ବିଜେପିର ବଙ୍ଗ ଦଖଲ ମିଶନ : ଓଡ଼ିଆ ଭୋଟରଙ୍କୁ ମନାଇବାକୁ ଓଡ଼ିଶା ନେତାଙ୍କୁ ଦାୟିତ୍ବ ଦେଇଛି ଦଳ

NEWS7
saturday-horoscope-8

ଭୁବନେଶ୍ବର ୩୦।୧: ବିଜେପିର ବଙ୍ଗ ଦଖଲ ମିଶନ । ପଶ୍ଚିମବଙ୍ଗ ଜଗିବେ ଓଡ଼ିଶା ନେତା ।  ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ସେଠାରେ ଡେରା ପକାଇଲେଣି ଓଡ଼ିଶା ବିଜେପିର ୧୦ ବିଧାୟକଙ୍କ ସମେତ ୩୦ରୁ ଅଧିକ ନେତା । ପଶ୍ଚିମବଙ୍ଗରେ ଓଡ଼ିଆ ଭୋଟରଙ୍କୁ ମନାଇବାକୁ ଓଡ଼ିଶା ନେତାଙ୍କୁ ଦାୟିତ୍ବ ଦେଇଛି ଦଳ । ପଶ୍ଚିମବଙ୍ଗ ସୀମାରେ ଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅନେକ ଲୋକ ପଡ଼ୋଶୀ ରାଜ୍ୟରେ ବସବାସ କରୁଛନ୍ତି । ଓଡ଼ିଶାରେ ଯେହେତୁ ବିଜେପି ସରକାର ରହିଛି, ତେଣୁ ପଶ୍ଚିମବଙ୍ଗରେ ବିଜେପି ସରକାର ହେଲେ କିଭଳି ସେଠାକାର ଲୋକମାନେ ଡବଲ ଇଂଜିନ୍‌ ସରକାରରୁ ଫାଇଦା ପାଇବେ ସେନେଇ ପଶ୍ଚିମବଙ୍ଗର ଓଡ଼ିଆ ଭୋଟରଙ୍କୁ ଅବଗତ କରିବେ ଓଡ଼ିଶା ନେତା । ଏନେଇ କୋଲକାତା ଠାରେ ଓଡ଼ିଶା ବିଜେପି ନେତାଙ୍କର ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଶେଷ ହୋଇଛି । ଓଡ଼ିଶା ବିଜେପିର ଏହି ଟିମ୍‌ରେ ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ବିଜେପି ନେତାମାନେ ସାମିଲ ହୋଇଛନ୍ତି । ଏମିତିକି ଏହି ଟିମ୍‌ରେ ଅନେକ ଆଦିବାସୀ ନେତା ଓ ଯୁବ ନେତାଙ୍କୁ ସାମିଲ କରାଯାଇଛି । ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନରେ ଓଡ଼ିଶାର ବିଜେପି ବିଧାୟକଙ୍କୁ ଗୋଟିଏ ଲେଖାଏଁ ନିର୍ବାଚନ ମଣ୍ଡଳିର ଦାୟିତ୍ବ ଦିଆଯିବ । ସେମାନେ ସେସବୁ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ଠାରୁ ଆରମ୍ଭ କରି ନିର୍ବାଚନ ଜିତିବା ଲାଗି ରଣନୀତି ପ୍ରସ୍ତୁତ କରିବେ । କେବଳ ଓଡ଼ିଶା ନୁହେଁ ବିହାର, ଉତ୍ତର ପ୍ରଦେଶ, ଛତିଶଗଡର ବିଜେପି ବିଧାୟକ ମାନଙ୍କୁ ମଧ୍ୟ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଦିଆଯାଇଛି ଦାୟିତ୍ବ ।

ପଶ୍ଚିମବଙ୍ଗର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କେତେ ଓଡ଼ିଆ ଲୋକ ରହୁଛନ୍ତି ତା’ର ତଥ୍ୟ ନେବା ସହ ସେମାନଙ୍କ ସହ ଯୋଗାଯୋଗ କରିବେ ଓଡ଼ିଆ ନେତା । ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ ସେଠାରେ ରହୁଥିବା ଓଡ଼ିଆ ଲୋକମାନଙ୍କୁ କ’ଣ ସୁବିଧା ସୁଯୋଗ ମିଳିବ ସେନେଇ ସେଠାକାର ଲୋକଙ୍କୁ ଅବଗତ କରିବେ ବିଜେପି ନେତା । ଓଡ଼ିଶାରେ କିଭଳି ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବାକୁ ସୁଭଦ୍ରା ଯୋଜନା କରାଯାଇଛି, କିଭଳି ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଧାନ ବିକ୍ରି ପାଇଁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସବସିଡି ବ୍ୟବସ୍ଥା କରାଯାଇଛି, କିଭଳି ଓଡ଼ିଶାରେ ଆୟୁଷ୍ମାନ କାର୍ଡ଼ ଲାଗୁ ହେବା ପରେ ଲୋକେ ମାଗଣାରେ ସ୍ବାସ୍ଥ୍ୟ ସେବା ପାଇ ପାରୁଛନ୍ତି, ବିଜେପି ସରକାରର ସେସବୁ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବେ । ଏମିତିକି ନିର୍ବାଚନ ପୂର୍ବରୁ ସେଠାରେ ରହୁଥିବା ଓଡ଼ିଆ ଲୋକଙ୍କ ସମସ୍ୟା ବୁଝି ସେଗୁଡ଼ିକର ସମାଧାନ କରିବା ଦିଗରେ କାମ କରିବେ ଓଡ଼ିଶା ନେତା ।  ଏଥି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କେନ୍ଦ୍ର ସରକାରଙ୍କ ଉପଲବ୍‌ଧି ସମ୍ପର୍କରେ ଲୋକଙ୍କୁ ବୁଝାଇବେ ଓଡ଼ିଶା ନେତା ।