ନୂଆଦିଲ୍ଲୀ: ଭାରତର ୧୫ ସହରରେ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିବା ପାଇଁ ଉଦ୍ୟମ କରିଛି ପାକିସ୍ତାନ । କିନ୍ତୁ ପାକିସ୍ତାନର ଏହି ଉଦ୍ୟମକୁ ବାୟୁସେନା ପଣ୍ଡ କରିଛି । ବାୟୁ ସେନା ଏସ୍-୪୦୦ ସୁଦର୍ଶନ ଚକ୍ର ପ୍ରତିରକ୍ଷା ପ୍ରଣାଳୀ ମାଧ୍ୟମରେ ପାକିସ୍ତାନ ମିସାଇଲକୁ ଧ୍ୱଂସ କରିଛି । ଭାରତ ପ୍ରଥମ ଥର ପାଇଁ ଏସ୍-୪୦୦ ଡିଫେନ୍ସ ସିଷ୍ଟମକୁ ବ୍ୟବହାର କରିଛି ।
ରୁଷରୁ କିଣିଥିବା ଅତ୍ୟାଧୁନିକ ଏସ୍-୪୦୦ ଏୟାର ଡିଫେନ୍ସି ମିସାଇଲ୍ ସିଷ୍ଟମକୁ ଭାରତ ନିଜ ସୀମାରେ ମୁତୟନ କରିଛି । ପାକିସ୍ତାନ ପଟୁ ଆକ୍ରମଣ ହେବା କ୍ଷଣି, ଭାରତ ଏସ୍-୪୦୦ ମିସାଇଲକୁ ଆକ୍ଟିଭ କରିଛି । ଏହା ଜରିଆରେ ଶତ୍ରୁର ମିସାଇଲକୁ ଆକାଶରେ ଧ୍ୱଂସ କରାଯାଇଛି । ଭାରତ ଏହି ସିଷ୍ଟମକୁ ସୁଦର୍ଶନ ଚକ୍ର ନାଁ ଦେଇଛି, ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଚକ୍ରକୁ ପ୍ରେରିତ ।
ଏସ୍-୪୦୦ ଏକ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ । ଏହାକୁ ରୁଷର ଏଲମାଜ ସେଣ୍ଟ୍ରାଲ୍ ଡିଜାଇନ୍ ବ୍ୟୁରୋ ନିର୍ମାଣ କରିଛି । ଏହି ପ୍ରତିରକ୍ଷା ପ୍ରଣାଳୀ ୪୦୦ କିଲୋମିଟର ଦୂରରୁ ହିଁ ଶତ୍ରୁ ଗତିବିଧିକୁ ଚିହ୍ନଟ କରିପାରିବ । ଏହାସହ ଶତ୍ରୁର ଆକ୍ରଣମକୁ ବିଫଳ କରିବ । ଏହି ସିଷ୍ଟମ ମିସାଇଲ୍, ଡ୍ରୋନ, ଫାଇଟର୍ ଜେଟ୍ସ ଓ ରକେଟ୍ ଲଞ୍ଚର ପରି ଏୟାର ଷ୍ଟ୍ରାଇକକୁ ରୋକିବାରେ ସକ୍ଷମ । ଏହା ଏକ ମୋବାଇଲ୍ ସିଷ୍ଟମ, ଅର୍ଥାତ୍ ଏହାକୁ ରୋଡ୍ ଜରିଆରେ ଯେକୌଣସି ସ୍ଥାନକୁ ନିଆଯାଇପାରିବ । ମାତ୍ର ୫ରୁ ୧୦ ମିନିଟ୍ ମଧ୍ୟରେ ଏହାକୁ ଅପରେସନ ପାଇଁ ପ୍ରସ୍ତୁତ କରାଯାଇପାରିବ ।
ଏହି ସିଷ୍ଟମ ୪୦୦ କିମି ଯାଏ ଟାର୍ଗେଟକୁ ଟିହ୍ନଟ କରି ଧ୍ୱଂସ କରିପାରିବ । 92N6E ନାମକ ରାଡାର ଏଥିରେ ଲାଗିଛି । ଯାହା ୬୦୦ କି.ମି ଦୂର ଯାଏ ମଲ୍ଟିପଲ୍ ଟାର୍ଗେଟକୁ ଟିହ୍ନଟ କରିପାରିବ । ଏକାସଙ୍ଗରେ ୧୬୦ ଟାର୍ଗେଟକୁ ଟିଡେକ୍ଟ କରିପାରିବ । ଏପରିକି ଗୋଟିଏ ଟାର୍ଗେଟ୍ ଉପରେ ଦୁଇଟି ମିସାଇଲ୍ ମାଡ଼ କରିପାରିବ । ଏହା ୩୦ କିଲୋମିଟର ଉଚ୍ଚ ଉଡ଼ୁଥିବା ଶତ୍ରୁର ଟାର୍ଗେଟକୁ ଆକାଶରେ ଧ୍ୱଂସ କରିପାରିବ ।