ଟ୍ରାଫିକ ପୋଲିସର ଅଜବ ସଚେତନତା ପୋଷ୍ଟର: ଦୁଷ୍କର୍ମରୁ ରକ୍ଷା ପାଇବା ପାଇଁ ଘରେ ରହିବାକୁ ଅପିଲ୍‌

Published By : Prameya-News7 Bureau | August 03, 2025 IST

News7

ଅହମ୍ମଦାବାଦ: ମହିଳାଙ୍କୁ ଦୁଷ୍କର୍ମରୁ ରକ୍ଷା ପାଇବା ପାଇଁ ଘରେ ରୁହ। ନିର୍ଜ୍ଜନ ସ୍ଥାନକୁ ଯାଅନି।  ଅହମ୍ମଦାବାଦର ଅନେକ ସ୍ଥାନରେ ଏହି ପୋଷ୍ଟରଗୁଡ଼ିକ ଲଗାଯିବା ପରେ ହଇଚଇ। ଏଭଳି ପୋଷ୍ଟର ଲଗାଇଛି ଗୁଜରାଟ ଅହମ୍ମଦାବାଦର ଟ୍ରାଫିକ ପୋଲିସ। ଅହମ୍ମଦାବାଦର ସୋଲା ଏବଂ ଚାନ୍ଦଲୋଡିଆ ଅଞ୍ଚଳରେ ଏପରି ପୋଷ୍ଟର ଦେଖିବାକୁ ମିଳିଥିଲା। ବିରୋଧୀ ଦଳଗୁଡ଼ିକ ଏହି ପୋଷ୍ଟରଗୁଡ଼ିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲେ।

ଟ୍ରାଫିକ ପୋଲିସ ଦ୍ୱାରା ପ୍ରାୟୋଜିତ ଏହି ପୋଷ୍ଟରରେ ଲେଖାଯାଇଥିଲା ଯେ 'ବିଳମ୍ବିତ ରାତିର ପାର୍ଟିରେ ଯୋଗ ଦିଅନାହିଁ, ତୁମ ସହିତ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ହୋଇପାରେ। ଏହା ମଧ୍ୟ ଲେଖାଯାଇଥିଲା ଯେ 'ତୁମର ବନ୍ଧୁମାନଙ୍କ ସହିତ ନିର୍ଜନ ସ୍ଥାନକୁ ଯାଅ ନାହିଁ, ଯଦି ତୁମେ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମର ଶିକାର ହୁଅ, ତେବେ କ'ଣ ହେବ?'

ଗୁଜୁରାଟ ଆମ ଆଦମୀ ପାର୍ଟି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛି ଯେ 'ଏହି ପୋଷ୍ଟରଗୁଡ଼ିକ ରାଜ୍ୟରେ ମହିଳା ସୁରକ୍ଷାର ଦାବିକୁ ପର୍ଦ୍ଦାଫାସ କରିଛି। ଗୁଜରାଟର ବିଜେପି ସରକାର ମହିଳା ସଶକ୍ତିକରଣ ବିଷୟରେ କଥାବାର୍ତ୍ତା କରେ, କିନ୍ତୁ ବାସ୍ତବତା ଭିନ୍ନ। ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୬୫୦୦ ରୁ ଅଧିକ ବଳାତ୍କାର ଏବଂ ୩୬ ଟି ଗଣଦୁଷ୍କର୍ମ ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତାମାନେ ମହିଳାଙ୍କ ସୁରକ୍ଷା ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଅହମଦାବାଦ ଭଳି ବଡ଼ ସହରରେ ଏହି ପୋଷ୍ଟରଗୁଡ଼ିକ ବାସ୍ତବତାକୁ ଦର୍ଶାଉଛି। 

ଟ୍ରାଫିକ ପୋଲିସ ସ୍ପଷ୍ଟ କରିଛି ଯେ ସହରର ଟ୍ରାଫିକ ପୋଲିସ ମହିଳା ସୁରକ୍ଷା ନୁହେଁ ବରଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ପୋଷ୍ଟରଗୁଡ଼ିକୁ ପ୍ରାୟୋଜିତ କରିଛି। ସେ ଦାବି କରିଛନ୍ତି ଯେ ଭିଜିଲାନ୍ସ ଗ୍ରୁପ୍ ନାମକ ଏକ ଏନଜିଓ ଟ୍ରାଫିକ ପୋଲିସର ସମ୍ମତି ବିନା ଏହି ବିବାଦୀୟ ପୋଷ୍ଟର ଲଗାଇଛି। ଯେତେବେଳେ ଏହି ବିଷୟ ସେମାନଙ୍କ ଦୃଷ୍ଟିକୁ ଅଣାଗଲା, ପୋଷ୍ଟରଗୁଡ଼ିକୁ ତୁରନ୍ତ ହଟାଇ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.