'ଶାନ୍ତିପୂର୍ଣ୍ଣ ସମାଧାନକୁ ଆଦୌ ପ୍ରୋତ୍ସାହିତ କରୁ ନାହିଁ', ୟୁକ୍ରେନକୁ ଆମେରିକାର ଅଧିକ ଅସ୍ତ୍ର ଯୋଗାଣ ଉପରେ ରାଗିଲା ରୁଷ

Published By : Prameya-News7 Bureau | July 08, 2025 IST

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ସୈନ୍ୟ ସଂଘର୍ଷ ତିନି ବର୍ଷରୁ ଅଧିକ ହେଲାଣି । ଯୁଦ୍ଧର ଅନ୍ତ କେଉଁଠି, ତାହା ଏବେ ବି ଜଣାପଡ଼ି ନାହିଁ । ଏହାରି ଭିତରେ ମଙ୍ଗଳବାର ଜୁଲାଇ ୮ରେ ରୁଷ ପୁଣି ଥରେ ଚେତାବନୀ ଦେଇଛି । ରୁଷର ଶାସନ କେନ୍ଦ୍ର କ୍ରେମଲିନ୍ କହିଛି ଯେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବା ଯୁଦ୍ଧରୁ ଆହୁରି ବଢାଇବ । ଏହି ପଦକ୍ଷେପ ଶାନ୍ତିପୂର୍ଣ୍ଣ ସମାଧାନକୁ ଆଦୌ ପ୍ରୋତ୍ସାହିତ କରୁ ନାହିଁ । ରୁଷ ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଚେତାବନୀ, ଟ୍ରମ୍ପଙ୍କ ବୟାନର ଗୋଟିଏ ଦିନ ପରେ ଆସିଛି । ଗୋଟିଏ ଦିନ ପୂର୍ବେ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ଆତ୍ମରକ୍ଷା ପାଇଁ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବେ । ଏହା ପୂର୍ବରୁ ଗତ ସପ୍ତାହରେ ୱାଶିଂଟନ ଏକ ବିବୃତ୍ତି ଜାରି କରିଥିଲା, ଯେଉଁଥିରେ କିଭ୍‌କୁ ଅସ୍ତ୍ରଶସ୍ତ୍ର ପଠାଯିବା କଥା କୁହାଯାଇଥିଲା ।

କ୍ରେମଲିନ୍ ମୁଖପାତ୍ର ଡିମିତ୍ରି ପେସ୍‌କୋଭ କହିଛନ୍ତି, 'ଏହିପରି ପଦକ୍ଷେପ ଶାନ୍ତିପୂର୍ଣ୍ଣ ସମାଧାନକୁ ଆଦୌ ପ୍ରୋତ୍ସାହିତ କରୁ ନାହିଁ ।' ଏହାସହ ସେ ପାଶ୍ଚ୍ୟାତ ରାଷ୍ଟ୍ରଙ୍କୁ ଏଥିପାଇଁ କଡ଼ା ସମାଲୋଚନା କରିଛନ୍ତି । ୟୁରୋପିଆନ୍ ରାଷ୍ଟ୍ରଗୁଡ଼ିକ ଲଗାତାର ଅସ୍ତ୍ର ଯୋଗାଣ କରି ଯୁଦ୍ଧର ସମୟକୁ ବଢାଉଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବା ପରଠୁ ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ଓ ରୁଷ ଉପରେ ଲାଗାତାର ଚାପ ପକାଉଛନ୍ତି । ଦୁଇ ଦେଶ ସହ ଆଲୋଚନା ପରେ ସକାରାତ୍ମକ ପରିଣାମ ଆଶା ରଖିଥିଲେ ଟ୍ରମ୍ପ । କିନ୍ତୁ ରୁଷ ଦ୍ୱାରା ବାରମ୍ୱାର ବଡ଼ ଧରଣର ଆକ୍ରମଣ ଓ ୟୁକ୍ରେନର ପ୍ରତି ଆକ୍ରମଣ ଯୁଦ୍ଧ ଶେଷର ଆଶାକୁ ମଳିନ କରୁଛି । ଆମେରିକା ଓ ୟୁରୋପିଆନ୍ ରାଷ୍ଟ୍ରଙ୍କ ଚାପ ସତ୍ତ୍ୱେ ଯୁଦ୍ଧ ଶେଷ ପାଇଁ ପୁଟିନ ଇଚ୍ଛା ପ୍ରକାଶ କରୁନାହାନ୍ତି । 

