କୋହଲିଙ୍କ ପରେ ବୋଲରଙ୍କ କମାଲ, ବେଙ୍ଗାଲୁରୁର ଦମଦାର ବିଜୟ, ପ୍ଲେ ଅଫ୍ରୁ ବାଦ୍ ପଡ଼ିଲା ପଞ୍ଜାବ

Published By : Prameya-News7 Bureau | May 09, 2024 IST

espncricinfo

ଧର୍ମଶାଳା: ବିରାଟ କୋହଲିଙ୍କ ଧମାକାଦାର ବ୍ୟାଟିଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଆଇପିଏଲ୍‌ର ୫୮ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୦ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇ ବିଶାଳ ବିଜୟ ହାସଲ କରିଛି। ଦଳ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଉଭୟ ଦଳ ପାଇଁ ଥିବା ଏହି କର ବା ମର ମୁକାବିଲାକୁ ଜିତି ଆରସିବି ପ୍ଲେ ଅଫ ପାଇଁ ନିଜର ଆଶା ଉଜ୍ଜିବୀତ ରଖିଥିବା ବେଳେ ପଞ୍ଜାବ କିଙ୍ଗ୍ସ ଟୁର୍ଣ୍ଣାମେଣ୍ଟରୁ ବାଦ୍  ପଡ଼ିଛି। ଆରସିବି ଦ୍ଵାରା ଧାର୍ଯ୍ୟ ୨୪୨ ରନର ବିଶାଳ ବିଜୟ  ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ ୧୭ ଓଭରରେ ୧୮୧ ରନରେ ଅଲଆଉଟ୍ ହୋଇଛି। ରିଲି ରୁସୋ ୬୧ ରନର ବିସ୍ଫୋରକ ଇନିଂ ଖେଳିଥିବା ଶଶାଙ୍କ ସିଂ ୩୭ ରନ କରିଥିଲା। ବାକି ବ୍ୟାଟର ନିରାଶ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ବିରାଟ କୋହଲିଙ୍କ ୯୨ ରନର ଧୂଆଁଧାର ଇନିଂସ, ରତଜ ପାଟିଦାର ୫୫ ରନ ଓ କ୍ୟାମେରୁନ ୪୬ ରନର ବିସ୍ଫୋରକ ପାଳି ବଦଳରେ ଏହି ବିଶାଳ ସ୍କୋର କରିଥିଲା। ଆରସିବି ୧୨ମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ଅଙ୍କ ତାଲିକାରେ ସପ୍ତମ ସ୍ଥାନକୁ ଉଠିଛି। ପଞ୍ଜାବ ଅଷ୍ଟମ ପରାଜୟ ଭୋଗିଛି। ବୋଲିଂରେ ଆରସିବି ପକ୍ଷରୁ ମହମ୍ମଦ ସିରାଜ ୩ଟି ଓ୍ଵିକେଟ୍ ନେଇଛନ୍ତି। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ୧୯ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ ଡୁପ୍ଲେସିସ୍‌(୯) ଆଉଟ୍ ହୋଇଥିଲେ। ଓ୍ଵିଲ ଜ୍ୟାକ୍ସ(୧୨) ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଏହା ପରେ ବିରାଟ କୋହଲି ଓ ରଜତ ପାଟିଦାର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ଖେଳାଳି ତୃତୀୟ ଓ୍ଵିକେଟ୍ ପାଇଁ ୭୬ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଏହା ପରେ କ୍ୟାମେରୁନ ଗ୍ରୀନଙ୍କ ସହ ମିଶି କୋହଲି ଆହୁରି ଦ୍ରୁତ ବ୍ୟାଟିଂ କରିଥିଲେ। ଚୌକା ଓ ଛକା ବର୍ଷା କରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ କୋହଲି। ତେବେ ଶତକରୁ ମାତ୍ର ୮ ରନରୁ ବଞ୍ଚିତ ହୋଇଥିଲେ ଏହି ତାରକା ବ୍ୟାଟର। କୋହଲି ୪୭ ବଲରୁ ୭ ଚୌକା ଓ ୬ ଛକା ସହ ୯୨ ରନ କରି ପାଭିଲିୟନ ଫେରିଥିଲେ। କ୍ୟାମେରୁନ ଗ୍ରୀନ ୨୭ ବଲରୁ ୪୬ ରନର ଦ୍ରୁତ ଇନିଂସ ଖେଳିଥିଲେ। ଫଳରେ ଆରସିବି ୭ ଓ୍ଵିକେଟ୍ ହରାଇ ୨୪୧ ରନର ବିଶାଳ ସ୍କୋର କରିଛି। 

ବୋଲିଂରେ ହର୍ଷଲ ପଟେଲ୍ ୩୮ ରନ ଦେଇ ସର୍ବାଧିକ ୩ଟି ସଫଳତା ପାଇଥିଲେ। ବିଧ୍ଵଥ କାଭେରପ୍ପା ୩୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.