ସାହାରା ଇଣ୍ଡିଆ ସମୂହର ମ୍ୟାନେଜର ଗିରଫ, ରହିଛି ୪୦୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ

Published By : Prameya-News7 Bureau | August 23, 2025 IST

ମଧୁବନୀ ୨୩।୮: ସାହାରା ଗ୍ରୁପ ଦ୍ୱାରା ୪୦୦ କୋଟି ଟଙ୍କାରୁ ଅଧିକ ଠକେଇ ସମ୍ପର୍କିତ ମାମଲାରେ ସିଆଇଡି ସାହାରା ଇଣ୍ଡିଆ ବୋକାରୋ ର ଜୋନାଲ ମ୍ୟାନେଜର ସୁନ୍ଦର ଝାଙ୍କୁ ଗିରଫ କରିଛି। ଝା ସିଆଇଡି ଦ୍ୱାରା ମଧୁବନୀର ପଣ୍ଡୋଲରୁ ଗିରଫ  ହୋଇଛନ୍ତି। ଗିରଫ ପରେ ତାଙ୍କୁ ରାଞ୍ଚୀ ଅଣାଯାଇଥିବା ବେଳେ କୋର୍ଟ ତାଙ୍କୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଚଛି। ଏହା ପୂର୍ବରୁ ସିଆଇଡି ଜୁଲାଇ ୨୮ରେ ଜୋନାଲ ମ୍ୟାନେଜର ସଞ୍ଜୀବ କୁମାରଙ୍କୁ ଗିରଫ କରିଥିଲା। 

୩୦ ନଭେମ୍ବର ୨୦୨୪ରେ ସିଆଇଡି ଥାନାରେ ରୁଜୁ ମାମଲା ଅନୁସାରେ ସୁନ୍ଦର ଓ ସଞ୍ଜୀବଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ସାହାରା ମୁଖ୍ୟ ସୁବ୍ରତ ରାୟ (ମୃତ) ତାଙ୍କ ପତ୍ନୀ ସ୍ୱପ୍ନା ରାୟ, ଭାଇ ଜୟବ୍ରତ ରାୟ, ପୁଅ ସୁଶାନ୍ତୋ ଓ ସୀମାନ୍ତୋ ରାୟ, ଓମ ପ୍ରକାଶ ଶ୍ରୀବାସ୍ତବ, ଦେବେନ୍ଦ୍ର କୁମାର ଶ୍ରୀବାସ୍ତବ, ନିରଜ କୁମାର ପାଲ, ସୁନ୍ଦର ଝା ଓ ସଞ୍ଜୀବ କୁମାର ଅଭିଯୁକ୍ତ ଅଛନ୍ତି। 

ସାହାରା ସମୂହ କମ୍ପାନୀ ସାହାରା ଇଣ୍ଡିଆ କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ଲିମିଟେଡ, ସାହାରା ୟୁନିଭର୍ସାଲ ମଲ୍ଟି ପରପୋଜ ସୋସାଇଟି ଲିମିଟେଡ, ହମାରା ଇଣ୍ଡିଆ କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ, ସାହାରା କ୍ୟୁସପ୍ ୟୁନିକ୍ ପ୍ରଡକ୍ଟସ ରେଞ୍ଜ ଲିମିଟେଡ, ସାହାରା କ୍ୟୁ ସପ୍ ଇଷ୍ଟ ସାହାରା ଇଣ୍ଡିଆ କମର୍ସିଆଲ କୋ-ଅପରେସନ ଲିମିଟେଡକୁ ମଧ୍ୟ ଏଫଆଇଆରରେ ଅଭିଯୁକ୍ତ କରାଯାଇଛି। 

ଠକେଇ ମାମଲାରେ ସାହାରା ମୁଖ୍ୟ ଓ ତାଙ୍କ ପରିବାର ଲୋକେ ସିଆଇଡି ଯାଞ୍ଚରେ ଦୋଷୀ ବୋଲି ଜଣାପଡିଛନ୍ତି। ତେବେ ସାହାରା ମୁଖ୍ୟଙ୍କ ପତ୍ନୀ ସ୍ୱପ୍ନା ରାୟ, ପୁଅ ସୀମାନ୍ତୋ ରାୟ ଓ ସୁଶାନ୍ତୋ ରାୟ ମାସିଡୋନିଆର ନାଗରିକତା ନେଇ ସାରିଛନ୍ତି। ମାସିଡୋନିଆରେ ନିବେଶ ଆଧାରରେ ସାହାରା ମୁଖ୍ୟଙ୍କ ପରିବାର ନାଗରିକତା ଗ୍ରହଣ କରିଛି। ଏହା ଛଡା ମାସିଡୋନିଆ ସହିତ ଭାରତର ପ୍ରତ୍ୟାର୍ପଣ ସନ୍ଧି ମଧ୍ୟ ନାହିଁ। ଏଣୁ ଅଭିଯୁକ୍ତମାନେ ଏହାର ଲାଭ ଉଠାଉଛନ୍ତି। ସିଆଇଡି ଅଧିକାରୀଙ୍କ ଅନୁସାରେ ଏହି ମାମଲାରେ ଫେରାର ଅଭିଯୁକ୍ତଙ୍କ ବିରୋଧରେ ଖୁବଶୀଘ୍ର ରେଡକର୍ଣ୍ଣର ନୋଟିସ୍ ଜାରି ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.