ଗତ ସପ୍ତାହରେ ରୁଷ ସେନା ପୂର୍ବ ୟୁକ୍ରେନର ଡୋନେଟସ୍କରେ ଥିବା ସେବଚୋଙ୍କୋ ଗାଁରେ କବଜା କରିଥିଲା । ଏହି ଅଞ୍ଚଳ ୟୁକ୍ରେନର ଲିଥିୟମ ଭଣ୍ଡାର ନିକଟରେ ରହିଛି ଓ ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତିନି ବର୍ଷର ଯୁଦ୍ଧରେ ଏହାକୁ ରୁଷର ସବୁଠୁ ବଡ଼ ସଫଳତା ବୋଲି କୁହାଯାଇଥିଲା । ଡୋନେଟସ୍କ ଓ ଡନିପ୍ରୋପେତ୍ରୋବସ୍କ ମଧ୍ୟରେ ସେବଚୋଙ୍କୋ ଗାଁ ରହିଛି । ୪୦ ହେକ୍ଟରରେ ବ୍ୟାପ୍ତ ଏହି ଅଞ୍ଚଳ ପ୍ରମୁଖ ଲିଥିୟମ ଖଣିଜ ଭଣ୍ଡାର ନିକଟରେ ରହିଛି । ୧୯୮୨ରେ ସୋଭିଏତ ଭୂବିଜ୍ଞାନୀ ଏଠାରୁ ଲିଥିୟମର ବିଶାଳ ଭଣ୍ଡାର ଖୋଜି ପାଇଥିଲେ । ଏହାର ଗଭୀରତା ବାଣିଜ୍ୟିକ ଖନନ ପାଇଁ ଉପଯୁକ୍ତ ଅଟେ ।

ରୁଷ ଦ୍ୱାରା ନିଯୁକ୍ତ ଡୋନେଟସ୍କ ଅଧିକାରୀ ଇଗୋର କ୍ଲିମାକୋବକସ୍କି କହିଥିଲେ, ସେବଚେଙ୍କୋ ଗାଁରେ ଲିଥିୟମ ଭଣ୍ଡାର ଯୋଗୁଁ ୟୁକ୍ରେନ ଏଠାରେ ଅଧିକ ସୈନିକ ମୁତୟନ କରିଥିଲା । ଅଞ୍ଚଳରେ ପରିସ୍ଥିତି ସୁଧୁରିଲେ, ଖନନ ପାଇଁ ଏହାକୁ ବିକଶିତ କରାଯିବ । ଜାନୁଆରୀରେ ରୁଷ ମିଡିଆ ସେବଚେଙ୍କୋର ଲିଥିୟମ କ୍ଷେତ୍ର ଉପରେ କବଜା କରାଯାଇଥିବା ଦାବି କରିଥିଲା । କିନ୍ତୁ ପରେ ଏହି ଖବର ମିଛ ବାହାରିଥିଲା । ଉଲ୍ଲେଖଯୋଗ୍ୟ ଯେ ଆଜିର ସମୟରେ ଲିଥିୟନ ଦୁନିଆର ସବୁଠୁ ମୂଲ୍ୟବାନ ଖଣିଜ ଧାତୁ ମଧ୍ୟରେ ଗୋଟିଏ । ମୋବାଇଲ୍ ଫୋନ୍, ଇଲେକ୍ଟ୍ରିକ ଗାଡ଼ି, ବ୍ୟାଟେରି ସମୟରେ ହାଇଟେକ୍ ଉପକରଣ ନିର୍ମାଣରେ ଏହାକୁ ବ୍ୟବହାର କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.