନ୍ୟୁଜିଲ୍ୟାଣ୍ଡର ଜଙ୍ଗଲକୁ ପୁନଃ ସ୍ଥାପନ କରିବାରେ ସାହାଯ୍ୟ କରିପାରେ । 

କୋଲୋସଲ ବାୟୋସାଇସେନ୍ସ ଏହି ବିଶାଳକାୟ ପକ୍ଷୀକୁ ପ୍ରାଚୀନ ଡିଏନଏ , କ୍ଲୋନିଂ ଓ ଜିନ୍ ଏଡିଟିଂ ଟେକ୍ନୋଲଜିରେ ଦୁନିଆକୁ ଆଣିବ । ଠିକ୍ ଗଧିଆକୁ ଆଣିଲା ଭଳି । ଏକ ରିପୋର୍ଟ ଅନୁସାରେ, କମ୍ପାନୀ ନଗାଇ ତାହୁ ରିସର୍ଚ୍ଚ ସେଣ୍ଟର ସହ ମିଶି ଏହା ଉପରେ କାମ କରୁଛି ।

କୋଲୋସାଲ୍ ବାୟୋସାଇନ୍ସେସ୍ କହିଛି ଯେ, ଡାୟର ଓଲ୍ଫ ପରେ ଏବେ ସେ ୱୁଲି ମାମଥ୍ , ଡୋଡୋ ଓ ତସ୍ମାନିଆନ ଟାଇଗର ଭଳି ବିଲୁପ୍ତ ପ୍ରଜାତୀଙ୍କୁ ମଧ୍ୟ ପୁଣି ପୃଥିବୀରେ ଜୀବିତ କରିବାକୁ ଚେଷ୍ଟାରେ ଲାଗିଛି । ବିଜ୍ଞାନ ବଳରେ ଆଜି କିଛି ବି କରିବା ସମ୍ଭବ । ତେଣୁ ଭବିଷ୍ୟତରେ ଏପରି ଆହୁରି ଅନେକ ବିଲୁପ୍ତ ପ୍ରଜାତିକୁ ପୃଥିବୀରେ ଦେଖିବାକୁ ମିଳେପାରେ, ଯାହାର ସାକ୍ଷୀ ରହିବେ ଭବିଷ୍ୟତ ପିଢି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.