ନିର୍ଦ୍ୱନ୍ଦ୍ୱରେ ନିତିନ ନବୀନଙ୍କ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ନିଶ୍ଚିତ, ନାମାଙ୍କନ ଶେଷ, ପିଏମ୍ ମୋଦୀ ହେଲେ ପ୍ରସ୍ତାବକ

NEWS7
rolls-royce-now-produce-worlds-finest-honey-at-goodwood-epiri

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ପୂରା ହୋଇସାରିଛି । ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନଙ୍କ ପାଇଁ ମୋଟ ୩୭ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଏହି ନାମାଙ୍କନ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ଦାଖଲ କରାଯାଇଛି । ସଂସଦୀୟ ଦଳର ନାମାଙ୍କନ ପତ୍ର ଉପରେ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦସ୍ତଖତ କରିଥିଲେ । ସଂସଦୀୟ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ନିତିନ ଗଡ଼କରୀ, ରାଜନାଥ ସିଂହଙ୍କ ପରି ପାର୍ଟିର ପ୍ରମୁଖ ନେତା ଉପସ୍ଥିତ ରହିଥିଲେ । ପ୍ରତି ନାମାଙ୍କନ ପତ୍ର ଉପରେ ୨୦ ପ୍ରସ୍ତାବକଙ୍କ ଦସ୍ତଖତ ରହିଛି । ନାମାଙ୍କନ ପ୍ରତ୍ୟାହାର କରିବାର ସମୟ ୫ଟାରୁ ୬ଟଆ ମଧ୍ୟରେ ରହିଛି ।

ବିଜେପିର ମୁଖ୍ୟ ନିର୍ବାଚନ ଅଧିକାରୀ କେ.ଲକ୍ଷ୍ମଣ ସନ୍ଧ୍ୟା ୬ଟା ୩୦ରେ ଏହି ବିଷୟରେ ସୂଚନା ପ୍ରଦାନ କରିବେ । ଏହା ପରେ, ମଙ୍ଗଳବାର ସକାଳ ୧୧ ଟାରେ ବିଜେପି ମୁଖ୍ୟାଳୟରେ ୭୦୦ ପ୍ରତିନିଧି ଏକାଠି ହେବେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ରହିବେ । ତାଙ୍କ ଉପସ୍ଥିତିରେ ନିତିନ ନବୀନଙ୍କ ନାଁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ ।

ବିଜେପିର ସମ୍ବିଧାନ ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତାବ ଅତି କମରେ ପାଞ୍ଚଟି ରାଜ୍ୟରୁ ଆସିବା ଆବଶ୍ୟକ, ପ୍ରତ୍ୟେକ ରାଜ୍ୟରୁ ୨୦ ଜଣ ପ୍ରସ୍ତାବକ ରହିବେ । କିନ୍ତୁ ଏଥର ସମର୍ଥନର ଏକ ଦୃଢ଼ ବାର୍ତ୍ତା ପଠାଇବା ପାଇଁ ବିଜେପି ସମସ୍ତ ରାଜ୍ୟରୁ ପ୍ରସ୍ତାବ ଲୋଡ଼ିଥିଲା ।

ନିତିନ ନବୀନଙ୍କୁ ଜାନୁଆରୀ ୨୦ରେ ସଭାପତି ଭାବରେ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀ ଏବଂ ଜାତୀୟ ପଦାଧିକାରୀ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ । ନିର୍ବାଚନ ପ୍ରକ୍ରିୟା ବିଜେପି ମୁଖ୍ୟାଳୟରେ ସମାପ୍ତ ହେବ । ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିପାରନ୍ତି ।

ରାଷ୍ଟ୍ରୀୟ ସଭାପତି ନିର୍ବାଚିତ ହେବା ପରେ, ନିତିନ ନବୀନ ଜାନୁଆରୀ ୨୧ରେ ସମସ୍ତ ଜାତୀୟ ପଦାଧିକାରୀଙ୍କ ସହ ଏକ ଆନୁଷ୍ଠାନିକ ବୈଠକ କରିବେ । ଏହି ବୈଠକରେ ସମସ୍ତ ଜାତୀୟ ପଦାଧିକାରୀଙ୍କ ସହିତ ରାଜ୍ୟ ସଭାପତି, ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ଏବଂ ରାଜ୍ୟ ପ୍ରଭାରୀମାନେ ଯୋଗଦେବେ । ନିତିନ ନବୀନ ଏହି ଅବସରରେ ସମସ୍ତ ପଦାଧିକାରୀଙ୍କୁ ମଧ୍ୟ ସମ୍ବୋଧିତ କରିବେ ।