ଭୁବନେଶ୍ୱର ୧୧।୦୮ : ରିମାଣ୍ଡରେ ଖୋଲୁଛି ଗୁମର । ଦୁହ୍ଲେ ରାଜା ସତ୍ୟଜିତକୁ ଦ୍ବିତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡ ବେଳେ ପୋଲିସ ତା'ଠାରୁ ବହୁ ରୋଚକପୂର୍ଣ୍ଣ ତଥ୍ୟ ହାସଲ କରୁଛି। ଧୀରେ ଧୀରେ ପୋଲିସ ଆଗରେ ସତ ଉଗାରୁଛି ଧୂର୍ତ୍ତ ସତ୍ୟଜିତ୍ । ବଡ଼ କଥା ହେଉଛି ପୋଲିସ ନଜରରେ ଥିବା ସନ୍ଦିଗ୍ଧ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସତ୍ୟଜିତ୍ ର ସେହି ସଙ୍ଗିନୀକୁ ପୋଲିସ ଖୁବ୍ ଶୀଘ୍ର ଜେରା କରିବ ଏବଂ ସେଥିପାଇଁ ତାକୁ ସମନ କରାଯାଇଛି। ପାସ୍ ପୋର୍ଟରୁ ସନ୍ଦିଗ୍ଧ ମହିଳା ସତ୍ୟଜିତର ସ୍ତ୍ରୀ ବୋଲି ଜଣାପଢୁଥିଲେ ହେଁ ଧୂର୍ତ୍ତ ମନାକରିଛି । ଉଭୟଙ୍କୁ ଅଧିକ ଜେରା କରାଯିବା ପରେ ପ୍ରକୃତ ସତ ଜଣାପଡ଼ିବ ।
ସେହିଭଳି ମହିଳାମାନଙ୍କୁ ପ୍ରତାରଣା ଦେଇ ବିପୁଳ ଟଙ୍କା ହାତେଇଥିବା ଠକ ସତ୍ୟଜିତ୍ ଜମି କିଣିଥିବା ଜଣାପଡ଼ିଛି। ପୁରୀ ମାଳତୀପାଟପୁରରେ ଜମି ଠାବ ହୋଇଥିବା ବେଳେ ଯାଜପୁର, କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ପ୍ଲଟ୍ କିଣିଥିବା ସନ୍ଦେହ କରାଯାଉଛି। ପ୍ରଥମ ରିମାଣ୍ଡ୍ ବେଳେ ପୋଲିସ ତା'ର ପଟିଆସ୍ଥିତ ଭଡ଼ାଘରକୁ ଯାଞ୍ଚ କରିଥିଲା ସେଠାରୁ ପାସପୋର୍ଟ, ଲାପ୍ ଟପ୍, ପେନ୍ ଡ୍ରାଇଭ୍ ଓ ଡାଏରି ଜବତ କରାଯାଇଥିଲା। ମିଳିଥିବା ଡାଏରିରୁ ପୋଲିସ ଜଣେ ମନ୍ଦିଗ୍ଧ ମହିଳାଙ୍କୁ ଠାବ କରିଥିଲା । ପାସପୋର୍ଟରେ ମହିଳା ଜଣକ ସତ୍ୟଜିତ୍ ର ସ୍ତ୍ରୀ ବୋଲି ଉଲ୍ଲେଖ ଥିଲା । କିନ୍ତୁ ମହିଳାଜଣକ ତା'ର କି ପ୍ରକାର ସ୍ତ୍ରୀ, ସେନେଇ କିଛି ସ୍ପଷ୍ଟ ହୋଇନଥିଲା। କାରଣ ଗିରଫ ହେବା ବେଳକୁ ସତ୍ୟଜିତ୍ ଓଡ଼ିଆ ଓ ଅଣଓଡ଼ିଆ ୫ମହିଳାଙ୍କୁ ବିବାହ କରିଥିବା ଜଣାପଡ଼ିଥିଲା । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି । ତେବେ ମହିଳାମାନଙ୍କୁ ଫସାଉଥିବା ସତ୍ୟଜିତର ଏହି କଳା କାରନାମାରେ ସେହି ସନ୍ଦିଗ୍ଧ ସଙ୍ଗିନୀର ବଡ଼ ଭୂମିକା ଥିବା ଅନୁମାନ କରୁଛି ପୋଲିସ । ଏଥରର ୫ଦିନିଆ ରିମାଣ୍ଡରେ ପୋଲିସ ସତ୍ୟଜିତ୍ ର ଠାରୁ ସବୁ ସତ ବାହାର କରିବ ।