ସୁପ୍ରିମକୋର୍ଟ ‘ପ୍ରଧାନ ବିଚାରପତି କେନ୍ଦ୍ରିତ’ ହେବା ଉଚିତ୍ ନୁହେଁ, ସବୁ ନ୍ୟାୟମୂର୍ତ୍ତି ସମାନ: ସିଜେଆଇ ଗଭାଇ

Published By : Prameya-News7 Bureau | July 30, 2025 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କେବେବି ପ୍ରଧାନ ବିଚାରପତି କେନ୍ଦ୍ରିତ ଅଦାଲତ ହେବା ଉଚିତ୍ ନୁହେଁ । ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର୍.ଗଭାଇ ବୁଧବାର କହିଛନ୍ତି, ପ୍ରଧାନ ବିଚାରପତି ଅନ୍ୟ ଜଜ୍‌ଙ୍କ ମଧ୍ୟରେ ପ୍ରଥମ ନମ୍ୱରରେ ଆସନ୍ତି, କିନ୍ତୁ ସମସ୍ତେ ସମାନ ଅଟନ୍ତି । ଜଷ୍ଟିସ୍ ଗଭାଇ କହିଛନ୍ତି, "ନ୍ୟାୟ ବ୍ୟବସ୍ଥା ସଂସ୍ଥାରେ ସବୁବେଳେ ସେ ବାର୍ (ଓକିଲ୍) ଓ ବେଞ୍ଚ (ନ୍ୟାୟମୂର୍ତ୍ତି)ଙ୍କୁ ସମାନ ଭାଗିଦାର ରୂପେ ଦେଖିଛନ୍ତି ।" 

ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଜେଆଇ ଯୋଗ ଦେଇଥିଲେ । ନିଜ ସମ୍ୱୋଧନରେ ସିଜେଆଇ କହିଥିଲେ, "ମୋର ମତ ଯେ ପ୍ରଧାନ ବିରଚାପତି, ଅନ୍ୟ ସମାନ ଜଜ୍‌ଙ୍କ ମଧ୍ୟରେ କେବଳ ପ୍ରଥମ ଓ ସୁପ୍ରିମକୋର୍ଟ କେବେବି ପ୍ରଧାନ ବିଚାରପତି କେନ୍ଦ୍ରିତ ନହେବା ଦରକାର ।" ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ସବୁ ଜଜ୍ ଓ ବାର୍ ସଦସ୍ୟଙ୍କ ଅଦାଲତ ହେବା ଦରକାର । ସିଜେଆଇ ଆହୁରି କହିଛନ୍ତି, "ମୁଁ ଗଣତାନ୍ତ୍ରିକ କାର୍ଯ୍ୟପ୍ରଣାଳୀରେ ବିଶ୍ୱାସ କରୁଛି । ଏଥିପାଇଁ ଆମେ ଯାହା ନିଷ୍ପତ୍ତି ନେଉ, ତାହା ନ୍ୟାୟାଳୟର ନିଷ୍ପତ୍ତି ହୋଇଥାଏ ।" 

ଏହି ଅବସରରେ ସିଜେଆଇ ଗଭାଇ କହିଥିଲେ ଯେ ଗତ ଅନେକ ବର୍ଷରେ ମେ ୨୬ରୁ ଜୁଲାଇ ୧୧ ମଧ୍ୟରେ ଆଶିଂକ କାର୍ଯ୍ୟରେ ସୁପ୍ରିମକୋର୍ଟ ସବୁଠୁ ଅଧିକ ମାମଲାର ରାୟ ଶୁଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ସୁପ୍ରିମକୋର୍ଟ ନିଜର ପାରମ୍ପାରିକ ଗ୍ରୀଷ୍ମ ଅବକାଶକୁ ଆଶିଂକ ନ୍ୟାୟାଳୟ କାର୍ଯ୍ୟ ଦିବସ ନାଁ ଦେଇଥିଲେ । ସିଜେଆଇ ଗଭାଇ କହିଥିଲେ, ବାର୍‌ର ସଦସ୍ୟଙ୍କଠାରୁ ତାଙ୍କୁ ସବୁବେଳେ ଅଧିକ ଭଲ ପାଇବା ଓ ସ୍ନେହ ମିଳିଛି । ବମ୍ବେ ହାଇକୋର୍ଟରେ ତାଙ୍କ କାର୍ଯ୍ୟକାଳକୁ ମନେ ପକାଇ ଜଷ୍ଟିସ୍ ଗଭାଇ କହିଥିଲେ, "ଯେତେବେଳେ ତାଙ୍କୁ ଭିତ୍ତିଭୂମି ଏବଂ ନିର୍ମାଣ କମିଟିର ଅଧ୍ୟକ୍ଷ ହେବାର ସୁଯୋଗ ମିଳିଥିଲା, ସେ ନିଷ୍ପତ୍ତି ନେଇଥିଲେ ଯେ ଯେତେବେଳେ ନୂତନ କୋଠା ନିର୍ମାଣ ହେବ, ବାର ଆସୋସିଏସନର ସଭାପତି ଏବଂ ସମ୍ପାଦକ ମଧ୍ୟ ସେହି ପ୍ୟାନେଲର ଅଂଶ ହେବେ ।"

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.