ମହିଳା ଓକିଲଙ୍କୁ ବେଆଇନ ଭାବରେ ଅଟକ ରଖି ଯୌନ ନିର୍ଯାତନା ଦେଲା ପୋଲିସ, ସୁପ୍ରମକୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

NEWS7
saif-ali-khan-knife-attack-police-identify-1-accused

ନୂଆଦିଲ୍ଲୀ: ଥାନାରେ ମହିଳା ଓକିଲଙ୍କୁ ଦୁର୍ବ୍ୟବହାର ମାମଲାକୁ ନେଇ ଚର୍ଚ୍ଚା। ନୋଏଡାର ସେକ୍ଟର ୧୨୬ ପୋଲିସ ଷ୍ଟେସନରେ ଘଟିଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଖପ୍ପା । ପୀଡ଼ିତାଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ, ଘଟଣା ଦିନ ସଂପୃକ୍ତ ଥାନର ସିସିଟିଭି ଫୁଟେଜ୍ ଯେମିତି ଡିଲିଟ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଗୌତମ ବୁଦ୍ଧ ନଗର ଜିଲ୍ଲାର ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଓକିଲ ଅଭିଯୋଗ କରିଥିଲେ ଯେ, ଡିସେମ୍ବର ୩ ରାତିରେ ନୋଏଡାର ସେକ୍ଟର ୧୨୬ ପୋଲିସ ଷ୍ଟେସନରେ ନିଜ କାମରେ ଯାଇଥିବା ବେଳେ ତାଙ୍କୁ ପୋଲିସ ୧୪ ଘଣ୍ଟା ଯାଏଁ ବଳପୂର୍ବକୁ ହାଜତରେ ପୂରାଇ ଦେଇଥିଲା । ଏହି ସମୟରେ ତାଙ୍କୁ ଦୁର୍ବ୍ୟବହାର, ଯୌନ ନିର୍ଯାତନା ଏବଂ ମାଡ଼ ମାରିଥିଲା ପୋଲିସ ।

ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ ବିକାଶ ସିଂହ କହିଛନ୍ତି ଯେ, ଜଣେ ମହିଳା ଓକିଲଙ୍କୁ ଯୌନ ନିର୍ଯାତନା ଦିଆଯିବା ଏବଂ ତାଙ୍କୁ ଅବୈଧ ଭାବରେ ଅଟକ ରଖିବା, ଏକ ଅତ୍ୟନ୍ତ ଘୃଣ୍ୟ ମାମଲା । ଆବେଦନକାରୀ ଦିଲ୍ଲୀର ଶାହଦରା ବାର ଆସୋସିଏସନରେ ପଞ୍ଜିକୃତ ଓକିଲ।

ବିଚାରପତି ବିକ୍ରମ ନାଥ ଏବଂ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି, ଏପରି ଆବେଦନଗୁଡ଼ିକୁ ସାଧାରଣତଃ ସିଧାସଳଖ ଗ୍ରହଣ କରାଯାଏ ନାହିଁ । କିନ୍ତୁ ସିସିଟିଭି କ୍ୟାମେରା ବନ୍ଦ କରାଯିବା ପ୍ରସଙ୍ଗ ମଧ୍ୟ କୋର୍ଟଙ୍କ ନଜରରେ ରହିଛି । ଅଭିଯୋଗର ଗମ୍ଭୀରତାକୁ ବିଚାର କରି ମାମଲାକୁ ଗ୍ରହଣ କରାଯାଉଛି। କୋର୍ଟ ନୋଏଡା ପୋଲିସକୁ ସିସିଟିଭି ଫୁଟେଜକୁ ସିଲ୍ ଏବଂ ସଂରକ୍ଷଣ କରି ଜାନୁଆରୀ ୭ ତାରିଖରେ କୋର୍ଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୭ ତାରିଖରେ ଶୁଣାଣିରେ ନୋଏଡା ପୋଲିସ ନିଜ ପକ୍ଷରେ କି ତଥ୍ୟ ଏବଂ ଯୁକ୍ତି ଉପସ୍ଥାପନ କରିବ ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଖଣ୍ଡପୀଠ ନିର୍ଦ୍ଦେଶ ଦେବା ପରେ, ବିକାଶ ସିଂହ ଆବେଦନକାରୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ଏହି ନିର୍ଦ୍ଦେଶ ଦେବା ପରେ ସେମାନେ ତାଙ୍କୁ ଛୁଇଁବାକୁ ସାହସ କରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଶୁଣାଣି ସମୟରେ ବରିଷ୍ଠ ଓକିଲ ବିକାଶ ସିଂହ କହିଥିଲେ ଯେ, ପୋଲିସ ଷ୍ଟେସନରେ ଥିବା ସିସି କ୍ୟାମେରାଗୁଡ଼ିକୁ ତୁରନ୍ତ ଜବତ କରାଯିବା ଉଚିତ। ଅଭିଯୋଗକାରୀଙ୍କୁ ମାଡ଼ ମରାଯାଇଥିଲା ଏବଂ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଇଥିଲା। ଖଣ୍ଡପୀଠ ପ୍ରଥମେ ପଚାରିଥିଲେ ଯେ, ଆବେଦନକାରୀ ତାଙ୍କ ଅଭିଯୋଗ ନେଇ ଆହ୍ଲାବାଦ ହାଇକୋର୍ଟକୁ କାହିଁକି ଯାଇନଥିଲେ ? କିନ୍ତୁ ପରେ ଆବେଦନକାରୀଙ୍କ ଅଭିଯୋଗର ଗମ୍ଭୀରତାକୁ ନଜରରେ ରଖି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ ।

ସେପଟେ ଉତ୍ତର ପ୍ରଦେଶର ଡିଜିପି ସେକ୍ଟର ୨୬ ଥାନାର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆବେଦନକାରୀ ଦାବି କରିଛନ୍ତି । ଏପରିକି ଉତ୍ତର ପ୍ରଦେଶ ସରକାର ମାମଲାର ତଦନ୍ତ ଲାଗି ଏକ ଏସଆଇଟ୍ ଗଠନ କରନ୍ତୁ କିମ୍ବା ସିବିଆଇକୁ ଦିଅନ୍ତୁ ବୋଲି ମଧ୍ୟ ଆବେଦନକାରୀଙ୍କ ଓକିଲ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି ।