ବସନ୍ତ ପଞ୍ଚମୀ ୨୦୨୫: ଜାଣନ୍ତୁ ସରସ୍ବତୀ ପୂଜାର ମହତ୍ବ, କେମିତି କରିବେ ପୂଜା ?

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ: ବସନ୍ତ ପଞ୍ଚମୀ ହିନ୍ଦୁ ଧର୍ମର ମହତ୍ବପୂର୍ଣ୍ଣ ପର୍ବ ମଧ୍ୟରୁ ଗୋଟିଏ । ଏହି ଦିନ ମା’ ସରସ୍ବତୀଙ୍କୁ ପୂଜା କରାଯାଇଥାଏ। ମା’ ସରସ୍ବତୀ ହେଉଛନ୍ତି, ଜ୍ଞାନ, ବୁଦ୍ଧି, ବିଦ୍ୟା, ବାଣୀର ଦେବୀ। ବିଶ୍ବାସ ରହିଛି ମା’ ସରସ୍ବତୀଙ୍କ ପୂଜା ଆରାଧନା କଲେ ବୁଦ୍ଧି ଏବଂ ବିଦ୍ୟା ପ୍ରାପ୍ତ ହୋଇଥାଏ। ବସନ୍ତ ପଞ୍ଚମୀ ବସନ୍ତ ଋତୁର ଆଗମନର ମଧ୍ୟ ପ୍ରତୀକ।

ଧାର୍ମିକ ମାନ୍ୟତା ରହିଛି ବସନ୍ତ ପଞ୍ଚମୀର ଦିନ ଜ୍ଞାନର ଦେବୀ ମା’ ସରସ୍ବତୀ ପ୍ରକଟ ହୋଇଥିଲେ। ଏହି କାରଣରୁ ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ ଭାବରେ ପାଳନ କରାଯାଏ। ତେବେ ଏହି ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଆସନ୍ତୁ ଜାଣିବା ସରସ୍ବତୀ ପୂଜାର ମହତ୍ବ, ପୂଜା ବିଧି, ଶୁଭ ମୁହୂର୍ତ୍ତ, ମନ୍ତ୍ର ବିଷୟରେ। 

ସରସ୍ବତୀ ପୂଜା ସମଗ୍ର ଦେଶରେ ଖୁବ୍ ଧୁମ୍‌ଧାମରେ ପାଳନ ହୋଇଥାଏ। ବସନ୍ତ ପଞ୍ଚମୀର ଧାର୍ମିକ ଏବଂ ଆଧ୍ୟାତ୍ମିକ ମାହାତ୍ମ୍ୟ ରହିଛି। ବସନ୍ତ ପଞ୍ଚମୀ ଚାଷୀଙ୍କ ପାଇଁ ମଧ୍ୟ ଖୁବ୍ ମହତ୍ବପୂର୍ଣ୍ଣ। କାରଣ ଏହି ବସନ୍ତ ଋତୁର ଆରମ୍ଭ ଏବଂ କୃଷି ବିହନ ବୁଣିବା ସମୟର ପ୍ରତୀକ। ଚାଷୀ କ୍ଷେତକୁ ପ୍ରସ୍ତୁତ କରିଥାନ୍ତି। ଏହି ଦିନ ଛୋଟ ପିଲାଙ୍କୁ ଖଡ଼ି ଛୁଆଁଯାଇଥାଏ। ସ୍କୁଲ ଏବଂ କଲେଜରେ ମଧ୍ୟ ସଫଳତା ଏବଂ ଜ୍ଞାନର ଦେବୀଙ୍କ ଆଶୀର୍ବାଦ ନେବା ପାଇଁ ସରସ୍ବତୀଙ୍କ ପୂଜା କରାଯାଇଥାଏ।

ତେବେ ଆସନ୍ତୁ ଜାଣିବା କିପରି ଘରେ କରିପାରିବେ ପୂଜା ?

ଚଳିତ ବର୍ଷ ରବିବାର ଅର୍ଥାତ ଫେବ୍ରୁଆରୀ ୨ ତାରିଖରେ ପାଳନ ହେବ ବସନ୍ତ ପଞ୍ଚମୀ। ଆଉ ଏହି ଦିନ ପାଳନ ହେବ ସରସ୍ବତୀ ପୂଜା। ବସନ୍ତ ପଞ୍ଚମୀ ଦିନ ପୂଜା କରିବା ପାଇଁ ସକାଳୁ ଜଲଦି ଉଠନ୍ତୁ। ଏମିତିରେ ତ’ ସରସ୍ବତୀ ପୂଜା ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭନ୍ନ ନୀତି ନିୟମରେ କରାଯାଉଛି। 

ତଥାପି କିଛି ନୀତି ନିୟମ ରହିଛି ଯାହା ସବୁଠୁ ସମାନ। ଘରେ ମା’ ସରସ୍ବତୀଙ୍କ ପୂଜା କରିବାକୁ ହେଲେ, ପ୍ରଥମେ ସକାଳୁ ଉଠି ସ୍ନାନ କରି ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ମା’ ସରସ୍ବତୀଙ୍କ ପାଇଁ ସ୍ବତନ୍ତ୍ର ଆସ୍ଥାନ ପ୍ରସ୍ତୁତ କରନ୍ତୁ। ମାଆଙ୍କ ପୂଜା ପାଇଁ ଘିଅ ଦୀପ, ହଳଦୀ ରଙ୍ଗର ମିଠା ଏବଂ ଫୁଲ ଅର୍ପଣ କରନ୍ତୁ।  ପୁସ୍ତକ, ସଙ୍ଗୀତ ବାଦ୍ୟଯନ୍ତ୍ର ଏବଂ ଜ୍ଞାନର ଅନ୍ୟ ଉପକରଣ ମୂର୍ତ୍ତି ସମ୍ମୁଖରେ ରଖନ୍ତୁ। ଅନେକ ଲୋକ ବୁଦ୍ଧି ଏବଂ ସଫଳତା ପାଇଁ ତାଙ୍କର ଆଶୀର୍ବାଦ ପାଇର୍ ମନ୍ତ୍ର ଉଚ୍ଚାରଣ କରିଥାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.