ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଲାଗିବ କି ବିରାମ? ପୁଟିନ୍‌ଙ୍କ ସହ କଥା ହେଲେ ଟ୍ରମ୍ପ୍‌

Published By : Prameya-News7 Bureau | May 20, 2025 IST

ନୂଆଦିଲ୍ଲୀ: ବନ୍ଦ ହେବ କି ଋଷ-ୟୁକ୍ରେନ ଯୁଦ୍ଧ ? ୟୁକ୍ରେନରେ ଯୁଦ୍ଧବିରତି ସମ୍ପର୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ରେ ଦୁଇ ଘଣ୍ଟା କଥା ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ଯେ ପୁଟିନଙ୍କ ସହ ତାଙ୍କର ଆଲୋଚନା ବହୁତ ଭଲ ଥିଲା। ସେ କହିଛନ୍ତି ଯେ ରୁଷ ଏବଂ ୟୁକ୍ରେନ ତୁରନ୍ତ ଯୁଦ୍ଧବିରତି ପାଇଁ ଆଲୋଚନା ଆରମ୍ଭ କରିବେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯୁଦ୍ଧର ଅନ୍ତ କରିବେ। ଟ୍ରମ୍ପ କହିଛନ୍ତି ଯେ ଏଥିପାଇଁ ଯାହା ବି ସର୍ତ୍ତ ରହିବ, ସେଗୁଡ଼ିକ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନିଆଯିବ।

ଏହି ଭୟଙ୍କର ଯୁଦ୍ଧର ଶେଷ ପରେ ରୁଷ ଆମେରିକା ସହିତ ବ୍ୟାପକ ବାଣିଜ୍ୟ କରିବାକୁ ଚାହୁଁଛି ବୋଲି ଟ୍ରମ୍ପ ଦାବି କରିଛନ୍ତି। ସେ କହିଛନ୍ତି, ରୁଷ ପାଇଁ ବିପୁଳ ପରିମାଣରେ ନିଯୁକ୍ତି ଏବଂ ସମ୍ପତ୍ତି ସୃଷ୍ଟି କରିବାର ଏହା ଏକ ମହାନ ସୁଯୋଗ। ସେହିପରି ୟୁକ୍ରେନ ନିଜ ଦେଶର ପୁନଃନିର୍ମାଣ ପ୍ରକ୍ରିୟାରେ ଆମେରିକା ସହିତ ବ୍ୟବସାୟ କରି ଏହାର ସୁଯୋଗ ନେଇପାରିବ।

ଟ୍ରମ୍ପ କହିଛନ୍ତି ଯେ ପୁଟିନଙ୍କ ସହ କଥା ହେବା ପରେ ସେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି, ୟୁରୋପୀୟ ସଂଘର ରାଷ୍ଟ୍ରପତି ଉର୍ସୁଲା ଭନ୍ ଡେର ଲେଏନ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଡାନୋ ମେଲୋନି, ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଟ୍ରମ୍ପ ଦାବି କରିଛନ୍ତି ଯେ ରୁଷ-ୟୁକ୍ରେନ ଆଲୋଚନା ଆୟୋଜନ କରିବାକୁ ଆଗ୍ରହ ଦେଖାଇଛି ଭାଟିକାନ।

ଟ୍ରମ୍ପଙ୍କ ସହ ଆଲୋଚନା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି, ‘‘ଆମେ ଯୁଦ୍ଧର ଅନ୍ତ ଚାହୁଁ । କିନ୍ତୁ ଋଷ ପ୍ରସ୍ତୁତ କି ନାହିଁ ଆମେ ନିଶ୍ଚିତ ନୁହେଁ । ବିନା ସର୍ତ୍ତରେ ଯୁଦ୍ଧର ଅନ୍ତ ପାଇଁ ଆମେ ପ୍ରସ୍ତୁତ ଅଛୁ। କିଭ୍ ଓ ଏହାର ସହଯୋଗୀମାନେ ଯୁଦ୍ଧ ବନ୍ଦ ପାଇଁ ଋଷ, ଯୁକ୍ତରାଷ୍ଟ୍ର ଆମେରିକା, ଇଉରୋପୀୟ ସଂଘ ଏବଂ ବ୍ରିଟେନ ସହିତ ଆଲୋଚନା କରିବାକୁ ବିଚାର କରୁଛି । ।’’

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ‘‘ଆମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବରେ ସହମତ ଅଛୁ । ୟୁକ୍ରେନ ସହ ଶାନ୍ତି ଚୁକ୍ତି କରି କାମ କରିବା ପାଇଁ ଋଷ ପ୍ରସ୍ତାବ ଦେବ । ମୁଖ୍ୟ ପ୍ରସଙ୍ଗ ହେଉଛି ଜଡରୁ ଏହି ସଙ୍କଟର ସମାଧାନ କରିବା । ଆମକୁ ଶାନ୍ତି ସ୍ଥାପନା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଆପଣାଇବା ଉଚିତ୍ । କେବଳ ବୁଝାମଣା ପରେ ହିଁ ଯୁଦ୍ଧ ବନ୍ଦ ହୋଇପାରିବ। ଯୁଦ୍ଧର ଅନ୍ତ ପାଇଁ ସଠିକ୍ ସମୟ ଆସିଛି । ମସ୍କୋ ୟୁକ୍ରେନ ସହ ଶାନ୍ତି ଚୁକ୍ତି ପାଇଁ ଆଗ୍ରହୀ ଅଛି ।’’



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.