ହ୍ୱାଇଟ୍‌ ହାଉସ୍‌ରେ ହାଇଡ୍ରାମା, ଜେଲେନସ୍କିଙ୍କ ପରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଘେରିଲେ ଟ୍ରମ୍ପ

Published By : Prameya-News7 Bureau | May 22, 2025 IST

ନୂଆଦିଲ୍ଲୀ ୨୨/୦୫: ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହ୍ୱାଇଟ୍‌ ହାଉସ୍‌ରେ  ବୁଧବାର ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍‌  ରାମାଫୋସାଙ୍କୁ ଜୋରଦାର ଘେରିଛନ୍ତି । ଦୁଇଘଣ୍ଟା  ଧରି ଉଭୟଙ୍କ ମଧ୍ୟରେ ବୈଠକ ବସିଥିଲା ।  କିନ୍ତୁ ଏଥିରୁ କୌଣସି ନିର୍ଯାସ ବାହାରି ନ ଥିଲା ।  ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ସେଭଳି କୌଣସି ବଡ଼  ନିଷ୍ପତ୍ତି ହୋଇନଥିଲା । ବୈଠକରେ ରାମାଫୋସା  ଅଧିକ ସମୟ ଧରି ଚୁପ୍‌ଚାପ୍‌ ବସି ଟ୍ରମ୍ପ୍‌ଙ୍କ  କଥା ଶୁଣିଥିଲେ । 

ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗ  ଲୋକମାନଙ୍କୁ ବିଶେଷକରି ଶ୍ୱେତାଙ୍କ ଚାଷୀଙ୍କୁ ହତ୍ୟା  କରାଯାଉଥିବା ନେଇ ଟ୍ରମ୍ପ୍‌ ଅଭିଯୋଗ କରିଥିଲେ । ପ୍ରମାଣସ୍ୱରୂପ ହ୍ୱାଇଟ୍‌ ହାଉସ୍‌ରେ ପ୍ରାୟ ୫ ମିନିଟ୍‌ର  ଭିଡିଓ ଦେଖାଯାଇଥିଲା । ଟ୍ରମ୍ପ୍‌ କହିଥିଲେ, ଏହି  ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ଆମ ପାଖରେ  ହଜାର ହଜାର କାହାଣୀ ରହିଛି । ଡକ୍ୟୁମେଣ୍ଟାରି ବି  ଅଛି । ଏହାପରେ ଉକ୍ତ ଭିଡିଓକୁ ହ୍ୱାଇଟ୍‌ ହାଉସ୍‌ର  ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା ।  




ଭିଡିଓ ଦେଖିବା ପରେ ରାମାଫୋସା ଟ୍ରମ୍ପ୍‌ଙ୍କ  ‘ହ୍ୱାଇଟ୍‌ ଜେନୋସାଇଡ୍‌’ (ଶ୍ୱେତାଙ୍ଗ ନରସଂହାର)  ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ କହିଥିଲେ  ଯେ ଦକ୍ଷିଣ ଆଫ୍ରିକାରେ ଏଭଳି କୌଣସି ଘଟଣା  ଘଟୁନାହିଁ । ଦେଶରେ କେବଳ ଶ୍ୱେତାଙ୍ଗ ଲୋକ  ପ୍ରାଣ ହରାଉ ନାହାନ୍ତି । କୃଷ୍ଣକାୟ ଲୋକଙ୍କୁ ବି ହତ୍ୟା  କରାଯାଉଛି । ବୈଠକରେ ଉପସ୍ଥିତ ଥିବା ଦକ୍ଷିଣ ଆଫ୍ରିକାର କୃଷି ମନ୍ତ୍ରୀ ଜନ୍‌ ଷ୍ଟିନ୍‌ହୁସେନ କହିଥିଲେ,  ସରକାର ସମସ୍ତ ଚାଷୀଙ୍କୁ ସୁରକ୍ଷା ଯୋଗାଇବାକୁ  ପ୍ରତିଶ୍ରୁତିବଦ୍ଧ । 

ଦେଶରେ କେବଳ ଶ୍ୱେତାଙ୍ଗ ଚାଷୀଙ୍କୁ  ଟାର୍ଗେଟ୍‌ କରାଯିବା ଖବର ଭିତ୍ତିହୀନ । ଅଧିକାଂଶ  ଚାଷୀ ଦେଶ ଛାଡ଼ିବାକୁ ଚାହୁଁନାହାନ୍ତି । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମାଫୋସା ବୁଧବାର  ବୈଠକରେ ବିଳମ୍ବରେ ଯୋଗଦେଇଥିଲେ । ସେ  ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ,  ଆମେରିକା-ଦକ୍ଷିଣ ଆଫ୍ରିକା ସମ୍ପର୍କକୁ ପୁନଃସ୍ଥାପନ  କରିବା ଉଦ୍ଦେଶ୍ୟରେ ସେ ଆସିଛନ୍ତି । ଟ୍ରମ୍ପ୍‌ଙ୍କ  ଅନୁରୋଧକ୍ରମେ ସେ ଗଲ୍ଫ କିମ୍ବଦନ୍ତୀ ଏର୍‌ନି ଏଲ୍‌ସ  ଓ ରେତିଫ୍‌ ଗୁସେନ୍‌ଙ୍କୁ ସାଙ୍ଗରେ ଆଣି ଆସିଥିଲେ ।  

ଏମିତି କି ଟ୍ରମ୍ପ୍‌ଙ୍କୁ ସେ ୧୪ କିଲୋଗ୍ରାମ ଓଜନର  ଏକ ପୁସ୍ତକ ଉପହାର ଦେଇଥିଲେ । ଏଥିରେ ଦକ୍ଷିଣ  ଆଫ୍ରିକୀୟ ଗଲ୍ଫ କୋର୍ସ ବିଷୟରେ ଦର୍ଶାଯାଇଛି । କିନ୍ତୁ  ରାମାଫୋସାଙ୍କୁ ଘେରିବା ଲାଗି ଟ୍ରମ୍ପ୍‌ ଯୋଜନାବଦ୍ଧ ଭାବେ  ଆସିଥିବା କୁହାଯାଉଛି । ଏଥିପାଇଁ ପୂର୍ବରୁ ଭିଡିଓ ପ୍ରସ୍ତୁତ ରହିଥିଲା । ବୈଠକ କକ୍ଷରେ ଏଲନ୍‌ ମସ୍କ ବି ଉପସ୍ଥିତ  ଥିଲେ । 


ଏହା ପୂର୍ବରୁ ଟ୍ରମ୍ପ୍‌ ହ୍ୱାଇଟ୍‌ ହାଉସ୍‌ରେ ୟୁକ୍ରେନ୍‌  ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଜୋରଦାର  ଘେରିଥିଲେ । ଏହି ସମୟରେ ଆମେରିକାର  ଉପରାଷ୍ଟ୍ରପତି ଜେ ଡି ଭାନ୍ସ ବି ଉପସ୍ଥିତ ଥିଲେ ।  କିନ୍ତୁ ଛୋଟ ଦେଶର ରାଷ୍ଟ୍ରପତି ହୋଇଥିଲେ ହେଁ  ଜେଲେନସ୍କି ନରମ ପଡ଼ି ନ ଥିଲେ । ଟ୍ରମ୍ପ୍‌ ଓ ଭାନ୍ସଙ୍କୁ  ସେ କଡ଼ା ଜବାବ ଦେଇଥିଲେ । ଏ ନେଇ ଭିଡିଓ  ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.