କର୍ଣ୍ଣାଟକ ବିଧାନସଭା ଅଧିବେଶନକୁ ସମ୍ବୋଧିତ ନ କରିବାକୁ ରାଜ୍ୟପାଳଙ୍କ ନିଷ୍ପତ୍ତି, ଜଣାପଡିନି କାରଣ

NEWS7
saira-banu-decided-to-close-dilip-kumar-twitter-account-faisal-farooqui-post-last-massage-on-late-actor-twitter

ବେଙ୍ଗାଲୁରୁ ୨୧।୧: କର୍ଣ୍ଣାଟକ ରାଜ୍ୟପାଳ ଥାବରଚନ୍ଦ ଗହଲୋତ ୨୨ ଜାନୁୟାରୀରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। କେରଳ ଓ ତାମିଲନାଡୁ ବିଧାନସଭାରେ ଭାଷଣ ଦେବା ଲାଗି ରାଜ୍ୟପାଳମାନଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡିଛି। କେରଳ ଓ ତାମିଲନାଡୁ ଭଳି କର୍ଣ୍ଣାଟକ ମଧ୍ୟ ଅଣ ବିଜେପି ଶାସିତ ରାଜ୍ୟ। ଏଣୁ ହୁଏତ ବିଧାନସଭାରେ ଅଭିଭାଷଣ ନରଖିବାକୁ ରାଜ୍ୟପାଳ ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିର କାରଣ କଣ ତାହା ଅଧିକାରୀକ ଭାବେ ସୂଚିତ କରାଯାଇନି।

ରାଜ୍ୟପାଳଙ୍କ ନିଷ୍ପତ୍ତି ଜଣାପଡିବା ପରେ କର୍ଣ୍ଣାଟକ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ.କେ. ପାଟିଲଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ପ୍ରସଙ୍ଗରେ ରାଜ୍ୟପାଳଙ୍କ ସହ ଆଲୋଚନା ନିମନ୍ତେ ଲୋକ ଭବନରେ ଭେଟିବେ ବୋଲି ଜଣାପଡିଛି। ତେବେ ପାଟିଲ କହିଛନ୍ତି ଯେ ଯଦି ରାଜ୍ୟପାଳ ଏ ନେଇ ମନା କରନ୍ତି ତା ପରେ ପ୍ରତିନିଧି ଦଳ ଭେଟିବା ପାଇଁ ରାଜଭବନ ଯିବେ।

କର୍ଣ୍ଣାଟକ ବିଧାନସଭାର ମିଳିତ ଅଧିବେଶନ ଜାନୁୟାରୀ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶ ବେଶ ସରଗରମ ହୋଇପାରେ ବୋଲି ଆକଳନ କରାଯାଉଛି, କାରଣ ଶାସକ କଂଗ୍ରେସ ଓ ବିପକ୍ଷ ବିଜେପି ସଦନରେ ମୁହାଁମୁହିଁ ହୋଇ ପାରନ୍ତି। ଏହା ଛଡା ଅଧିବେଶନ କାଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ହଟାଇ ଦିଆଯାଇଥିବା ମହାତ୍ମାଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ (ଏମଜିଏନଆରଆଇଜିଏ)କୁ ନେଇ ବିଧାନସଭାରେ କଂଗ୍ରେସ ପ୍ରସ୍ତାବ ଉପସ୍ଥାପନ କରିପାରେ ବୋଲି ଆକଳନ କରାଯାଉଛି।

ଏଥିରେ ରାଜ୍ୟ ସରକାର ପୂର୍ବ ପ୍ରଚଳିତ ଏମଜିଏନଆରଆଇଜିଏ ଯୋଜନାର ପୁନରବହାଲୀ ଓ ଏହି ଯୋଜନା ସ୍ଥାନରେ ଅଣାଯାଇଥିବା ବିକଶିତ ଭାରତ ରୋଜଗାର ଓ ଅଜୀବିକା ମିସନ(ଭିବିଜି ରାମ ଜୀ) ଅଧିନିୟମକୁ ରଦ୍ଦ କରିବା ପାଇଁ ଦାବି କରିବେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଚଳାଯାଇଥିବା ‘ମନରେଗା ବଚାଓ’ ଅଭିଯାନ ଅନୁରୂପ ବୋଲି କୁହାଯାଇଛି। ଏହା ଛଡା କର୍ଣ୍ଣାଟକ କ୍ୟାବିନେଟ୍ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ଭିବିଜୀ-ରାମ-ଜୀ ଯୋଜନାକୁ ରାଜ୍ୟରେ ଗ୍ରହଣ କରିବେନି ବୋଲି ସଂକଳ୍ପ କରିଛନ୍ତି। ଏହା ଛଡା କେନ୍ଦ୍ର ସରକାରଙ୍କ ନୂଆ ଯୋଜନାକୁ ଆଇନ ମାଧ୍ୟମରେ ଚ୍ୟାଲେଞ୍ଜ କରିବାକୁ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି।