ପଶ୍ଚିମବଙ୍ଗ ୦୭/୦୬: ପହଲଗାମ ଆକ୍ରମଣର ବଦ୍ଲା ନେବାକୁ ଭାରତ କରିଥିଲା ଅପରେସନ୍ ସିନ୍ଦୂର । ପଲ୍ଲୀରୁ ଦିଲ୍ଲୀରେ ଦେଖିବାକୁ ମିଳିଥିଲା ଏହାର ସଫଳତା । ଏମିତିକି ବିଶ୍ୱ ଦରବାରରେ ବି ଅପରେସନ୍ ସିନ୍ଦୂର ଚର୍ଚ୍ଚା ଚାଲିଛି । ଏହାରି ଭିତରେ ମୁଣ୍ଡ ଟେକିଛି ନୂଆ ବିବାଦ ।
ତୃଣମୂଳ କଂଗ୍ରେସ ବିଧାୟକ (ଟିଏମସି) ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ବିୟାନକୁ ନେଇ ତେଜିଛି ରାଜନୀତି । ସେ କହିଛନ୍ତି ଅପରେସନ୍ ସିନ୍ଦୂର ନାଟକ ଥିଲା । ଏହା ପାକିସ୍ତାନ ସହ ବଡ ଡିଲ ବୋଲି ଯୁକ୍ତି ବାଢିଛନ୍ତି ଟିଏମ୍ସି ବିଧାୟକ । ସେପଟେ ଘଟଣା ପରେ ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ନାମରେ ମାମଲା ରୁଜ୍ଜୁ କରିଛି ବିଜେପି ।
ବିଜେପି ସଂଖ୍ୟାଲଘୁ ସେଲ୍ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ପାଣ୍ଡବେଶ୍ୱର ଆସନରୁ ପ୍ରତିନିଧିତ୍ୱ କରୁଥିବା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାୟର କରିଛି । ଅଭିଯୋଗ କରିଛି ଯେ ଟିଏମସି ବିଧାୟକ ସଶସ୍ତ୍ର ବାହିନୀର ବୀରତ୍ୱକୁ ଅବମାନନା କରିଛନ୍ତି। ଏହି ମାମଲାରୁ ଟିଏମ୍ସି ନିଜକୁ ଦୂରେଇ ରଖିଛି ।
ଟିଏମ୍ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି,''ଏହା ତାଙ୍କର ବ୍ୟକ୍ତିଗତ ବୟାନ । ଶାସକ ଦଳ ଏହାକୁ ସମର୍ଥନ କରେ ନାହିଁ । ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା । ଆମର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବରିଷ୍ଠ ନେତା ଅଭିଷେକ ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ଟିଏମସି ଅପରେସନ ସିନ୍ଦୂର ଉପରେ କୌଣସି ରାଜନୈତିକ ବିବୃତ୍ତି ଦେବ ନାହିଁ ।