OBCଙ୍କ ପାଇଁ ଗର୍ଜିଲା ବିଜେଡି, କଂଗ୍ରେସ ଦେବ ଧାରଣା; ଜବାବ ଦେଲେ ଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | May 21, 2025 IST

ଭୁବନେଶ୍ଵର: OBCଙ୍କ ପାଇଁ ଗର୍ଜିଲା ବିଜେଡି । ପଛୁଆ ବର୍ଗଙ୍କ ପାଇଁ ମେଡିକାଲ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରି ରାଜଭବନ ସମ୍ମୁଖରେ ବିଜେଡିର ଗଣ ଧାରଣା । ଦାବି ପୂରଣ ନହେଲେ ଆଗକୁ ବ୍ଲକରୁ ଜିଲ୍ଲା ସବୁଠି ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛି ବିଜେଡି ।  ବିଜେଡିର ଏଭଳି ଅଭିଯୋଗର ଜବାବ୍ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି ବିରୋଧୀ ନିଜକୁ ନିଜେ ଲୋକହସା ହେଉଛନ୍ତି । ବିଜୁ ଜନତା ଦଳ ସ୍ବଭାବତଃ OBC ବିରୋଧୀ ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ପିସିସି ସଭାପତି କହିଛନ୍ତି, OBCଙ୍କ ଅଧିକାର ପାଇଁ ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଅହୋରାତ୍ର ଧାରଣା ଦେବ କଂଗ୍ରେସ ।

ଦଳୀୟ ସଂଗଠନର ପୁନଃବିନ୍ୟାସ ପରେ ଏହା ଥିଲା ବିଜେଡିର ପ୍ରଥମ ଆନ୍ଦୋଳନ । OBCଙ୍କୁ ମେଡିକାଲ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ଏବଂ SC/STଙ୍କୁ ତାଙ୍କ ସଂଖ୍ୟା ଅନୁପାତରେ ସଂରକ୍ଷଣ ନଦେଲେ ଆଗକୁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛି ବିଜେଡି। ଆଗକୁ ବ୍ଲକରୁ ଜିଲ୍ଲା ଯାଏଁ ସବୁଠି ଦଳ ଆନ୍ଦୋଳନ କରିବ ବୋଲି କହିଛି । 

ବିଜେଡି OBC ସେଲ୍ ଆବାହକ ଅରୁଣ ସାହୁ କହିଛନ୍ତି ସାଧାରଣ ଶିକ୍ଷା କ୍ଷେତ୍ରରେ OBCଙ୍କୁ ସଂରକ୍ଷଣ ଦେଇ ସରକାର ବାହାବା ନେବାକୁ ଚେଷ୍ଟା କରିଛନ୍ତି । ତୁରନ୍ତ ମେଡିକାଲ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ଘୋଷଣା କରନ୍ତୁ ସରକାର । ସେପଟେ ବିଜେଡିର ଏଭଳି ଅଭିଯୋଗ ପରେ କାଉଣ୍ଟର ଆଟାକ୍ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି, ଏମିତି ଗଣ ଧାରଣା ଦେଇ ବିରୋଧୀ ନିଜକୁ ନିଜେ ଲୋକହସା ହେଉଛନ୍ତି । ବିଜୁ ଜନତା ଦଳ ସ୍ବଭାବତଃ OBC ତଥା SEBC ବିରୋଧୀ ।

ଏବେ ସରକାର SEBCଙ୍କ ପାଇଁ ସର୍ବାଧିକ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ତାହା ବି ସେମାନେ ନିଜର ୨୪ବର୍ଷ କାର୍ଯ୍ୟକାଳ ଭିତରେ କରିପାରୁନଥିଲେ । ସେହିଭଳି କଂଗ୍ରେସ କଥା ନକହିବା ଭଲ । ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାଜୀବ ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣକୁ ବିରୋଧ କରିଥିଲେ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । 

ସେପଟେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଉକା ଦେଖି ନିଜ ଦଳକୁ ମାରିଥିଲେ ତେରେଛା ବାଣ । ଗଣ ଧାରଣା ବେଳେ ନିଜ ଅଭିଭାଷଣରେ ବିଜେଡି ସମୟରେ ଗଠନ ହୋଇଥିବା OBC କମିଶନର ଗୁମର ଖୋଲିଛନ୍ତି ରାଜା ସ୍ବାଇଁ । ସେ କହିଥିଲେ OBC କମିଶନ ଗଠନର ମେଥୋଡ଼ୋଲୋଜି ଭୁଲ୍ ଥିଲା । ନିର୍ବାଚନ ପୂର୍ବରୁ ଆମେ OBC ପ୍ରସଙ୍ଗ ଉଠାଇଥିଲେ ନିର୍ବାଚନ ଫଳାଫଳା ଭିନ୍ନ ହୋଇଥାନ୍ତା ।   SC/ST ଓ OBC ପ୍ରସଙ୍ଗରେ ବିଜେଡି ଦଳରେ ନେତା ଏପଟ ସେପଟ ନହୋଇ ଏକାଠି ହେବାକୁ ଆହ୍ବାନ ଦେଇଥିଲେ ରାଜା ସ୍ବାଇଁ । ସେପଟେ ପ୍ରମିଳା ମଲ୍ଲିକ କହିଛନ୍ତି ମେଥୋଡୋଲୋଜି ଆମର ଭୁଲ ନାହିଁ । ବିଜେପି ସରକାରର ମେଥୋଡ଼ୋଲୋଜି ଭୁଲ ଅଛି । ସେପଟେ ବିଜେପି OBC ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ହନୁ ମଲା ବେଳେ ସତ କହିଛି । 

ସେପଟେ ପିସିସି ସଭାପତି କହିଛନ୍ତି ଆସନ୍ତାକାଲି OBCଙ୍କ ଅଧିକାର ପାଇଁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେବ । ଶାସନରୁ ଗଲା ପରେ ବିଜେଡିର OBC କଥା ମନେପଡ଼ିଲା ବୋଲି ବାଣ ମାରିଛନ୍ତି ଭକ୍ତ । OBC ଆନ୍ଦୋଳନ ଆଳରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । କଂଗ୍ରେସ ମଧ୍ୟ ପ୍ରସଙ୍ଗରୁ ନିଜକୁ ଦୂରେଇ ବାକୁ ଚାହୁଁନି । ଏମିତିରେ ବିଜେପି ସରକାର SEBCଙ୍କ ପାଇଁ ୧୧.୨୫ % ସଂରକ୍ଷଣ ଘୋଷଣା କରି କନ୍ଫିଡେଣ୍ଟ ଅଛନ୍ତି । ଆଗକୁ OBC ରାଜନୀତି କାହାକୁ କେତେ ଫାଇଦା ଦେଉଛି ତା’ ଉପରେ ରହିବ ନଜର। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.