ରମଜାନରେ ମୁସଲମାନଙ୍କୁ ଅଫିସରୁ ଶୀଘ୍ର ଛୁଟି ବିରୋଧରେ ଆଗତ ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

Published By : Prameya-News7 Bureau | March 09, 2025 IST

ନୂଆଦିଲ୍ଲୀ ୯।୩: ଉଚ୍ଚତମ ନ୍ୟାୟାଳୟ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସେହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି,ଯେଉଁଥିରେ ମୁସଲମାନ କର୍ମଚାରୀଙ୍କୁ ରମଜାନ ଲାଗି ୧ ଘଣ୍ଟା ପୂର୍ବରୁ କାର୍ଯ୍ୟାଳୟ ଛାଡିବାକୁ ଅନୁମତି ଦିଆଯାଇଛି। ମାମଲାରେ କୋର୍ଟ ଆବେଦନକାରୀଙ୍କୁ ତାଙ୍କ ଅଭିଯୋଗକୁ ସମ୍ପର୍କିତ ଉଚ୍ଚ ନ୍ୟାୟାଳୟକୁ ନେଇଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ସିଜେଆଇ ସଞ୍ଜୀବ ଖନ୍ନା ଓ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ପୀଠ ଆବେଦନ ଉପରେ ବିଚାର କରିବାକୁ ମନା କରିବା ସହ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଶଙ୍କରନାରାୟଣନ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ। ତେବେ ପୀଠ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ପୀଠ ତାଙ୍କ ଆଦେଶରେ କହିଛନ୍ତି ଯେ ଆବେଦନକାରୀଙ୍କ ଓକିଲ ସମ୍ବିଧାନର ଅନୁଚ୍ଛେଦ ୨୨୬ ଅନୁସାରେ ସମ୍ବଦ୍ଧିତ ଉଚ୍ଚନ୍ୟାୟାଳକୁ ଯିବା ପାଇଁ ସ୍ୱାଧୀନ ଓ ସେ ବର୍ତ୍ତମାନର ଆବେଦନକୁ ପ୍ରତ୍ୟାହାର କରିବାକୁ ଚାହୁଁଥିବା କହିଛନ୍ତି। ଏହା ସହିତ ପୀଠ ମାମଲାକୁ ଉଚ୍ଚନ୍ୟାୟାଳୟରେ ଉଠାଇବା ପାଇଁ ଓକିଲଙ୍କୁ ସ୍ୱାଧୀନତା ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ତେଲେଙ୍ଗାନା ସରକାର ଏକ ସର୍କୁଲାର ଜାରି କରି ମୁସଲମାନ କର୍ମଚାରୀଙ୍କୁ ରମଜାନ କାଳରେ ୧ ଘଣ୍ଟା ପୂର୍ବରୁ କାମ ଛାଡିବାକୁ ଅନୁମତି ଦେଇଥିଲେ। ସେହିପରି ଆନ୍ଧ୍ରପ୍ରଦେଶରେ ଟିଡିପି ନେତୃତ୍ୱାଧୀନ ଏନଡିଏ ସରକାର ମଧ୍ୟ ରାଜ୍ୟର ସମସ୍ତ ମୁସ୍ଲିମ କର୍ମଚାରୀଙ୍କୁ ରମଜାନ ନିମନ୍ତେ ୨ ମାର୍ଚ୍ଚରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ଘଣ୍ଟାକ ପୂର୍ବରୁ କାର୍ଯ୍ୟାଳୟ ଛାଡିପାରିବେ ବୋଲି ଅନୁମତି ଦେଇଥିଲେ। ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ଏପରି ଅନୁମତିକୁ ଶଙ୍କରନାରାୟଣନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.